କ୍ରୀଡ଼ା ବିଭାଗ ମାନିଲାନି କୋଭିଡ୍‌ କଟକଣା, ହକି ଖେଳାଳି ସଂକ୍ରମିତ

ଭୁବନେଶ୍ବର: କୋଭିଡ୍‌-୧୯ ମହାମାରୀକୁ ନେଇ ସାରା ଦେଶ ଓ ରାଜ୍ୟ ଯେତେବେଳେ ଲକ୍‌ଡାଉନ୍‌ ଭିତରେ ରହିଥିଲା ସେତେବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଅଧୀନରେ ଚାଲିଥିବା ସମସ୍ତ କ୍ରୀଡ଼ା ଛାତ୍ରାବାସକୁ ବନ୍ଦ କରିଦିଆଯାଇଥିଲା। ଅନ୍ତେବାସୀମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସରକାରଙ୍କ ଅଧୀନରେ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ନାଭାଲ ଟାଟା ହକି ଏକାଡେମି (ଏନଟିଏଚ୍‌ଏ)ର କନିଷ୍ଠ ଖେଳାଳିଙ୍କୁ ନେଇ ଜୁନ୍‌ ମାସ ଶେଷ ସପ୍ତାହରୁ ତାଲିମ ଆରମ୍ଭ କରାଯାଇଥିଲା। କୌଣସି ନିର୍ଧାରିତ ପ୍ରତିଯୋଗିତା ନଥିବା ସତ୍ତ୍ବେ ଏଭଳି ତାଲିମ ଆରମ୍ଭ କରିବାର ଉଦ୍ଦେଶ୍ୟ ବି ଏ ପର୍ଯ୍ୟନ୍ତ ଅବୁଝା ରହିଛି। କୋଭିଡ୍‌-୧୯ ନିୟମାବଳୀକୁ ମାନି ସମସ୍ତ ତାଲିମ ହେଉଛି ବୋଲି ସରକାର ମଧ୍ୟ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଥିଲେ। କିଛି ଅଧିକାରୀଙ୍କ ବ୍ୟକ୍ତିଗତ ସ୍ବାର୍ଥ ଓ ଅହଂକାର ପାଇଁ ଏହି ତାଲିମ ଆରମ୍ଭ କରାଯାଇଥିବା କଥା ଏବେ ପଦାକୁ ଆସିଛି। ଖେଳାଳିମାନେ ରହିବା ଏବଂ ତାଲିମ ନେବା ସମୟରେ ଶତ ପ୍ରତିଶତ କୋଭିଡ୍‌ କଟକଣାକୁ ନ ମାନିବା ଫଳରେ ଏବେ ସେମାନଙ୍କ ମଧ୍ୟରୁ ୧୬ ଜଣ ବାଳିକା (୧୮ ବର୍ଷରୁ କମ୍‌) କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସରକାର ନିଜ କ୍ରୀଡ଼ା ଛାତ୍ରାବାସର ପିଲାଙ୍କୁ ଅଭ୍ୟାସରୁ ଦୂରେଇ ରଖିଥିଲେ ମଧ୍ୟ ଏଠାରେ ଥିବା ଖେଳାଳିଙ୍କୁ ନେଇ ପ୍ରତି ସଂଧ୍ୟାରେ କାହିଁକି ତାଲିମ ପ୍ରଦାନ କରୁଥିଲେ ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ।

ପଜିଟିଭ୍‌ ଆସିଥିବା ଖେଳାଳିମାନଙ୍କ ସମ୍ପର୍କରେ ତଥ୍ୟ ଲୁଚାଯିବା ସନ୍ଦେହକୁ ବଢ଼ାଇ ଦେଉଛି। କେତେଜଣ ପଜିଟିଭ୍ ଆସିଛନ୍ତି, କେଉଁଠି ଓ କିଭଳି ଅଛନ୍ତି କୁହାଯାଉନାହିଁ। ଏ ସମ୍ପର୍କରେ ଏନଟିଏଚ୍‌ଏର ପ୍ରକଳ୍ପ ନିର୍ଦେଶକ ରାଜୀବ ସେଠଙ୍କୁ ‘ସମ୍ବାଦ’ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ସେ କିଛି ଖେଳାଳିଙ୍କ ପଜିଟିଭ୍ ଖବର ଆସିଥିବା ସ୍ବୀକାର କରିଥ‌ିଲେ ମଧ୍ୟ ନିର୍ଦ୍ଧିଷ୍ଟ ସଂଖ୍ୟା ପଚରାଯିବାରୁ ‘ଓଡ଼ିଶା ସରକାର’ଙ୍କ ସହ ଯୋଗାଯୋଗ କରିବାକୁ କହି ଏଡ଼ାଇ ଯାଇଥିଲେ। ତେବେ ସେମାନଙ୍କ ନିକଟରେ‌ କୌଣସି ଲକ୍ଷଣ ନାହିଁ ଏବଂ ସଂଗରୋଧ ସମୟ ସରି ଆସିଲାଣି ବୋଲି ଶ୍ରୀ ସେଠ୍‌ ପ୍ରକାଶ କରିଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ରଂଜିତ ପରିଡ଼ାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ ମଧ୍ୟ ସମାନ କଥା କହିଥିଲେ। କେତେଜଣ ଓ କେଉଁଠି ଖେଳାଳିମାନେ ଚିକିତ୍ସିତ ହେଉଛନ୍ତି ସେ ସମ୍ପର୍କରେ ଖବର ନଥିବାରୁ ନାଭାଲ ଟାଟା ଏକଡେମି ସହ ଯୋଗାଯୋଗ କରିବାକୁ ଶ୍ରୀ ପରିଡ଼ା ପରାମର୍ଶ ଦେଇଥିଲେ। ଏଥିରୁ ପ୍ରତୀୟମାନ ‌ହୋଇଥିଲା ଯେଉଁ ଉଦୀୟମାନ ପ୍ରତିଭାଙ୍କ ଖେଳ ଜୀବନ ଗଢ଼ିବାକୁ ଏତେ ବ୍ୟବସ୍ଥା ସେମାନଙ୍କ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଦରଦ କେତେ। ‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ତାଲିମ ନେଉଥିବା ୨୮ ଜଣଙ୍କ ମଧ୍ୟରୁ ୧୬ ଜଣ ବାଳିକା ଗତ ସପ୍ତାହରେ କରୋନା ପଜିଟିଭ ଆସିବା ପରେ ସେମାନଙ୍କୁ ସିଏସୱାଇଡି ନିକଟସ୍ଥ ସିଡ୍‌ବି ଅସ୍ଥାୟୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସହ କାହାରିକୁ ଯୋଗାଯୋଗ କରିବାର ସୁଯୋଗ ଦିଆଯାଉନଥିଲା। ଏଭଳି ସ୍ପର୍ଶକାତର ବିଷୟକୁ ଗୋପନ ରଖିବା ଲାଗି ବିଭାଗୀୟ କର୍ମଚାରୀଙ୍କ ଆଗ୍ରହ ସବୁଠାରୁ ଚିନ୍ତାଜନକ। ଭବିଷ୍ୟତ ତାରକା ଖେଳାଳିଙ୍କ ଜୀବନ ସହ ଖେଳିବାରେ ସରକାର ଓ ଏକାଡେମିର ଭୂମିକା ସନ୍ଦେହ ଘେରକୁ ଆସିବା ସ୍ବାଭାବିକ। କେବଳ ହକି ନୁହେଁ ଦୌଡ଼କୁଦରେ ଉତ୍କର୍ଷ ଆଣିବା ଲାଗି ରିଲାଏନ୍ସ ଫାଉଣ୍ଡେସନ୍‌ ପ୍ରାୟୋଜିତ ଦୌଡ଼କୁଦ ଏଚ୍‌ପିସି (ହାଇ ପରଫର୍ମାନ୍ସ ସେଣ୍ଟର୍‌)ର କିଛି ଖେଳାଳି ମଧ୍ୟ କରୋନା ପଭିଟିଭ ଆସିଥିବାର ସୂଚନା ମିଳିଛି। ଏଥି ସହିତ ନିକଟରେ ୨ ବ‌ର୍ଷ ପାଳନ କରିଥିବା କଳିଙ୍ଗ ହକି ଷ୍ଟାଡିୟମ୍‌ର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଏକ ଘରୋଇ ସଂସ୍ଥାର କିଛି ସଫେଇ କର୍ମଚାରୀ ମଧ୍ୟ ପଜିଟିଭ୍ ଆସିଛନ୍ତି।

ସମ୍ବନ୍ଧିତ ଖବର