ଭାରତ-ନ୍ୟୁଜିଲାଣ୍ଡ ସୀମିତ ଓଭର ଶୃଙ୍ଖଳା ୨୨ରୁ

ଗପ୍ଟିଲ୍‌-ମୁନ୍‌ରୋ ପାଳି ଆରମ୍ଭ କରିବେ

ମୁମ୍ବାଇ: ଅକ୍ଟୋବର ୨୨ ତାରିଖରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ୩ ଲେଖାଏଁ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ନ୍ୟୁଜିଲାଣ୍ଡ୍‌ ଦଳ ଗୁରୁବାର ସ୍ୱଦେଶ ଛାଡ଼ିଛି। ଏହି ଅବସରରେ ଅଭିଜ୍ଞ ମାର୍ଟିନ୍‌ ଗପ୍ଟିଲଙ୍କ ସହିତ ଲମ୍ବା ସଟ୍‌ ଖେଳୁଥିବା ବାମହାତୀ କଲିନ୍‌ ମୁନ୍‌ରୋ ପାଳି ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ପ୍ରଶିକ୍ଷକ ମାଇକ୍‌ ହେସନ୍‌। ପୂର୍ବରୁ ପାଳି ଆରମ୍ଭ କରୁଥିବା ଟମ୍‌ ଲଥାମ୍‌ଙ୍କ ବ୍ୟାଟିଂ କ୍ରମ ଖସିବ। ହେସନ୍‌ଙ୍କ ସହିତ ୯ ଜଣିଆ ଦଳ ଗୁରୁବାର ନ୍ୟୁଜିଲାଣ୍ଡ୍‌ରୁ ବାହାରିଥିବାବେଳେ ସମ୍ପ୍ରତି ଭାରତ ଗସ୍ତରେ ଥିବା ନ୍ୟୁଜିଲାଣ୍ଡ୍‌ ‘ଏ’ ଦଳରୁ ୬ ଜଣ ଏଥି ସହ ଯୋଡ଼ି ହେବେ। ୩୦ ବର୍ଷୀୟ ମୁନ୍‌ରୋ ପୂର୍ବରୁ ନ୍ୟୁଜିଲାଣ୍ଡ୍‌ ପାଇଁ ମଧ୍ୟକ୍ରମରେ ବ୍ୟାଟିଂ କରି ୨୪ ଦିନିକିଆ ଖେଳି ସାରିଛନ୍ତି। ୫ ଓ ୬ ନମ୍ବରରେ ଖେଳି ସେ ୨୫.୨୬ ହାରରେ ଖେଳୁଥିଲେ ମଧ୍ୟ ବଲ୍‌ ପିଛା ୯୯.୩୭ରେ ବ୍ୟାଟିଂ କରିଥାନ୍ତି। ଗପ୍ଟିଲ୍‌ଙ୍କ ସହ ଯୋଡ଼ି ହେଲେ ମୁନରୋ ନ୍ୟୁଜିଲାଣ୍ଡ୍‌କୁ ପ୍ରଥମରୁ ଦ୍ରୁତ ରନ୍‌ ସଂଗ୍ରହ ମିଳିବ ବୋଲି ହେସନ୍‌ ଆଶା ପ୍ରକାଶ କରିଛନ୍ତି। ଭାରତ ‘ଏ’ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ୧୪୦* ନର୍‌ ପାଳି ଖେଳିଥିବା ୨୦ ବର୍ଷୀୟ ଓ୍ଵିକେଟ୍‌ରକ୍ଷକ ବ୍ୟାଟସମ୍ୟାନ୍‌ ଗ୍ଲେନ୍‌ ଫିଲିପ୍ସଙ୍କୁ ୩ ନମ୍ବରରେ ସୁଯୋଗ ମିଳିବ ବୋଲି କହିଛନ୍ତି ହେସନ୍‌।

 

ହେସନ୍‌ଙ୍କ ଚେତାବନୀ

ବିଶ୍ୱର ଏକ ନମ୍ବର ଦଳକୁ ସମ୍ମୁଖୀନ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ୍‌ ଦଳର ପ୍ରଶିକ୍ଷକ ମାଇକ୍‌ ହେସନ୍‌ ଏହି ଶୃଙ୍ଖଳା ପୂର୍ବରୁ ଖେଳାଳିମାନଙ୍କୁ ଚେତାବନୀ ଶୁଣାଇ ଦେଇଛନ୍ତି। ପରିବେଶ ଓ ପରିସ୍ଥିତି ସହ ତୁରନ୍ତ ନିଜକୁ ଖାପ ଖୁଆଇ ନେଇ ପ୍ରତି ଖେଳାଳି ପ୍ରଦର୍ଶନ ଦିଅନ୍ତୁ ନଚେତ କଠୋର ପରୀକ୍ଷାରେ ପଡ଼ିବ ବୋଲି ଖେଳାଳିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ହେସନ୍‌। ଭାରତ ଗସ୍ତରେ ଥିବା ନ୍ୟୁଜିଲାଣ୍ଡ୍‌ ‘ଏ’ ଦଳର ଅଭିଜ୍ଞତା ବି ବରିଷ୍ଠ ଦଳର କାମରେ ଲାଗିବ ବୋଲି ଆଶା ପ୍ରକାଶ କରିଛନ୍ତି ହେସନ୍‌। ଭାରତ ଗସ୍ତରେ କାକର ସମସ୍ୟା ରହିବ। ବିଭିନ୍ନ ପଡ଼ିଆରେ ଅଲଗା ପରିବେଶ ମଧ୍ୟ ମଧ୍ୟ ଆମ ପାଇଁ ଆହ୍ଵାନ। କିନ୍ତୁ ବରିଷ୍ଠ ଖେଳାଳିଙ୍କ ଅଭିଜ୍ଞତା ଏ କ୍ଷେତ୍ରରେ ଉପଯୋଗ କରାଯିବ ବୋଲି କହିଛନ୍ତି ହେସନ୍‌।

ସମ୍ବନ୍ଧିତ ଖବର