ଭୁବେନେଶ୍ବର: ଫେବ୍ରୁଆରି ୧୪ ତାରିଖକୁ ବିଶ୍ବବ୍ୟାପୀ ପ୍ରେମ ଦିବସ (ଭାଲେଣ୍ଟାଇନ୍ସ ଡେ’) ଭାବେ ପାଳନ କରାଯାଉଥିବା ବେଳେ ଭାରତୀୟ କ୍ରୀଡ଼ା ଦୁନିଆ ବି ଏହାକୁ ନେଇ ବେଶ ଉତ୍ସୁକତା ଦେଖାଇଛି। ଭାରତ ଏବଂ ଓଡ଼ିଶାରେ ଏଭଳି ଏକାଧିକ କ୍ରୀଡ଼ା ଦମ୍ପତି ରହିଛନ୍ତି ଯେଉଁମାନେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବା ପରେ ସାଂସାରିକ ବଂଧନରେ ଆବଦ୍ଧ ହୋଇଛନ୍ତି। ଭାରତୀୟ କ୍ରୀଡ଼ାରେ କିନ୍ତୁ ଏଭଳି ପରମ୍ପରା ଯେ ବହୁ ପୁରୁଣା ଏହାର ଏକ ଉଦାହରଣକୁ ଆମେ ଆଜି ମନେ ପକାଇ ଦେବାକୁ ଚାହୁଁଛୁ। ଭାରତର କ୍ରୀଡ଼ା ଦମ୍ପତିଙ୍କ ମଧ୍ୟରେ ଫ୍ଲାଇଙ୍ଗ ଶିଖ୍ ତଥା ଖ୍ୟାତନାମା ଧାବକ ମିଲ୍ଖା ସିଂହ ଏବଂ ପତ୍ନୀ ନିର୍ମଳା ସିଂହଙ୍କୁ ଆମେ ଶ୍ରେଷ୍ଠ ଉଦାହରଣ ଭାବେ ନେଇଛୁ। ଭାରତ ପାଇଁ ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଥିବା ମିଲ୍ଖା ବିବାହ କରିଥିଲେ ଭାରତୀୟ ମହିଳା ଭଲିବଲ୍ ଦଳର ଅଧିନାୟିକା ନିର୍ମଳା କୌରଙ୍କୁ। ନିର୍ମଳା ମଧ୍ୟ ପଞ୍ଜାବର କ୍ରୀଡ଼ା ନିର୍ଦେଶକ ଭାବେ କାମ କରିଥିଲେ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ମିଲ୍ଖାଙ୍କ ଜୀବନରେ ଏତେ ପ୍ରେରଣା ଭରି ରହିଥିଲା ଯେ ୨୦୧୩ ମସିହାରେ ଫରହାନ୍ ଅଖତରଙ୍କ ଅଭିନୀତ ବଲିଉଡ୍ ଚଳଚ୍ଚିତ୍ର ‘ଭାଗ୍ ମିଲ୍ଖା ଭାଗ୍’ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ଉଭୟ ମିଲଖା ଏବଂ ନିର୍ମଳାଙ୍କ ପ୍ରଥମ ଦେଖା ହୁଏ ୧୯୫୫ ମସିହାରେ ସିଲନ୍ରେ। କିଛି ବର୍ଷର ପ୍ରେମ ସମ୍ପର୍କ ପରେ ୧୯୬୨ ମସିହାରେ ବିବାହ କରିଥିଲେ। ଉଭୟଙ୍କ ଔରସରୁ ୩ କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଥିଲେ। ସେମାନେ ମଧ୍ୟ ଏକ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏକମାତ୍ର ଜନ୍ମିତ ପୁତ୍ର ଜିଭ୍ ମିଲ୍ଖା ସିଂହ ଗଲ୍ଫ ଖେଳି ଦେଶ ପାଇଁ ମଧ୍ୟ ଅନେକ ଖ୍ୟାତି ଆଣିଛନ୍ତି। ୬୫ ବର୍ଷ ଧରି ପରସ୍ପରକୁ ପ୍ରେମ କରି ଆସିଥିବା ଏହି କ୍ରୀଡ଼ା ଯୁଗଳବନ୍ଦୀଙ୍କୁ ‘ସମ୍ବାଦ’ ପକ୍ଷରୁ ଅନେକ ଅନେକ ଶୁଭକାମନା।
ପ୍ରେମ ଦିବସର କ୍ରୀଡ଼ା ଦମ୍ପତି
/sambad/media/post_attachments/wp-content/uploads/2020/02/f6h4fh7fs8h74fs87hsfh6f54hf654hf65shfshsssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)