‌ସ୍ପୋର୍ଟସ କ୍ଲାଇମ୍ବିଂ ପାଠ୍ୟକ୍ରମ: ଚିନ୍ମୟ ପ୍ରଥମ ଓଡ଼ିଆ

ଭୁବନେଶ୍ବର: ପ୍ରଥମ ଓଡ଼ିଆ ଭାବେ ସ୍ପୋର୍ଟସ କ୍ଲାଇମ୍ବିଂ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଦୁଃସାହସିକ କ୍ରୀଡ଼ାବିତ୍ ଚିନ୍ମୟ ମହାରଣା। ସମ୍ପ୍ରତି ସ୍ପୋର୍ଟସ କ୍ଲାଇମ୍ବିଂ ଅଲିମ୍ପିକ୍ସରେ ସାମିଲ ହୋଇଥିବାରୁ ଏହି ପାଠ୍ୟକ୍ରମ ଗୁରୁତ୍ବପୂର୍ଣ୍ଣ ବିବେଚିତ ହୋଇଛି। ବାଙ୍ଗାଲୋରଠାରେ ଏପ୍ରିଲ୍‌ ଶେଷ ସପ୍ତାହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚିନ୍ମୟ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ରାଜ୍ୟର ସର୍ବପୁରାତନ ଦୁଃସାହସିକ ଅନୁଷ୍ଠାନ ଆସା (ଆସୋସିଏସନ୍ ଫର ଆଡଭେଞ୍ଚର ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍‌) ପକ୍ଷରୁ ଗତ ଗୁରୁବାର ଚିନ୍ମୟଙ୍କୁ ସମ୍ବର୍ଧିତ କରାଯାଇଛି। ଆଶାର ଉପଦେଷ୍ଠା ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ସମ୍ପାଦକ ତଥା ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଶକ୍ତିରଂଜନ ମହାନ୍ତି ଶ୍ରୀ ମହାରଣାଙ୍କୁ ସମ୍ବର୍ଧିତ କରିଥିଲେ। ରାଜ୍ୟରେ ସ୍ପୋର୍ଟସ କ୍ଲାଇମ୍ବିଂକୁ ପ୍ରେତ୍ସାହିତ କରିବାକୁ ଆଗ୍ରହ ରଖିଥିବା ଚିନ୍ମୟ ବିଗତ ୬ ବର୍ଷ ଧରି ଏଭେରେଷ୍ଟର୍‌ ଗଣେଶ ଚନ୍ଦ୍ର ଜେନାଙ୍କ ତତ୍ବାବଧାନରେ ଦୁଃସାହସିକ କ୍ରୀଡ଼ାକୁ ନିଜ ବୃତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର