ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଓ ଇନ୍ଡୋର ଦୌଡ଼କୁଦ ଷ୍ଟାଡିୟମ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଦୁଇ ପ୍ରକଳ୍ପ ଖୁବ୍ଶୀଘ୍ର ଉଦ୍ଘାଟିତ ହେବାକୁ ଯାଉଛି। କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଖେଳାଳିମାନଙ୍କ ବିକାଶ ଲାଗି ଅତ୍ୟାଧୁନିକ ସୁବିଧାମାନ ରହିଛି। ପ୍ରତିଭା ଚିହ୍ନଟ କରିବାଠୁ ଆରମ୍ଭ କରି ତାଲିମ, ଥଇଥାନ, ଆଘାତ ପରିଚାଳନା, ଷ୍ଟ୍ରେଙ୍ଗ୍ନ୍ଥ ଓ କଣ୍ଡିସନିଂ, ପ୍ରତିଯୋଗିତା-ପ୍ରସ୍ତୁତି, ମାନସିକ ଦୃଢ଼ତା ପାଇଁ ନିରନ୍ତର ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହା ମଧ୍ୟରେ କ୍ରିୟୋଥେରୋପି ଚାମ୍ବର, ଡ୍ରିମପଡ୍, କଣ୍ଟ୍ରାଷ୍ଟ ବାଥ, ପ୍ଲଙ୍ଗ ଫୁଲ, ସଉନା, ଷ୍ଟିମ ଓ ସାୱାର ଭଳି ଅତ୍ୟାଧୁନିକ ସୁବିଧା ରହିଛି। ଏଥି ସହ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଛି। ସେହିପରି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଫିଜିଓଥେରାପିଷ୍ଟ, ବାୟୋ-ମେକାନିକାଲ୍, ଷ୍ଟ୍ରେଙ୍ଗ୍ନ୍ଥ ଓ କଣ୍ଡିସନିଂ ବିଶେଷଜ୍ଞ, କ୍ରୀଡ଼ା ବୈଜ୍ଞାନିକ, କ୍ରୀଡ଼ା ଭେଷଜ ଡାକ୍ତର, ଡାଟା ଆନାଲିଷ୍ଟ, ପୁଷ୍ଟି ବିଶେଷଜ୍ଞ, କ୍ରୀଡ଼ା ମନସ୍ତତ୍ତ୍ବବିତ୍, ବ୍ୟାୟାମ ଫିଜିଓଲୋଜିଷ୍ଟ, କ୍ରୀଡ଼ା ମସାଜ୍ ଥେରାପିଷ୍ଟ ଦଳ ଇତ୍ୟାଦି ଖେଳାଳିମାନଙ୍କ ସେବା ପାଇଁ ଖଂଜାଯାଇଛି। ପାରା ଆଥ୍ଲେଟ୍ଙ୍କଠୁ ଆରମ୍ଭ କରି ଉଭୟ ମହିଳା ଓ ପୁରୁଷ ଖେଳାଳି ଏହାର ସୁବିଧା ନେଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ କଳିଙ୍ଗରେ ନିର୍ମାଣ ଚାଲିଥିବା ଦକ୍ଷିଣ ଏସିଆର ବୃହତ୍ ତଥା ଭାରତର ପ୍ରଥମ ଇନ୍ଡୋର ଦୌଡ଼କୁଦ ଷ୍ଟାଡିୟମରେ ୨୦୦ ମିଟରର ଆଥ୍ଲେଟିକ ଟ୍ରାକ୍ ନିର୍ମାଣ କରାଯାଇଛି। ଦୌଡ଼, ଲମ୍ବ ଓ ଉଚ୍ଚ ଡିଆଁ, ପୋଲ୍ଭଲ୍ଟ, ସଟ୍ପୁଟ୍ ଖେଳାଯିବାର ସୁବିଧାମାନ ରହିଛି। ଏଥିସହ ଅଭ୍ୟାସ କରିବାର ସୁବ୍ୟବସ୍ଥା ରହିଛି। ଏହି ଷ୍ଟାଡିୟମରେ ୨୦୦୦ ସିଟ୍ ଥିବା ଗ୍ୟାଲେରି ରହିଥିଲା ବେଳେ ସାମ୍ବାଦିକ କକ୍ଷ ଓ ଅତିଥି କକ୍ଷ ରହିଛି। ୬୦ଟି ଯୁଗଳ ବେଡ୍ ବିଶିଷ୍ଟ ରୁମ୍ ସହ ଲାଉଞ୍ଜ ରହିଛି। ଯାହାକୁ ପ୍ରତିଯୋଗିତା ସମୟରେ ବ୍ୟବହାର କରାଯାଇପାରିବ। ଏହା ସହ ୧୦୦ ଖେଳାଳି ଏଠାରେ ରହି ବିଶ୍ବସ୍ତରୀୟ ପ୍ରଶିକ୍ଷଣ ନେବାର ବିବିଧ ସୁବିଧା କରାଯାଇଛି। ପ୍ରତିଯୋଗିତାମୂଳକ ଟ୍ରାକ୍ ସହ ଅଭ୍ୟାସ ଟ୍ରାକ୍ ମଧ୍ୟ ରହିଛି। ଏଗୁଡ଼ିକ ପୂର୍ଣ୍ଣାଙ୍ଗ ରୂପ ନେବା ପରେ ରାଜ୍ୟ ତଥା ଦେଶର କ୍ରୀଡ଼ାବିତ୍ମାନେ ଏହାର ସୁଫଳ ପାଇପାରିବେ ବୋଲି ଶୁକ୍ରବାର ରାଜ୍ୟ କ୍ରୀଡ଼ା ବିଭାଗ ସୂଚନା ଦେଇଛି।