ବିଜୟଓ୍ଵାଡା: ଶନିବାରଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ୍‌ ‘ଏ’ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ଘରୋଇ ଭାରତ ‘ଏ’ ଦଳ ଦୃଢ଼ ସ୍ଥିତିରେ ରହିଛି। ଭ୍ରମଣକାରୀ ଦଳକୁ ଭାରତୀୟ ବୋଲରମାନେ ମାତ୍ର ୨୧୧ ରନ୍‌ରେ ଆଉଟ୍‌ କରିଦେଇଥିଲେ। ରବିବାର ଅଙ୍କିତ ବାଉନ୍‌ (୧୧୬*, ୧୬୬ ବଲ୍‌, ୧୩ ଚୌକା)ଙ୍କ ୧୬ତମ ପ୍ରଥମ ଶ୍ରେଣୀ ଶତକ ସହିତ ଶ୍ରେୟସ ଆୟର ଏବଂ ପାର୍ଥିବ ପଟେଲଙ୍କ ଅର୍ଧଶତକ ବଳରେ ଭାରତ ‘ଏ’ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୪ ଓ୍ଵିକେଟ୍‌ରେ ୩୬୦ ରନ୍‌ ସଂଗହ କରି ନେଇଛି। ଏଥି ସହିତ କରୁଣ ନାୟାରଙ୍କ ନେତୃତ୍ୱାଧୀନ ଦଳ ପ୍ରଥମ ପାଳିରେ ୧୪୯ ରନ୍‌ରେ ଆଗୁଆ ହୋଇ ସାରିଛି। ଶ୍ରେୟସ ଆୟର (୮୨, ୭୯ ବଲ୍‌, ୧୦ ଚୌକା, ୨ ଛକା) ଶତକରୁ ବଞ୍ଚିତ ହୋଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ପ୍ରିୟଙ୍କ ପାଞ୍ଚାଲ୍‌ (୪୬, ୯୪ ବଲ୍‌, ୭ ଚୌକା) ଏବଂ କରୁଣ ନାୟାର (୪୩, ୭୯ ବଲ୍‌, ୭ ଚୌକା) ଅର୍ଧଶତକ ହରାଇଥିଲେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ଈଶ ସୋଢ଼ୀ ସର୍ବାଧିକ ୨ ଓ୍ଵିକେଟ୍‌ ନେଇଛନ୍ତି। ପୂର୍ବରୁ ଶନିବାର ନ୍ୟୁଜିଲାଣ୍ଡ୍‌ ‘ଏ’ ଦଳ ପ୍ରଥମ ଟେଷ୍ଟ୍‍ ଭଳି ମଧ୍ୟ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରି ନ ପାରି ପ୍ରଥମ ପାଳିରେ ମାତ୍ର ୨୧୧ ରନ୍‌ କରିଥିଲା। ଜିତ୍‌ ରାଭାଲ୍‌ (୪୮), କଲିନ୍‌ ମୁନ୍‌ରୋ (୬୫) ଏବଂ ଟିମ୍‌ ସିଫର୍ଟ (୪୪)ଙ୍କ ଛଡ଼ା ଅନ୍ୟ କେହି ତିଷ୍ଠି ନ ଥିଲେ। ଦ୍ରୁତ ବୋଲର୍‌ ସାର୍ଦୁଲ ଠାକୁର (୩/୩୪) ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ପ୍ରଥମ ଟେଷ୍ଟ୍‍ରେ ମିଳିତ ଭାବେ ୧୬ ଓ୍ଵିକେଟ୍‌ ନେଇଥିବା ସ୍ପିନ୍‌ ଯୋଡ଼ି ସାହବାଜ ନଦିମ (୨/୪୧) ଏବଂ କର୍ନ ଶର୍ମା (୩/୪୯) ୫ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ।