ଭୁବନେଶ୍ବର: ଗୁଜରାଟର ଅହମଦାବାଦରେ ବୁଧବାରଠୁ ଆରମ୍ଭ ହୋଇଛି ଆଇଡବ୍ଲୁଏଲ୍‌ (ଭାରତୀୟ ମହିଳା ଲିଗ୍‌) ଫୁଟ୍‌ବଲ ପ୍ରତିଯୋଗିତା। ଏଥି‌ରେ ସ୍ପୋର୍ଟସ ଓଡ଼ିଶା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ୮ ଦଳୀୟ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଏହି ଓଡ଼ିଶା ଦଳ ସାହିବଗ୍‌ ପୁଲିସ ଷ୍ଟାଡିୟମ୍‌ରେ ଖେଳିଥିବା ନିଜର ପ୍ରଥମ ମ୍ୟାଚ୍‌ରେ ଏଚ୍‌ଓପିଏସ୍‌ ଫୁଟ୍‌ବଲ କ୍ଲବ୍‌କୁ ୩-୨ ଗୋଲ୍‌ରେ ପରାସ୍ତ କରି ପୂରା ୩ ପଏଣ୍ଟ ଅକ୍ତିଆର କରିନେଇଛି। ମ୍ୟାଚ୍‌ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଯାହା ଫଳରେ ୫୦ ମିନିଟ୍‌ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍‌ ଦେଇପାରିନଥିଲେ। ତେବେ ୫୧ ମିନିଟ୍‌ରେ ରେଖା ପୌଡେଲଙ୍କ ଗୋଲ୍‌ ବଳରେ ଏଚ୍‌ଓପିଏସ୍‌ ଅଗ୍ରଣୀ ପାଇଥିଲା।

Advertisment

ଏହାର ୭ ମିନିଟ୍‌ ପରେ ଓଡ଼ିଶା ଦଳର ମନୀଷା ନାୟକ (୫୮ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ ପ୍ରତିପକ୍ଷର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲା। ହେଲେ ଏହାପରେ ଚମତ୍କାର ପ୍ରତ୍ୟାବର୍ତନ କରି ସ୍ପୋର୍ଟସ ଓଡ଼ିଶା ମହିଳାମାନେ ଲାଗ ଲାଗ ୩ ଗୋଲ୍‌ ଲଦି ଦେଇଥିଲେ। ୭୪ ମିନିଟ୍‌ରେ ଶୈଳଜା ଓଡ଼ିଶା ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ବେଳେ ୮୧ ମିନିଟ୍‌ରେ ରଜନୀ ବାର୍ଲାଙ୍କ ଗୋଲ୍‌ ସ୍ଥିତି ୨-୨ କରିଥିଲା। ଶେଷରେ ଅଞ୍ଜୁ ୯୦+୫ ମିନିଟ୍‌ରେ ଓଡ଼ିଶା ପାଇଁ ତୃତୀୟ ଗୋଲ୍‌ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଓଡ଼ିଶା ଦଳ ଓଏଫ୍‌ସି ଗ୍ରୁପ୍‌-ବି’ରେ ଆସନ୍ତାକାଲି ଅଭିଯାନ ଆରମ୍ଭ କରିବ। ଏହି ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ସିଆର୍‌ପିଏଫ୍‌ ଦଳକୁ ଭେଟିବ।