ଜୟପୁର: ରାଜ୍ୟ ସରକାରଙ୍କ କ୍ରୀଡା ଓଯୁବ ବ୍ୟାପର ବିଭାଗ ପକ୍ଷରୁ ଜୟପୁର ଫୁଲବାଡ଼ ଠାରେ ନିର୍ମାଣାଧୀନ ଥିବା ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ ଆସନ୍ତା ୨୦୨୪ମସିହା ଜାନୁଆରୀ ମାସରେ ଲୋକାର୍ପଣ କରାଯିବ। ଏହି ଲୋକାର୍ପଣ ଉତ୍ସବରେ ନିଜେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଏବଂ , ୫ଟି ଅଧ୍ୟକ୍ଷ, ରାଜ୍ୟ କ୍ରୀଡାମନ୍ତ୍ରୀ, ରାଜ୍ୟ କ୍ରୀଡାସଚିବ ଆଦି ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏବେ ଠାରୁ ଏହାର ନିର୍ମାଣ କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ କିଛି ଦିନ ହେବ ରାଜ୍ୟ କ୍ରୀଡାସଚିବ ଭିନିଲ୍ କ୍ରୀଷ୍ଣା ସବୁ ଦିନ ଏହି କାମର ଅଗ୍ରଗତିର ଭିଡିଓ ଫୁଟେଜ୍ ଦେଖୁଥିବା କହିଛନ୍ତି ଜିଲ୍ଲାକ୍ରୀଡା ଅଧିକାରୀ ଞାନଜିତ ତ୍ରିପାଠୀ। ନିଜେ ଜିଲ୍ଲା କ୍ରୀଡା ଅଧିକାରୀ ସବୁ କାମର କାମର ନିରୀକ୍ଷଣ କରି ସବୁ ଟିକିନିକି ରିପୋର୍ଟ ଜିଲ୍ଲାପାଳ ଓ ରାଜ୍ୟ କ୍ରୀଡା ସଚିବଙ୍କୁ ଦାଖଲ କରୁଥିବା ସୂଚନା ଦେଇଛନ୍ତି। ତେବେ ଏତେ ବଡ କଂପ୍ଲେକ୍ସରେ କ୍ରିକେଟ ପାଇଁ ଷ୍ଟାଡିୟମ ନାହିଁ।
କୋରାପୁଟଜିଲ୍ଲାର କ୍ରୀଡାବିତ୍ ମାନଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଭିତ୍ତିଭୁମି, ବୈଷୟିକ ପ୍ରଣାଳୀ ସହ ଉନ୍ନତମମାନର ତାଲିମ ଦେବା ଲକ୍ଷ୍ୟରେ ୨୦୧୯ ମସିହାରେ ନିର୍ମାଣ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଏକ ସଂସ୍ଥା ଠିକା ନେବା ସହ ବର୍ଷକ ମଧ୍ୟରେ ସାରିବାକୁ ଚୁକ୍ତି କରିଥିଲା। ତେବେ ଉକ୍ତ ସଂସ୍ଥା ଠିକରେ ନ କରିବା ଫଳରେ ପରବର୍ତ୍ତୀ ସମୟରେ ଠିକାଦାର ବଦଳିବାର ଲାଗିଥିଲେ।୧୨ଏକର ପରିମିତ ଜମିରେ ୨୬କୋଟି ଟଙ୍କା ବ୍ୟୟରେ ଏହା ଆରମ୍ଭ ହୋଇଥିବା ବେଳେ ଏହାରି ମଧ୍ୟରେ ଏହାର ବଜେଟ ୪୬କୋଟିକୁ ବଢ଼ିଛି। ଏଠାରେ ଅତ୍ୟାଧୁନିକ ଫୁଟବଲ ପଡ଼ିଆ, ଚାରି ପଟେ ସିନ୍ଥେଟିକ୍ ଟ୍ରାକ, ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଜିମ୍ , ସୁଇମିଂ ଫୁଲ, ଦର୍ଶକ ବସିବା ପାଇଁ ଗ୍ୟାଲେରୀ ଓ ପ୍ରଶାସନିକ ଭବନ ନିର୍ମାଣ କରାଯିବା ଯୋଜନା ରହିଛି।
ତେବେ ଏ ପର୍ଯ୍ୟନ୍ତ ନିର୍ମାଣାଧୀନ ଅତ୍ୟାଧୁନିକ ଫୁଟବଲ ପଡିଆ ସମ୍ମୁଖରେ ଦୁଇ ପାର୍ଶ୍ବର ଦର୍ଶକ ଗ୍ୟାଲେରୀ, ସୁଇମିଂ ଫୁଲ ନିକଟରେ ୨ଟି ଦର୍ଶକ ଗ୍ୟାଲେରୀ . ସ୍ବାଗତ ଗେଟ୍, ଜିମ୍ ,ପ୍ରଶାସନିକ ଭବନ ଆଦି ନିର୍ମାଣ ସରିଛି। ଅତ୍ୟାଧୁନିକ ଫୁଟବଲ ପଡିଆ, ସିନ୍ଥେଟିକ୍ ଟ୍ରାକ୍, ବାସ୍କେଟବଲ ପଡ଼ିଆ ଆଦି କାମ ଶେଷ ପର୍ଯ୍ୟାୟରେ ରହିଛି। ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଜିମ୍ର କାମ ବାକି ରହିଛି। ଅଧିକା ରାଜମିସ୍ତ୍ରୀ, କୁଲି, ସହ ବୈଷୟିକ କର୍ମଚାରୀ ଆଦି ନିର୍ମାଣରେ ନିୟୋଜିତ ହୋଇଥିବାରୁ ୭୦ ପ୍ରତିଶତ କାମ ସରିଲାଣି, ମାସକ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଜିଲ୍ଲାକ୍ରୀଡା ଅଧିକାରୀ। ପାର୍କିଂ ସହ ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ୍ ପାଇଁ କ୍ରୀଡା କଂପ୍ଲେକ୍ସ ସମ୍ମୁଖରେ ଥିବା ୫ଏକରରୁ ଉର୍ଦ୍ଧ୍ବ ଜମିକୁ ଦେବା ପାଇଁ ତତ୍କାଳୀନ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଜିଲ୍ଲାକ୍ରୀଡା ଅଧିକାରୀ ଅନୁରୋଧ କରିଥିଲେ। ତେବେ ସେମାନେ ଜମି ନ ଦେବାରୁ କ୍ରିକେଟ ପଡ଼ିଆ ନିର୍ମାଣ ହୋଇ ପାରିନି ବୋଲି କହିଛନ୍ତି ଜିଲ୍ଲାକ୍ରୀଡା ଅଧିକାରୀ। ସେ ପୁଣି ଥରେ ଏ ନେଇ ଜିଲ୍ଲାପାଳ , ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଇବେ ବୋଲି କହିଛନ୍ତି ଜିଲ୍ଲାକ୍ରୀଡା ଅଧିକାରୀ। କଂପ୍ଲେକ୍ସର ସମ୍ମୁଖରେ ଏହି ପଡ଼ିଆ ଖାଲିରେ ପଡ଼ିଥିବାରୁ ଜବରଦଖଲକାରୀଙ୍କ କବଜାକୁ ଯିବା ପୂର୍ବରୁ କ୍ରୀଡା କଂପ୍ଲେକ୍ସକୁ ଦିଆଗଲେ ଏକା ସ୍ଥାନରେ କ୍ରୀଡା ହବ୍ ହୋଇ ପାରିବ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ବରିଷ୍ଠ କ୍ରୀଡାବିତ୍ ।