ଲକ୍ଷ୍ନୌ/କୋଲକାତା: ରଣଜୀ ଟ୍ରଫିର ଉତ୍ତରାଖଣ୍ଡ ବିପକ୍ଷ ସେମିଫାଇନାଲ୍ରେ କର୍ଣ୍ଣାଟକ ବିଶାଳ ସ୍କୋର୍ ଦିଗରେ ଅଗ୍ରସର ହୋଇଛି। ଦ୍ବିତୀୟ ସେମିଫାଇନାଲ୍ରେ କିନ୍ତୁ ବେଙ୍ଗଲ ଓ ଜମ୍ମୁ କାଶ୍ମୀର ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି। ଲକ୍ଷ୍ନୌରେ ଉତ୍ତରାଖଣ୍ଡ ବିପକ୍ଷରେ କର୍ଣ୍ଣାଟକ ଦ୍ବିତୀୟ ଦିନ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୬୮୯ ରନ୍ ସଂଗ୍ରହ କରିନେଇଛି। ଦେବଦତ୍ତ ପଡ଼ିକଲ (୨୩୨ ରନ୍), କେଏଲ୍ ରାହୁଲ୍ (୧୪୧), ରବିଚନ୍ଦ୍ରନ ସ୍ମରଣ (୧୨୧) ଶତକ ହାସଲ କରିଥିବା ବେଳେ କରୁଣ ନାୟର (୬୦), କୃତିକ କ୍ରିଷ୍ଣା (୬୦), ବିଦ୍ୟାଧର ପାଟିଲ୍ (୩୫*) ଭଲ ଯୋଗଦାନ ରଖିଛନ୍ତି। ସେହିଭଳି ପଶ୍ଚିମବଙ୍ଗର କଲ୍ୟାଣୀରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ୍ରେ ବେଙ୍ଗଲ୍ ପ୍ରଥମ ପାଳିରେ ୩୨୮ ରନ୍ କରିବା ପରେ ଜମ୍ମୁ କାଶ୍ମୀର ଦ୍ବିତୀୟ ଦିନ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୯୮ ରନ୍ ସଂଗ୍ରହ କରିଛି।
ପ୍ରଥମ ଥର ସେମିଫାଇନାଲ୍ ଆସିଥିବା ଜମ୍ମୁ କାଶ୍ମୀର ହାତରେ ୫ ୱିକେଟ୍ ଥାଇ ପ୍ରଥମ ପାଳିରେ ୧୩୦ ରନ୍ ପଛରେ ରହିଛି। ବେଙ୍ଗଲ ପ୍ରଥମ ପାଳିରେ ସୁଦୀପ ଘରାମୀ (୧୪୬) ଶତକ ଅର୍ଜନ କରିଥିବା ବେଳେ ପ୍ରତିପକ୍ଷର ଆକ୍ବିବ ନବି ୫ ୱିକେଟ୍ ସଫଳତା ପାଇଥିଲେ। ଜବାବରେ ଜମ୍ମୁ କାଶ୍ମୀର ୧୩/୩ରେ ସଂଘର୍ଷ କରିଥିଲେ ମଧ୍ୟ ଅଧିନାୟକ ପରାସ ଡୋଗ୍ରା (୫୮) ଏବଂ ଯୁବ ତାରକା ଅବଦୁଲ ସମାଦ (୮୨) ଚତୁର୍ଥ ୱିକେଟ୍ ପାଇଁ ୧୪୩ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ଉଭୟ ୨ ବଲ୍ ବ୍ୟବଧାନ ଭିତରେ ଆଉଟ୍ ହୋଇଯିବାରୁ ବେଙ୍ଗଲ୍ ଆଶା ଉଜ୍ଜୀବିତ ହୋଇଛି। ତଥାପି କହ୍ନେୟା ୱାଧାୱନ (୧୦*) ଓ ଅବିଦ ମୁସ୍ତାକ (୨୬*) ଅତୁଟ ପଞ୍ଚମ ୱିକେଟ୍ରେ ୪୨* ରନ୍ ଯୋଡ଼ି ଆଶା ଦେଖାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/16/new-project-15-2026-02-16-20-29-09.jpg)