ଗ୍ରାମାଞ୍ଚଳ କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ଆମର ଟାର୍ଗେଟ: କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ପାରମ୍ପାରିକ ଖେଳ ତଥା ଗ୍ରାମାଞ୍ଚଳର କ୍ରୀଡ଼ାକୁ ଗୁରୁତ୍ୱପ୍ରଦାନ ସହ ଅନ୍ୟ ଖେଳ ସହ ସମାନସ୍ତରକୁ ଆଣିବା ଟାର୍ଗେଟ ରଖାଯାଇଛି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା)ର ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା ଶନିବାର ଏହା କହିଛନ୍ତି। ଭାରତୀୟ ବକ୍ସିଂ ଦୁନିଆର ଅନ୍ୟତମ ସଫଳ କୋଚ୍‌ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜଭୂଷଣ ମହାନ୍ତି ଏବଂ ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ପୁରସ୍କାର ଦେବା ପୂର୍ବରୁ ମନ୍ତ୍ରୀ କହିଛନ୍ତି, ହକିର ଗଡ ‘ସୁନ୍ଦରଗଡ’ରେ ହକି ତାଲିମଙ୍କୁ ଅଧିକ ବ୍ୟାପ୍ତ କରିବା ପାଇଁ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ପଡିଆ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କର ଏହି ଯୋଜନାରୁ ସ୍ଥାନୀୟ ଖେଳାଳି ନିଜ ଅଞ୍ଚଳରେ ହିଁ ଅଭ୍ୟାସ କରିବାକୁ ସୁଯୋଗ ପାଇପାରିବେ। ସେହିପରି ୩୦ଟି ଜିଲା ମୁଖ୍ୟାଳୟର ଷ୍ଟାଡିୟମ ଗୁଡିକୁ ଉନ୍ନତ କରିବା ଏବଂ ଭୁବନେଶ୍ୱର ସହ ରାଜ୍ୟର ଅନ୍ୟ ୪ଟି ସହରରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ସମାରୋହରେ ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ବ୍ରଜଭୂଷଣକୁ ଜୀବନବ୍ୟାପୀ ସାଧନା ଏବଂ ଅମିତ ରୋହିଦାସଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଓସ୍‌ଜାର କାର୍ଯ୍ୟନିର୍ବାହୀ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା କ୍ରୀଡ଼ାର ଇତିହାସ ରଚନାକାରୀ ଖେଳାଳି ଦେବାଶିଷ ମହାନ୍ତି ଏବଂ ଇମ୍ଫାର କର୍ପୋରେଟ ଆଫାୟର୍ସ ମୁଖ୍ୟ ତଥା ଉପସଭାପତି ଅଶୋକ କୁମାର ବେହେରା ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ଖେଳର ପ୍ରସାରରେ କ୍ରୀଡ଼ା ସାମ୍ବାଦିକମାନଙ୍କର ଭୂମିକା

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ କହିଛନ୍ତି, ଖେଳର ପ୍ରସାରରେ କ୍ରୀଡ଼ା ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ନଭେମ୍ବର-ଡିସେମ୍ବରରେ ରାଜ୍ୟର କ୍ରୀଡ଼ା ଶିକ୍ଷକମାନଙ୍କ ଲାଗି ଏକ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ହୋଇଛି। ଦେବାଶିଷ ମହାନ୍ତି ଏବଂ ଅଶୋକ କୁମାର ବେହେରା ନିଜ ନିଜ ବକ୍ତବ୍ୟରେ କ୍ରୀଡ଼ାବିତଙ୍କ ଜୀବନରେ ପୁରସ୍କାର ମହତ୍ୱ ବିଷୟ ବତାଇବା ସାଙ୍ଗକୁ ଓସ୍‌ଜାର ପ୍ରୟାସକୁ ପ୍ରଶଂସା କରିଥିଲେ।

ପୁରସ୍କାର ଗ୍ରହଣ ପରେ ବ୍ରଜଭୂଷଣ-ଅମିତଙ୍କ ପ୍ରତିକ୍ରିୟା

ବକ୍ସିଂ ଗୁରୁ ବ୍ରଜଭୂଷଣ ପୁରସ୍କାର ଗ୍ରହଣ କରିବା ପରେ ଅତ୍ୟନ୍ତ ଆନନ୍ଦିତ ହୋଇ ନିଜ ମତ ରଖିଥିଲା ବେଳେ କିପରି ସାମ୍ବାଦିକମାନଙ୍କ ପ୍ରୟାସରୁ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବା ସମ୍ଭବ ହୋଇଥିଲା ତାହା କହିଥିଲେ। ସୁଯୋଗ ମିଳିଲେ ସେ ଓଡ଼ିଶାରେ ବକ୍ସିଂ ଏକାଡେମୀ ମାଧ୍ୟମରେ ଦେଶ ପାଇଁ ଉଚ୍ଚମାନର ଖେଳାଳି ସୃଷ୍ଟି କରିପାରିବେ ବୋଲି ମତ ଦେଇଥିଲେ। ବ୍ୟବସାୟିକ ସଂସ୍ଥାମାନଙ୍କ ସହାୟତାରେ ବକ୍ସିଂ ଏକାଡେମୀ ଖୋଲିବା ଉପରେ ବ୍ରଜଭୂଷଣ ଜୋର ଦେବାକୁ ଅନୁରୋଧ କରିଥିଲେ। ସେହିପରି ଅମିତ ରୋହିଦାସ ଏହି ପୁରସ୍କାର ତାଙ୍କୁ ଆହୁରି ଉନ୍ନତ ପ୍ରଦର୍ଶନ ସକାଶେ ପ୍ରେରିତ କରିବ ବୋଲି କହିଥିଲେ।

୨ୟ ବାର୍ଷିକ ପୁରସ୍କାର ଆୟୋଜନ

ଗତବର୍ଷରୁ ଆରମ୍ଭ ହୋଇଥିବା ଓସ୍‌ଜା ବାର୍ଷିକ ପୁରସ୍କାର ଧାରାରେ ବ୍ରଜଭୂଷଣଙ୍କୁ ଲାଇଫ୍‌ ଟାଇମ୍‌ ଏବଂ ଅମିତଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ ହୋଇଥିଲା। ଉଭୟଙ୍କୁ ଉତ୍ତରୀୟ, ଅଭିନନ୍ଦନ ପତ୍ର, ବିଶେଷ ଫଳକ ଏବଂ ୨୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ଅତିଥିମାନେ ସମ୍ମାନୀତ କରିଥିଲେ। ଓସ୍‌ଜାର ସମ୍ପାଦକ ସନାତନ ପାଣି ବାର୍ଷିକ ରିପୋର୍ଟ ପ୍ରଦାନ କରିଥିଲା ବେଳେ କାର୍ଯ୍ୟନିର୍ବାହୀ ସଭାପତି ସନ୍ଦୀପ ମିଶ୍ର କ୍ରୀଡ଼ା ସାମ୍ବାଦିକମାନଙ୍କୁ ରାଜ୍ୟସରକାର ସ୍ୱୀକୃତି ଦେବାକୁ ଦାବି କରିଥିଲେ। ଓସଜା ସଭାପତି କେ. ରବି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର