ବେଙ୍ଗଲ ରଣଜୀ ଟ୍ରଫି ଦଳରେ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ

କୋଲ୍‌କାତା: ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ ବେଙ୍ଗଲର ୨୧ ଜଣିଆ ରଣଜୀ ଟ୍ରଫି ଦଳରେ ସାମିଲ ହୋଇଛନ୍ତି। ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ ପାଇଁ ପ୍ରାୟ ବର୍ଷକ ତଳେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଏହି ପୁରୁଖା ବ୍ୟାଟର୍‌ ତଥା ପୂର୍ବତନ ଅଧିନାୟକ ଏବେ ମମତା‌ ବାନାର୍ଜୀଙ୍କ ସରକାରରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରହିଛନ୍ତି। ରାଜ୍ୟ ରଣଜୀ ଟ୍ରଫି ଦଳରେ ସ୍ଥାନ ପାଇଥିବାରୁ ୩୬ ବର୍ଷ ବୟସ୍କ ମନୋଜ ତିୱାରୀ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୭ତମ ବର୍ଷ ଖେଳ ଜୀବନକୁ ଆଗେଇନେବେ। ଶେଷ ଥର ପାଇଁ ବେଙ୍ଗଲ ପକ୍ଷରୁ ମାର୍ଚ୍ଚ ୨୦୨୦ରେ ସୌରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିଥିବା ତିୱାରୀ ସେହିବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ତୃଣମୂଳ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ସେ ଶିବପୁର ନିର୍ବାଚନମଣ୍ଡଳୀରୁ ଲଢ଼ି ବିଜେପି ପ୍ରାର୍ଥୀ ରଥିନ ଚକ୍ରବର୍ତୀଙ୍କୁ ପରାସ୍ତ କରିଥିଲେ। କୋଭିଡ୍‌ ବାଧାପ୍ରାପ୍ତ ଗତ ଋତୁରେ ଆହତ ଯୋଗୁଁ ରଣଜୀ ଖେଳିବାରୁ ବଞ୍ଚିତ ହୋଇଥିବା ତିୱାରୀ ଏଥର ଅଭିମନ୍ୟୁ ଈଶ୍ବରନ୍‌ଙ୍କ ନେତୃତ୍ବାଧୀନ ବେଙ୍ଗଲ ଦଳକୁ ଫେରିଛନ୍ତି। ବେଙ୍ଗଲ ଗ୍ରୁପ୍‌-ବିରେ ସ୍ଥାନ ପାଇଥିଲା ବେଳେ ବିଦର୍ଭ, ରାଜସ୍ଥାନ, କେରଳ, ହରିୟାଣା ଏବଂ ତ୍ରିପୁରା ସହ ପ୍ରତିଦ୍ବନ୍ଦ୍ବିତା କରିବ। ଆସନ୍ତା ୧୩ ତାରିଖରେ ତ୍ରିପୁରା ସହ ଖେଳି ବେଙ୍ଗଲ ତା’ର ରଣଜୀ ଅଭିଯାନ ଆରମ୍ଭ କରିବ।

ଦଳ: ଅଭିମନ୍ୟୁ ଈଶ୍ବରନ୍‌ (ଅଧିନାୟକ), ମନୋଜ ତିୱାରୀ, ସୁଦୀପ ଚାଟାର୍ଜୀ, ଅନସ୍ତୁପ ମଜୁମଦାର, ଅଭିଷେକ ରମଣ, ସୁଦୀପ ଘରାମୀ, ଅଭିଷେକ ଦାସ, ଋତିକ୍‌ ଚାଟାର୍ଜୀ, ଋତିକ୍‌ ରୟଚୌଧୁରୀ, ଅଭିଷେକ ପୋରେଲ, ସାହବାଜ୍‌ ଅହମ୍ମଦ, ସାୟନଶେଖର ମଣ୍ଡଳ, ଆକାଶ ଦୀପ୍‌, ଈଶାନ ପୋରେଲ, ମୁକେଶ କୁମାର, କାଜି ଜୁନେଦ୍‌ ସୈଫି, ସାକିର ହବିବ୍‌ ଗାନ୍ଧୀ, ପ୍ରଦୀପ୍ତ ପ୍ରମାଣିକ, ଗୀତ୍‌ ପୁରୀ, ନିଳକଣ୍ଠ ଦାସ, କରଣ ଲାଲ୍‌।

ସମ୍ବନ୍ଧିତ ଖବର