ହାତ ନମିଳାଇବାକୁ ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭୟାବହତା ଦିନକୁ ଦିନ ବଢ଼ି ଚାଲିଥିଲା ବେଳେ ଏଥିରୁ ବର୍ତିବା ପାଇଁ ସାଧାରଣ ଲୋକଙ୍କ ସହ ହାତ ନମିଳାଇବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଦେଶର କ୍ରୀଡ଼ାବିତ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଆମର ସମସ୍ତ କ୍ରୀଡ଼ାବିତ୍‌ ଓ ସାଧାରଣ ଜନତାଙ୍କୁ ଆହ୍ବାନ କରୁଛି, ସେମାନେ ଭିଡ଼ ଓ ଜନଗହଳି ସ୍ଥାନକୁ ଯିବା ବେଳେ ଅଧିକ ଯତ୍ନବାନ ହୁଅନ୍ତୁ। କିଛି ସମୟ ପାଇଁ ହାତ ନମିଳାଇଲେ ବହୁତ ଭଲ। ଆମେ ଆମ ପାରମ୍ପରିକ ଉପାୟ ଯଥା ନମସ୍କାର, ସଲାମ, ଜୟ ହିନ୍ଦ ସହ ବିଭିନ୍ନ ସ୍ଥାନୀୟ ଶୈଳୀରେ ବନ୍ଧୁ, ପରିବାର ଓ ଗୁରୁଜନଙ୍କୁ ଅଭ୍ୟର୍ଥନା ଦେଇପାରିବା। ଭାରତରେ ଏ ପର୍ଯ୍ୟନ୍ତ ୩୦ କରୋନା ଭୂତାଣୁ ସଂକ୍ରମଣ ମାମଲା ପଦାକୁ ଆସି ସାରିଲାଣି। ଚୀନ୍‌ରେ ୯୦, ୦୦୦ ଲୋକ ଏଥିରେ ସଂକ୍ରମିତ ହୋଇଥିଲା ବେଳେ ୩,୦୦୦ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ଏଣୁ ଏହି ଭୂତାଣୁ ଯେମିତି ଭାରତରେ ଉଗ୍ରରୂପ ଗ୍ରହଣ ନକରୁ, ସେଥିପାଇଁ ପ୍ରତ୍ୟେକ ଭାରତୀୟ ‌ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଦରକାର ବୋଲି ରିଜିଜୁ କହିଛନ୍ତି।

ସମ୍ବନ୍ଧିତ ଖବର