ନୂଆଦିଲ୍ଲୀ: ‘‘ବିଶ୍ବକୁ ବଦଳାଇବାର ଶକ୍ତି କ୍ରୀଡ଼ାର ଅଛି।’’ ଏକଦା ଏଭଳି ମନ୍ତବ୍ୟ ଦେଇଥିଲେ ‌ନୋବେଲ ପୁରସ୍କାର ବିଜେତା ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲ୍‌ସନ୍‌ ମାଣ୍ଡେଲା। ମା‌ଣ୍ଡେଲାଙ୍କ ସେହି ଶିକ୍ଷଣୀୟ ମନ୍ତବ୍ୟକୁ ଊଦ୍ଧୃତ କରି ବିଶ୍ବ ଭାତୃତ୍ବର ବାର୍ତ୍ତା ଦେଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେହିଭଳି ସମାଜରେ ଥିବା ଭେଦଭାବ, ଶୋଷଣ ଓ ଅସମାନତା ଦୂର କରିବାକୁ ସଚିନ ଆହ୍ବାନ କରିଛନ୍ତି। ସଚିନ ମଧ୍ୟ କ୍ରିକେଟ୍ କିଭଳି ଏସବୁ କୁଭାବନାଠାରୁ ବହୁ ଦୂରରେ ରହିଛି, ତାହା ଦର୍ଶାଇବାକୁ ଯାଇ ବିବିଧତା ଉପରେ ଆଇସିସି ପ୍ରକାଶ କରିଥିବା ଏକ ଭିଡିଓକୁ ଶନିବାର ସେୟାର କରିଛନ୍ତି। କୃଷ୍ଣକାୟଙ୍କ ଜୀବନ ଜୀବିକା ପ୍ରସଙ୍ଗର ବିରୋଧାଭାସକୁ ନେଇ ସଚିନ୍‌ ଏହାକୁ ପୋଷ୍ଟ କରିଛନ୍ତି। କୃଷ୍ଣକାୟଙ୍କ ଜୀବନ ଜୀବିକାକୁ ନେଇ ସଂପ୍ରତି ଆମେରିକାରେ ଝଡ଼ ସୃଷ୍ଟି ହୋଇଛି। ଏକ ସାମାନ୍ୟ କଥା ପାଇଁ ସେଠାକାର ଜଣେ ଗୋରା ପୁଲିସ ଅଧିକାରୀ (ଡେରେକ୍‌ ଚୌଭିନ୍‌) ତାଙ୍କ ଆଣ୍ଠୁରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲୟଡଙ୍କ ବେକକୁ ଢେର କିଛି ମିନିଟ୍ ପାଇଁ ଚାପି ରଖିଥିଲେ ଏବଂ ଫ୍ଲୟଡଙ୍କର ଏଥିରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଆମେରିକା ସହ ସମଗ୍ର ବିଶ୍ବରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ହେଉଛି।

Advertisment

ରାହାଣେଙ୍କୁ ଜନ୍ମଦିନ ଶୁଭେଚ୍ଛା
ମୁମ୍ବାଇ: ଆଜି ଥିଲା ଭାରତୀୟ ଟେଷ୍ଟ୍‌ ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଜନ୍ମଦିନ। ଶନିବାର ରାହାଣେ ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ଏଭଳି ଦିନରେ ରାହାଣେଙ୍କୁ ସାଥୀ ଖେଳାଳିମାନେ ସେମାନଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି ଆଗରେ ରହିଛନ୍ତି। ‌ଏହି ବର୍ଷ ତୁମ ପାଇଁ ସ୍ମରଣୀୟ ହେଉ ବୋଲି କୋହଲି କହିଛନ୍ତି। କୋହଲିଙ୍କ ସାଙ୍ଗକୁ ସୀମିତ ଓଭର ଦଳର ଉପଅଧିନାୟକ ଏବଂ ରାହାଣେଙ୍କ ମୁମ୍ବାଇ ସାଥୀ ରୋହିତ ଶର୍ମା, ପୁରୁଖା ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ଶୁଭକାମନା ଜଣାଇଛନ୍ତି। ଆଜିର ଦିନ ତୁମ ଓ ତୁମ ପରିବାର ପାଇଁ ଖୁସୀ ଆଣିଦେଉ ବୋଲି ରୋହିତ କହିଥିଲା ବେଳେ ସ୍ଲିପ୍‌ରେ ତୁମ କ୍ୟାଚ୍‌ ଧରିବା ଦେଖିବାକୁ ଆଉ ଅପେକ୍ଷା କରିପାରିବିନି ବୋଲି କହିଛନ୍ତି ଅଶ୍ବିନ୍‌। ସେହିପରି ତୁମ ପାଇଁ ଚଳିତ ବର୍ଷ ଯଥେଷ୍ଟ ସଫଳତା ଓ ସୁଖ ଆଣିଦେଉ ବୋଲି କହିଛନ୍ତି ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ ଚେତେଶ୍ବର ପୂଜାରା। ୱିକେଟ୍‌ରକ୍ଷକ ରିଦ୍ଧିମାନ ଶାହା ଏବଂ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ରାହାଣେଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ରାହାଣେଙ୍କୁ ଜନ୍ମଦିନ ଶୁଭଚ୍ଛୋ ଜଣାଇ ବ୍ୟାଟିଂ କିଂବଦନ୍ତି ସଚିନ ‌ତେନ୍ଦୁଲକର ଲେଖିଥିଲେ ‘ଜନ୍ମଦିନର ଶୁଭକାମନା ଜିଙ୍କ୍‌ସ, ଆଶା କରୁଛି ଆରୢା ଓ ରାଧିକା ତୁମକୁ ଘର ଭିତରେ ଭଲରେ ରଖିଥିବେ, ଦିନଟି ଭଲରେ ବିତୁ’।

କୃଷ୍ଣକାୟମାନେ ଦୈନିକ ବର୍ଣ୍ଣବୈଷମ୍ୟର ଶିକାର ହେଉଛନ୍ତି। ଏହି ଭେଦଭାବ ଦୂର କରିବାର ସମୟ ଆସି ଯାଇଛି। କୃଷ୍ଣକାୟମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି ବୋଲି ଦାବିକରି ‘ବ୍ଲାକ୍ ଲାଭ୍ସ ମ୍ୟାଟର’ ନାମକ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାକୁ ପରୋକ୍ଷ ସମର୍ଥନ ଦେଇ ୨୦୧୯ ପୁରୁଷ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ବେଳେ ଆଇସିସି ପ୍ରକାଶ କରିଥିବା ଏକ ଛୋଟିଆ ଭିଡିଓକୁ ଟ୍ବିଟ୍ କରିଛନ୍ତି ସଚିନ। ଭିଡିଓଟି ତଳେ ‘‘ବିନା ବିବିଧତାରେ କ୍ରିକେଟ୍‌ର ମାନେ କିଛି ନଥାଏ। ବିନା ବିବିଧତାରେ ତୁମେ ମଧ୍ୟ ପୂରା ଚିତ୍ର ପା‌ଇପାରିବନି’’ ବୋଲି ଆଇସିସି ଲେଖିଥିବା ଦେଖିବାକୁ ମିଳୁଛି। ଆଇସିସିର ସେହି ଭିଡିଓରେ ଦେଖାଯାଉଛି ଯେ ଇଂଲଣ୍ଡର କୃଷ୍ଣକାୟ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଫାଇନାଲ୍‌ର ଶେଷ ବଲ୍‌ ବୋଲିଂ କରିବାକୁ ଆସୁଛନ୍ତି। ଆଉ ସେହି ବଲ୍‌ ପରେ ପରେ ଇଂଲଣ୍ଡକୁ ମିଳିଯାଇଛି ପ୍ରଥମ ଥର ବିଶ୍ବକପ୍‌ ଟ୍ରଫି। ଆର୍ଚର ହେଉଛନ୍ତି ବାର୍ବାଡସ୍‌ ଜନ୍ମିତ, ଯିଏକି ୨୦୧୯ ମେ’ ମାସରେ ପଦାର୍ପଣ କରିଥିଲେ। ସେହିବର୍ଷ ସେ ମଧ୍ୟ ଇଂଲଣ୍ଡ ବିଶ୍ବକପ୍‌ ଦଳରେ ସାମିଲ ହୋଇଥିଲେ। ସେହି ବିଶ୍ବକପ୍‌ରେ ଆର୍ଚର ତାଙ୍କ ବୋଲିଂ ଗତି ବଳରେ ସାରା ବିଶ୍ବକୁ ପ୍ରଭାବିତ କରିଥିଲେ। ଏପରିକି ଆସେସ୍‌ରେ ମଧ୍ୟ ପ୍ରଭାବ ପକାଇଥିଲେ। ମାଣ୍ଡେଲା ଥରେ କହିଥିଲେ, ବିଶ୍ବକୁ ବଦଳାଇବାର ଶକ୍ତି କ୍ରୀଡ଼ାର ରହିଛି। କ୍ରୀଡ଼ା ତା’ର ଶକ୍ତି ବଳରେ ବିଶ୍ବକୁ ଏକାଠି କରିପାରିବ। ଏହା ହେଉଛି ବିଜ୍ଞତାର ଶବ୍ଦ ବୋଲି ସଚିନ୍‌ ଟ୍ବିଟ୍‌ କରିଛନ୍ତି। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ଡାରେନ୍‌ ସାମି ମଧ୍ୟ ସାମାଜିକ ଅନ୍ୟାୟ ଏବଂ ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼େଇକୁ ସମର୍ଥନ ଯୋଗାଇଦେବାକୁ ଆଇସିସି ସହିତ ଅନ୍ୟାନ୍ୟ କ୍ରିକେଟ୍‌ ବୋର୍ଡମାନଙ୍କୁ ନିବେଦନ କରିଥିଲେ। ଏବେ ସୁଦ୍ଧା କ୍ରିକେଟ୍‌ ବିଶ୍ବ ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ଛିଡ଼ା ହେଉଛି ବୋଲି ସଚିନ୍‌ କହିଛନ୍ତି।