ସ୍ପୋର୍ଟସ କ୍ଲାଇମ୍ବିଂରେ ଟେଣ୍ଡର୍‌ ଫିକ୍ସିଂ:ଆପିଲେଟ୍‌ ଅଥରିଟିଙ୍କୁ ଭେଟିଲେ ଅଭିଯୋଗକାରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିିୟମ୍‌ରେ ନିର୍ମାଣାଧୀନ ଦେଶର ସବୁଠୁ ବଡ଼ ସ୍ପୋର୍ଟସ କ୍ଲାଇମ୍ବିଂ ଓ୍ଵାଲ୍‌ରେ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ପୁଣି ମୁଣ୍ଡ ଟେକିଛି। ଏହାର କାମରେ ଗୁଣବତ୍ତାକୁ ଗୁରୁତ୍ୱ ଦିଆନଯିବା, ଟେଣ୍ଡର୍‌ ଚୟନ ବେଳେ କୌଣସି ଓଡ଼ିଶା ଲୋକଙ୍କୁ ସାମିଲ କରାନଯିବା ସହିତ ଶେଷରେ ଟେଣ୍ଡର୍‌ ନିୟମରେ ଉଲ୍ଲଂଘନ କରାଯାଇଥିବାର ଅଭିଯୋଗ ହୋଇଥିଲା। ଚୁକ୍ତି ଅନୁସାରେ ଓ୍ଵାଲ୍‌ ପାଇଁ ୟୁରୋପୀୟ ନେସନ୍‌ସ ଷ୍ଟାଣ୍ଡାର୍ଡ (ଇଏନ୍‌ଏସ୍‌) ମାର୍କାକୁ ଜାଲିଆତି କରି ଟେଣ୍ଡର୍‌ ବିଜେତା ସଂସ୍ଥା ନୂଆଦିଲ୍ଲୀର ଆଉଟଡୋର୍‌ ସ୍କୁଲ୍‌ ଏବେ ଫ୍ରାନ୍‌ସ ବଦଳରେ ଚାଇନା ମାଲ୍‌ ଲଗାଇଥିବାରୁ ବିବାଦର ସୂତ୍ରପାତ ହୋଇଥିଲା। ମୋଟ ୩.୭୬ କୋଟିର ଏହି କାମର ଟେଣ୍ଡର ଚୟନରେ ବଡ଼ ଘୋଟାଲା ହୋଇଥିବାରୁ ଅନ୍ୟତମ ଦାବିଦାର ଥିବା ପଶ୍ଚିମବଙ୍ଗର ହାଓ୍ଵଡାସ୍ଥିତ ମେସର୍ସ ଆର୍ଯ୍ୟା ଆର୍‌ଟିଆଇ (ସୂଚନା ଅଧିକାର) ଜରିଆର ତଥ୍ୟ ମାଗିଥିଲେ ମଧ୍ୟ ଯୋଗାଇ ଦିଆଯାଇନଥିଲା। ଏସବୁ ବିରୋଧରେ ମେସର୍ସ ଆର୍ଯ୍ୟାର ମାଲିକ ସୁଶାନ୍ତ ସାହା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରଥମ ଆପିଲେଟ୍‌ ଅଥରିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଗୁରୁତ୍ୱକୁ ଅନୁଭବ କରି ପ୍ରଥମ ଆପିଲେଟ୍‌ ଅଥରିଟି ଥିବା କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ମନୋଜ ପାଢ଼ୀ ଶ୍ରୀ ସାହାଙ୍କୁ ପକ୍ଷ ରଖିବାକୁ ଆମନ୍ତ୍ରଣ କରିଥିଲେ। ମଙ୍ଗଳବାର କ୍ରୀଡ଼ା ଓ ଯୁବସେବା ବିଭାଗ କାର୍ଯ୍ୟାଳୟ ଆସି ଶ୍ରୀ ସାହା ଆରଟିଆଇ ଜରିଆର ତଥ୍ୟ ମିଳୁନଥିବା, ଟେଣ୍ଡର ପ୍ରକ୍ରିୟାର ଇଭାଲୁଏସନ୍‌ ସିଟ୍‌ ପ୍ରଦାନ କରାଯାଉନଥିବା, ଇଏନ୍‌ଏସ୍‌ ଷ୍ଟାଣ୍ଡାର୍ଡ ସଂରଞ୍ଜାମ ଲାଗି ନଥିବା ଆଦି ଅଭିଯୋଗ କରିଥିଲେ। କିନ୍ତୁ କଳିଙ୍ଗ ଷ୍ଟାଡିୟମ୍‌ ଆଇଏସ୍‌ଏଲ୍‌ ପାଇଁ ବ୍ୟସ୍ତ ଥିବାରୁ କ୍ଲାଇମ୍ବିଂ ଓ୍ଵାଲ୍‌ ଦେଖିବାରୁ ସୁଯୋଗରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଗଣମାଧ୍ୟମ ଆଗରେ ଶ୍ରୀ ସାହା ବଡ଼ ଘୋଟାଲାର ପ୍ରମାଣ ରଖିଥିଲେ।

ସମ୍ବନ୍ଧିତ ଖବର