ଟୋକିଓ ପାରା ଅଲିମ୍ପିକ୍ସ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ :  ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ୫ଟି ସ୍ବର୍ଣ୍ଣ ଏବଂ ୮ଟି ରୌପ୍ୟ ପଦକ ସହିତ ମୋଟ ୧୯ଟି ପଦକ ଜିତିଥିବା ଭାରତୀୟ ପାରା ଆଥଲେଟମାନଙ୍କୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ  ଅନୁରାଗ ଠାକୁର ସମ୍ବର୍ଦ୍ଧିତ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ  କିରେନ ରିଜିଜୁ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ  ନିଶିଥ ପ୍ରାମାଣିକ ଉପସ୍ଥିତ ରହିଥିଲେ। କ୍ରୀଡ଼ା ବିଭାଗ ସଚିବ ରବି ମିତ୍ତଲ, ଯୁବ ବ୍ୟାପାର ବିଭାଗ ସଚିବ  ଉଷା ଶର୍ମାଙ୍କ ସମେତ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ଠାକୁର ଚମତ୍କାର ପ୍ରଦର୍ଶନ ପାଇଁ ସମସ୍ତ ପାରା ଆଥଲେଟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ୨୦୧୬ ପାରା ଅଲିମ୍ପିକ୍ସ କଥା ସ୍ମରଣ କରି ଶ୍ରୀ ଠାକୁର କହିଥିଲେ ଯେ ସେତେବେଳେ ଭାରତୀୟ ଖେଳାଳୀଙ୍କ ସଂଖ୍ୟା ୧୯ ଥିଲା। ଚଳିତ ବର୍ଷ ଦେଶ ୧୯ଟି ପଦକ ଜିତିଛି। ଆମର ପଦକ ସଂଖ୍ୟା ପାଞ୍ଚଗୁଣା ବୃଦ୍ଧି ପାଇଛି। ପ୍ରଥମ ଥର ପାଇଁ ଆମେ ଟେବୁଲ ଟେନିସରେ ପଦକ ଜିତିଛୁ। ତୀରନ୍ଦାଜୀରେ ଏକାଧିକ ପଦକ ଜିଣିପାରିଛୁ। ଭାରୋତ୍ତୋଳନ ଏବଂ କ୍ୟାନୋଇଂରେ ଅଂଶଗ୍ରହଣ କରିପାରିଛୁ।

ଶ୍ରୀ ଠାକୁର କହିଥିଲେ, ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କ୍ରୀଡ଼ାବିତମାନଙ୍କୁ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି। ଅନ୍ତର୍ଜାତୀୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପାରା ଅଲିମ୍ପିଆନମାନଙ୍କୁ ଭାରତ ସରକାର ସୁବିଧା ଓ ପାଣ୍ଠି ଯୋଗାଣ ଜାରି ରଖିବେ। ସେମାନଙ୍କୁ ନିୟମିତ ପ୍ରତିଯୋଗିତା ଏବଂ କୌଶଳ ବିକାଶର ସୁବିଧା ଦେବା ଲାଗି ଆମେ ପାରା ଅଲିମ୍ପିଆନମାନଙ୍କ ପାଇଁ ଅଧିକ ଆଞ୍ଚଳିକ ଏବଂ ଜାତୀୟ ଟୁର୍ଣ୍ଣାମେଣ୍ଟକୁ ପ୍ରୋତ୍ସାହିତ କରିବୁ। ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ସରେ ଅଧିକ ପଦକ ଆଣିବା ପାଇଁ ସରକାର ଟାର୍ଗେଟ ଅଲିମ୍ପିକ ପୋଡ଼ିୟମ ଯୋଜନାକୁ ଜାରି ରଖିବେ ଏବଂ ଏଥିପାଇଁ ପାଣ୍ଠି ତଥା ଆନୁସଙ୍ଗିକ ସୁବିଧା ଯୋଗାଇ ଦେବେ ବୋଲି ଶ୍ରୀ ଠାକୁର କହିଥିଲେ। ସମାବେଶୀ ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ଲାଗି ଆମ ପ୍ରତିବଦ୍ଧତାର ଏହା ଏକ ଅଂଶବିଶେଷ ବୋଲି ସେ କହିଥିଲେ।

ଶ୍ରୀ ଠାକୁର ଆହୁରି କହିଥିଲେ ଯେ ଆମ କ୍ରୀଡ଼ାବିତମାନଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁ ପାରା-କ୍ରୀଡ଼ା କ୍ଷେତ୍ରରେ ଦେଶର ମନୋଭାବରେ ଯଥେଷ୍ଟ ପରିବର୍ତ୍ତନ ଆଣିଛି। ସରକାର ଖେଳାଳୀମାନଙ୍କୁ ବିଶ୍ବସ୍ତରୀୟ ସୁବିଧା ଯୋଗାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜେ କ୍ରୀଡ଼ାବିତମାନଙ୍କ ସହିତ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଛନ୍ତି। ଏହାଦ୍ବାରା ଖେଳାଳୀମାନେ ଅନୁପ୍ରାଣିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ବିଗତ ଆଲୋଚନାରେ ପାରା-କ୍ରୀଡ଼ାବିତ ଏବଂ ସେମାନଙ୍କ ପରିବାର ସହିତ ପାଖାପାଖି ଦୁଇ ଘଣ୍ଟା ବିତାଇଥିଲେ। ବ୍ୟକ୍ତିବିଶେଷ ହୁଅନ୍ତୁ ଅବା କର୍ପୋରେଟ, କ୍ରୀଡ଼ା ସଂଗଠନ କିମ୍ବା ଅନ୍ୟ କୌଣସି ସଂଗଠନ ଏହା ସମାଜର ପ୍ରତ୍ୟେକ କ୍ଷେତ୍ର ଉପରେ ପ୍ରଭାବ ପକାଇଛି ବୋଲି ଶ୍ରୀ ଠାକୁର କହିଥିଲେ।

କାର୍ଯ୍ୟକ୍ରମରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ରିଜିଜୁ ସମସ୍ତ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନେ ଦେଶକୁ ଗୌରବାନ୍ବିତ କରିଥିବା କହିଥିଲେ। ଦେଶରେ କ୍ରୀଡ଼ା ସଂସ୍କୃତିର ବିକାଶ ହୋଇଥିବାରୁ ଖେଳାଳୀମାନଙ୍କୁ ନାୟକ ଭାବେ ସମ୍ମାନ ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶରେ ଏପରି ଯୁଗାନ୍ତକାରୀ ପରିବର୍ତ୍ତନ ଆସିଥିବାରୁ ଦେଶରେ କ୍ରୀଡ଼ା ସଂସ୍କୃତିର ବ୍ୟାପକ ବିକାଶ ହୋଇପାରିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରମାଣିକ କହିଥିଲେ ଯେ ସରକାରୀ ସହାୟତା ଯୋଗୁ ସେମାନେ ଅନୁପ୍ରାଣିତ ହୋଇଥିବା ଅଧିକାଂଶ ପାରା ଆଥଲେଟ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଭିଡିଓ କଲ ସହିତ ଫୋନ କରି ପ୍ରତ୍ୟେକ ପଦକ ବିଜେତା ପାରା ଆଥଲେଟଙ୍କ ସହ କଥା ହେବା ସେମାନଙ୍କୁ ଅନୁପ୍ରାଣିତ କରିଛି।

ସମାବେଶୀ ସମାଜ ଗଠନ ପାଇଁ ଦିବ୍ୟାଙ୍ଗ କ୍ରୀଡ଼ାବିତମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଭାରତୀୟ ପାରା ଅଲିମ୍ପିକ କମିଟି ଅଧ୍ୟକ୍ଷା ସୁଶ୍ରୀ ଦୀପା ମଲିକ ପ୍ରଶଂସା କରିଥିଲେ।

ପାରା ଅଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ଜିତିବା ସହିତ ୧୬୨ଟି ଦେଶ ମଧ୍ୟରେ ପଦକ ତାଲିକାର ୨୪ତମ ସ୍ଥାନରେ ରହିଥିଲା ଏବଂ ପଦକ ବିଜୟ ଆଧାରରେ ୨୦ତମ ରେଙ୍କ ହାସଲ କରିଥିଲା। ୧୯୬୮ରେ ଭାରତ ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲା। ୨୦୧୬ ପର୍ଯ୍ୟନ୍ତ ଭାରତ ମାତ୍ର ୧୨ଟି ପଦକ ଜିତିପାରିଥିଲା।

ସମ୍ବନ୍ଧିତ ଖବର