କ୍ରୀଡ଼ା ମନ୍ତ୍ରୀଙ୍କ ସମୀକ୍ଷା: ତିନିଟି କ୍ରୀଡ଼ା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର: ଇଲେକଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ରାଜ୍ୟରେ ଚାଲିଥିବା‌ ବିଭିନ୍ନ କ୍ରୀଡ଼ା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ୫-ଟି’ର ଅନୁପାଳନ, ନୂଆକରି ଅନ୍ତର୍ଭୁକ୍ତ ହୋଇଥିବା ‘ମୋ ସରକାର’ ଯୋଜନାରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ପ ପଦକ୍ଷେପ ଉପରେ ମନ୍ତ୍ରୀ ଅଧିକାରଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ନୂଆ କ୍ରୀଡ଼ାନୀତି, ଖେଳାଳିଙ୍କ ପ୍ରୋଫାଇଲ, ୱେଟେଜ୍ ପ୍ରମାଣପତ୍ର, କ୍ରୀଡ଼ାବିତ୍‌ଙ୍କ ପରିଚୟ ପତ୍ର ଓ ସେମାନଙ୍କର ପେନସନ୍ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ସେହିଭଳି ପିଲାଙ୍କ ତାଲିମ କାର୍ଯ୍ୟକ୍ରମ, କ୍ରୀଡ଼ାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବା, ଜିସିପିଇ କଲେଜର ନୂତନ କ୍ୟାମ୍ପସ୍ ନିର୍ମାଣ, ପ୍ରତିଷ୍ଠା ହୋଇଥିବା ହାଇପର୍ଫମାନ୍ସ ସେଣ୍ଟରର କାର୍ଯ୍ୟକାରିତା, ବିଭିନ୍ନ ଜିଲ୍ଲା ଓ ପୌରପାଳିକାରେ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମର ପରିଚାଳନା ଓ ଖେଳାଳିଙ୍କ ଉନ୍ନତ ପ୍ରଶିକ୍ଷଣ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ କ୍ରୀଡ଼ା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ରାଇରକେଲାରେ ଏହାର ନିର୍ମାଣ ଲାଗି ଜାଗା ଚିହ୍ନଟ ସରିଥିବା ଏହି ଅବସରରେ ଅଧିକାରୀମାନେ ସୂଚନା ଦେଇଥିଲେ। କଳିଙ୍ଗ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ସିଟି, ଆଞ୍ଚଳିକ ଜିଲ୍ଲା ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୭ ସିନ୍ଥେଟିକ୍ ଟର୍ଫ ବିଛାଇବା କାର୍ଯ୍ୟ ସହ କ୍ରୀଡ଼ା ଛାତ୍ରାବାସର ଆଧୁନିକୀକରଣ କାର୍ଯ୍ୟ ଉପରେ ମନ୍ତ୍ରୀ ଅଲୋଚନା କରିବା ସହ ନିର୍ଧାରିତ ସମୟ ଭିତରେ ଏହାକୁ ‌ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି ବୈଠକରେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ମନୋଜ ପାଢ଼ୀ, ଉପଶାସନ ସଚିବ ରଞ୍ଜିତ ପରିଡ଼ା, ଅଶ୍ବିନୀ ମେହେର ଓ ଅଶୋକ କୁମାର ବେହୁରିଆ ପ୍ରମୁଖ ଯୋଗ ଦେଇଥିଲେ। ମନ୍ତ୍ରୀ ମଧ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର