ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍‌ଆଇ)ର ନିର୍ବାଚନ ପରେ ଏହାକୁ ନେଇ ନିରାଶ ହୋଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିବାକୁ କହିଛନ୍ତି | ଯାହାକୁ ନେଇ କ୍ରୀଡ଼ା ମନ୍ତ୍ରାଳୟ କହିଛି ଯେ ଏହା ପୁନିଆଙ୍କର ବ୍ୟକ୍ତିଗତ ନିଷ୍ପତ୍ତି | ସୂଚନାନୁସାରେ, କ୍ରୀଡ଼ା ମନ୍ତ୍ରାଳୟ କହିଛି ଯେ ଡବ୍ଲୁଏଫ୍ଆଇ ନିର୍ବାଚନ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ଢଙ୍ଗରେ କରାଯାଇଥିଲା। କ୍ରୀଡା ମନ୍ତ୍ରାଳୟ କହିଛି ଯେ ପଦ୍ମଶ୍ରୀ ଫେରାଇବାର ନିଷ୍ପତ୍ତି ବଦଳାଇବା ପାଇଁ ଆମେ ବଜରଙ୍ଗ ପୁନିଆକୁ ଅନୁରୋଧ କରିଛୁ । ବାସ୍ତବରେ ପଦ୍ମଶ୍ରୀ ଫେରାଇବାର ଘୋଷଣା ପରେ ବଜରଙ୍ଗ ପଦ୍ମଶ୍ରୀ ପଦକ ନେଇ କର୍ତ୍ତବ୍ୟ ପଥରେ ଯାଉଥିବାବେଳେ ତାଙ୍କୁ ଦିଲ୍ଲୀ ପୁଲିସ ଅଟକାଇଥିଲା |

Advertisment

ଏହା ପରେ ପୁନିଆ କହିଥିଲେ ଯେ ମୁଁ ଏହି ପଦକ ସେହି ବ୍ୟକ୍ତିଙ୍କୁ ଦେବି ଯିଏ କି ଏହାକୁ ମୋଦୀଙ୍କ ନିକଟରେ ପହଞ୍ଚାଇବେ | ଯେହେତୁ ଆମେ ଭଉଣୀମାନଙ୍କ ଯୁଦ୍ଧରେ ଲଢୁଥିଲୁ କିନ୍ତୁ ମୁଁ ସେମାନଙ୍କ ସମ୍ମାନ ରକ୍ଷା କରିବାରେ ସଫଳ ହୋଇପାରିଲି ନାହିଁ। ତେଣୁ ମୁଁ ମୋର ପଦକକୁ ଫେରାଇଦେଉଛି । ଉଲ୍ଲେଖ ଥାଉ କି ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍‌ଆଇ)ର ବହୁ ବିଳମ୍ବିତ ନିର୍ବାଚନ ଗୁରୁବାର ସମ୍ପନ୍ନ ହୋଇଥିଲା । ବିବାଦୀୟ ତଥା ବିଦାୟୀ ସଭାପତି ବ୍ରିଜଭୂଷଣ ସିଂହଙ୍କ ବ୍ୟାବସାୟିକ ସାଥୀ ସଂଜୟ ସିଂହ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଗୋଷ୍ଠୀ ମଧ୍ୟ ଅନ୍ୟ ବହୁ ପଦକ ଜିତି ନେଇଛନ୍ତି। ଉତ୍ତରପ୍ରଦେଶ କୁସ୍ତି ସଂଘର ଉପସଭାପତି ଥିବା ସଂଜୟ ସିଂହ ୪୦ ଭୋଟ୍ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଅନୀତା ‌ସେରନ୍‌ ମାତ୍ର ୭ଟି ପାଇଥିଲେ। ଏହାପରେ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ବ ନେଉଥିବା ଅଲିମ୍ପିକ୍ ପଦକ ବିଜୟିନୀ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କାନ୍ଦି ପକାଇବା ସହ ଖେଳ ଛାଡ଼ି‌ଦେବେ ବୋଲି ଭାବବିହ୍ବଳ ହୋଇ ପ୍ରକାଶ କରିଥିଲେ ।