ଖୁବ୍ ଶୀଘ୍ର ଖୋଲିବ ‘ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍‌’

ଭୁବନେଶ୍ବରରେ ହୋଇପାରେ ଏସୀୟ ଯୁବ ସ୍ପୋର୍ଟସ କ୍ଲାଇମ୍ବିଂ, ଟୋକିଓ ଅଲିମ୍ପିକ୍ ଯୋଗ୍ୟତା ନେଇ ଆଇଏମ୍ଏଫ୍ ଆଶାବାଦୀ

ଭୁବନେଶ୍ବର: ପ୍ରାୟ ଦୁଇ ବର୍ଷ ହେବ ଶେଷ ହୋଇଥିଲେ ମଧ୍ୟ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ନିର୍ମିତ ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍ ରାଜ୍ୟ କିମ୍ବା ଦେଶର କ୍ଲାଇମ୍ବରଙ୍କ କାମରେ ଲାଗି ପାରିନାହିଁ। ତେବେ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବା ସହିତ ଖେଳାଳିଙ୍କୁ ସମର୍ପି ଦିଆଯିବ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଇଣ୍ଡିଆନ୍ ମାଉଣ୍ଟନିୟରିଂ ଫେଡେରେସନ୍ (ଆଇଏମ୍‌ଏଫ୍‌) ମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ‘ସମ୍ଭବତଃ ଆସନ୍ତା ଜୁଲାଇ ମାସ ଭିତରେ କିମ୍ବା ଯେତେ ଶୀଘ୍ର ସମ୍ଭବ ‌ଏହାକୁ ଖେଳ ଉପଯୋଗୀ କରିଦିଆଯିବ ଏବଂ ଅଭ୍ୟାସ ଆରମ୍ଭ ହେବ’ ବୋଲି ଆଲୋଚନା ପରେ ‘ସମ୍ବାଦ’କୁ କହିଛନ୍ତି ଭାରତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ସଂଘର ଅଧ୍ୟକ୍ଷ ବ୍ରିଗେଡିୟର ଏମ୍ ପି ଯାଦବ।

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ନିର୍ମିତ ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍ ଅନ୍ତର୍ଜାତୀୟ ସ୍ତରର ଏବଂ ବିଶ୍ବରେ ଅନ୍ୟତମ ବୋଲି ବ୍ରିଗେଡିୟର୍ ଯାଦବ ସ୍ବୀକାର କରିଥିଲେ। ସ୍ପିଡ୍, ଲିଡ୍‌ ଏବଂ ବୋଲଡରିଂ ସୁବିଧା ବିଶିଷ୍ଟ ଏହି ୱାଲ୍‌ ଭବିଷ୍ୟତରେ ବେଶ୍‌ କାମରେ ଲାଗିବ। ଓଡ଼ିଶା ସରକାର ବଡ଼ ଆଗ୍ରହ ଏବଂ ଉତ୍ସାହର ସହିତ ଏହାକୁ ପ୍ରତିଷ୍ଠା କରିଛନ୍ତି। ଖୁବ୍ ଶୀଘ୍ର ଓଡ଼ିଶା ଏବଂ ଭାରତୀୟ ସ୍ପୋର୍ଟସ କ୍ଲାଇମ୍ବିଂ କ୍ରୀଡ଼ାବିତଙ୍କ ପାଇଁ ଏହା ଉନ୍ମୁକ୍ତ ହୋଇଯିବ। ଓଡ଼ିଶାରୁ ଏକ ଭଲ ଦଳ ପ୍ରସ୍ତୁତ କରିବା ସହିତ ଭାରତୀୟ ଖେଳାଳିମାନେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ପୂର୍ବରୁ ଏଠାରେ ଅଭ୍ୟାସ କରିବ। ଓଡ଼ିଶା ସରକାର ଏଥିପାଇଁ ଆବଶ୍ୟକ ପୁଡୁଥିବା ଅନ୍ୟ ସରଞ୍ଜାମ ଏବଂ ଅସଜଡ଼ା ଭିତ୍ତିଭୂମିକୁ ଠିକ୍ କରିଦେବାକୁ ଯାଉଛନ୍ତି। ଦୁଇ ଜଣ ପ୍ରଶିକ୍ଷକ ଏବଂ ଜଣେ ପ୍ରବଂଧକ ନିଯୁକ୍ତ ହେବେ। ମୁଁ ବ୍ୟକ୍ତିଗତ ଭାବେ ନିୟମିତ ଏଠାକୁ ଆସୁଛି ବୋଲି କହିଥିଲେ ବ୍ରିଗେଡିୟର୍ ଯାଦବ। କଳିଙ୍ଗ ଷ୍ଟାଡିୟମ୍ ୱାଲ୍ ଫନି ପ୍ରଭାବିତ ହେବା ପୂର୍ବରୁ ଠିକାଦାର କିଛି କାମ ଅସମ୍ପୂର୍ଣ୍ଣ ରଖିବା ଏବଂ ୟୁରୋପୀୟ ସ୍ତରର ସଂରଞ୍ଜାମ ନଦେବା, ମାମଲା ଅଦାଲତ ପହଞ୍ଚିବା ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ଶ୍ରୀ ଯାଦବ ଏଡ଼ାଇଯାଇଥିଲେ। ଏବେ ୱାଲ୍‌ରେ କିଛି ମରାମତି ଏବଂ ସରଞ୍ଜାମ ସଂଯୋଗର ଆବଶ୍ୟକତା ରହିଛି। ଏହା କିଛି ପ୍ରମୁଖ ପ୍ରସଙ୍ଗ ନୁହେଁ ବୋଲି ଶ୍ରୀ ଯାଦବ ପ୍ରକାଶ କରିଥିଲେ।

ଅଲିମ୍ପିକ୍ ଆଶା
ଭାରତୀୟ ଦଳ ମଧ୍ୟ ଏହି ଖେଳରେ ‌ଆସନ୍ତା ବର୍ଷର ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଲାଗି ଆଶାବାଦୀ ରହିଛି। ଏଥି ପାଇଁ ଢେର ଆଗରୁ ୭ ଜଣ କ୍ଲାଇମ୍ବରଙ୍କୁ ମନୋନୀତ କରାଯାଇଛି। ସେମାନେ ଏବେ ଗୋଟିଏ ପରେ ଗୋଟିଏ ୧୨ଟି ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଛନ୍ତି। ବିଶ୍ବ ମାନ୍ୟତାରେ ଉନ୍ନତି ଆଣିବା ସହିତ ବିଶ୍ବ ପ୍ରତିଯୋଗିତାରେ ମଧ୍ୟ ସେମାନଙ୍କୁ ଭଲ କରିବାକୁ ପଡ଼ିବ। ବିଶ୍ବ ପ୍ରତିଯୋଗିତାରୁ ୬ ପୁରୁଷ ଏବଂ ୬ ମହିଳା ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନୀତ ହେବେ। ମୋଟ ୮୭ ଦେଶ ମଧ୍ୟରେ ୭ ପୁରୁଷ ଏବଂ ୭ ମହିଳା ଖେଳାଳି ଏଥି ଲାଗି ଯୋଗ୍ୟତା ଅର୍ଜନ କରିବେ। ଭାରତ ଏବେ ଏବେ ଏହି ଖେଳକୁ ଆପଣାର କରିଥିବାରୁ ବିଶେଷ ଭଲ କରୁନାହିଁ। ତଥାପି ଆମେ ଜଣେ ଲେଖାଏଁ ପୁରୁଷ ଓ ମହିଳାଙ୍କ ଯୋଗ୍ୟତା ନେଇ ଆଶାବାଦୀ ରହିଛୁ ବୋଲି ବ୍ରିଗେଡି୍ୟର୍ ଯାଦବ ପ୍ରକାଶ କରିଥିଲେ।

ଭୁବନେଶ୍ବରରେ ଏସୀୟ ଯୁବ
ଭୁବନେଶ୍ବରର ଭିତ୍ତିଭୂମିକୁ ନଜରରେ ରଖି ଏଠାରେ ମଧ୍ୟ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଯୋଜନା କରିଛି ଆଇଏମଏଫ। ଦେଶରେ ସ୍ପୋର୍ଟସ କ୍ଲାଇମ୍ବିଂର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଏହି ଅନୁଷ୍ଠାନ ପରବର୍ତୀ ଏସୀୟ ଯୁବ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତାକୁ ଭୁବନେଶ୍ବରରେ କରିବାକୁ ମଧ୍ୟ ଆଲୋଚନା ଆରମ୍ଭ କରିସାରିଛି। ଓଡ଼ିଶା ସରକାରଙ୍କ ସହ ଆଲୋଚନା ହୋଇଛି। କିନ୍ତୁ କର୍ଣ୍ଣାଟକ ସରକାର ଏହାକୁ ଆୟୋଜନ କରିବାକୁ ପୂର୍ବରୁ ଆଗ୍ରହ ଦେଖାଇଥିବାରୁ ଆମକୁ ଚୂଡାନ୍ତ ନିଷ୍ପତ୍ତି ନେବାକୁ ପଡ଼ିବ। ସବୁକିଛି କିନ୍ତୁ ଏସୀୟ କ୍ଲାଇମ୍ବିଂ କାଉନସିଲ୍ (ଏସିସି) ନିଷ୍ପତ୍ତି ନେବ। ଓଡ଼ିଶା ସରକାର ମଧ୍ୟ ଆଗ୍ରହୀ ରହିଛନ୍ତି ବୋଲି ଶ୍ରୀ ଯାଦବ କହିଥିଲେ। ଏହି ପ୍ରତିଯୋଗିତା ଚଳିତ ବର୍ଷ ଅକ୍ଟୋବର ଶେଷ ଆଡକୁ ‌ଆୟୋଜିତ ହେବାର ସୂଚୀ ରହିଛି।

ଲୋକପ୍ରିୟତା ବଢ଼ିଛି
ଦୁଃସାହସିକ କ୍ରୀଡ଼ା ଅନ୍ତର୍ଭୁକ୍ତ ସ୍ପୋର୍ଟସ କ୍ଲାଇମ୍ବିଂର ଲୋକପ୍ରିୟତା ବଢ଼ିଛି। ଓଡ଼ିଶା ଯେଭଳି ଭାବେ ଏହି ଖେଳକୁ ଗ୍ରହଣ କରିବା କଥା କରିନାହିଁ। ଏବେ ଅଲିମ୍ପିକ୍ସରେ ସାମିଲ ହେବା ପରେ ଚାରିଆଡେ ଆକର୍ଷଣ ବଢ଼ିଛି। ଆମେ ମଧ୍ୟ ଖୁବ୍ ଶୀଘ୍ର ଏହି ଖେଳକୁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ପହଞ୍ଚାଇବାକୁ‌ ଯୋଜନା କରିଛୁ। ଏହି ଖେଳର ଭବିଷ୍ୟତ ନିଶ୍ବିତ ଉଜ୍ବଳ ବୋଲି ଶ୍ରୀ ଯାଦବ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର