ବଢ଼ିଲା କ୍ରୀଡା ପୁରସ୍କାରର ଅର୍ଥ ରାଶି, କ୍ରୀଡାରତ୍ନଙ୍କୁ ୭.୫ ଲକ୍ଷ ବଦଳରେ ମିଳିବ ୨୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାରର ଅର୍ଥ ରାଶିରେ ବହୁତ ବୃଦ୍ଧି ଘଟିଛି | ବର୍ତ୍ତମାନ ଯେଉଁ ଖେଳାଳି କ୍ରୀଡାରତ୍ନ ପାଇବେ ତାଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ୧୫ ଲକ୍ଷ ଟଙ୍କା ମିଳିବ। ଏହାପୂର୍ବରୁ କ୍ରୀଡାରତ୍ନ ପୁରସ୍କାର ପାଇଥିବା ଖେଳାଳି ୭.୫ ଲକ୍ଷ ଟଙ୍କା ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳିଙ୍କୁ ପାଞ୍ଚ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ମିଳୁଥିଲା। ଅର୍ଥ ରାଶିରେ ଏହି ବୃଦ୍ଧି ଚଳିତ ବର୍ଷଠାରୁ କାର୍ଯ୍ୟକାରୀ ହେବ |

କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ଶନିବାର ଦିନ ଜାତୀୟ କ୍ରୀଡ଼ା ପୁରସ୍କାରର ସାତଟିରୁ ଚାରିଟି ବର୍ଗର ପୁରସ୍କାର ରାଶିରେ ଏହି ବୃଦ୍ଧି ବାବଦରେ ଘୋଷଣା କରିଛନ୍ତି| ସୂଚନା ଥାଉ କି ଚଳିତ ବର୍ଷ ଖେଳରତ୍ନ ଗ୍ରହଣ କରିଥିବା ପାଞ୍ଚଜଣ କ୍ରୀଡ଼ାବିତଙ୍କ ମଧ୍ୟରେ ଷ୍ଟାର କ୍ରିକେଟର ରୋହିତ ଶର୍ମା, ରେସଲର ବିନେଶ ଫୋଗାଟ, ପାରା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମାରିୟାପନ ଥାଙ୍ଗାଭେଲୁ, ଟେବୁଲ ଟେନିସ ଖେଳାଳି ମାଣିକା ବତ୍ରା ଏବଂ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ ଅଛନ୍ତି।

ସେହିପରି ଦ୍ରୋଣାଚାର୍ଯ୍ୟ(ଲାଇଫଟାଇମ) ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଏଣିକି ୧୫ ଲକ୍ଷ ଟଙ୍କା ଦିଆଯିବ | ଏହାପୂର୍ବରୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଭାବେ ମିଳୁଥିଲା | ସେହିପରି ଦ୍ରୋଣାଚାର୍ଯ୍ୟ (ନିୟମିତ) ବିଜେତାମାନଙ୍କୁ ୫ ଲକ୍ଷ ବଦଳରେ ୧୦ ଲକ୍ଷ ଦିଆଯିବ | ଧ୍ୟାନଚାନ୍ଦ ପୁରସ୍କାର ବିଜେତାମାନଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ଦିଆଯିବ, ପୂର୍ବରୁ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ଟଙ୍କା ମିଳୁଥିଲା ​​|

ସମ୍ବନ୍ଧିତ ଖବର