କ୍ରୀଡ଼ାରେ କଳଙ୍କ: ଟାଇସନଙ୍କଠୁ ସୁଶୀଲଙ୍କ ପର୍ଯ୍ୟନ୍ତ, କ’ଣ କରିଥିଲେ କିଏ?

ବିରଳ ସଫଳତା ବିବାଦୀୟ ବ୍ୟକ୍ତିତ୍ବ

ମୁମ୍ବାଇ, ୨୪ା୫: କୁସ୍ତି‌ଯୋଦ୍ଧା ସୁଶୀଲ କୁମାର ଥିଲେ ଭାରତୀୟ ଖେଳ ଦୁନିଆର ଅନନ୍ୟ ଅର୍ଜୁନ। ଏକମାତ୍ର ଭାରତୀୟ ଭାବେ ଜିତିଥିଲେ ଦୁଇଟି ଅଲିମ୍ପିକ୍ସ ପଦକ। ସମ୍ମାନ, ପ୍ରତିପତ୍ତି, ପ୍ରତିଷ୍ଠା, ପ୍ରଶଂସା ତାଙ୍କ ପାଦ ଛୁଇଁଥିଲା। କେବଳ କୁସ୍ତି ନୁହେଁ, କ୍ରିକେଟ୍‌ଠାରୁ ଆରମ୍ଭ କରି କବାଡ଼ି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଉଦୀୟମାନ ତାରକା ତାଙ୍କୁ ଆଦର୍ଶ କରିଥିଲେ। କୁସ୍ତି ଆଖଡ଼ାରେ ତାଙ୍କ ଐତିହାସିକ ସଫଳତାକୁ ପ୍ରେରଣା ଭାବେ ନେଉଥିଲେ। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ସହ ପଦ୍ମଶ୍ରୀ ଉପାଧୀ ମଧ୍ୟ ତାଙ୍କ ଜାଜ୍ବଲ୍ୟମାନ କ୍ରୀଡ଼ା ଜୀବନର ଶୋଭାକୁ ଦ୍ବିଗୁଣିତ କରିଥିଲା। ହେଲେ ମାତ୍ର ଗୋଟିଏ ଅଭିଯୋଗ ପରେ ସେ ଯେମିତି ଆକାଶରୁ ଖସି ଭୂଇଁରେ କଚାଡ଼ି ହୋଇ ପଡ଼ିଛନ୍ତି। ଯେଉଁ ପ୍ରଶଂସକମାନେ ଦିନେ ତାଙ୍କୁ ପୂଜା କରୁଥିଲେ ସେମାନେ ଏବେ ଛି’ ଛି’ କରିବା ଆରମ୍ଭ କରି ଦେଇଛନ୍ତି। ହତ୍ୟା ମାମଲାର ମୁଖ୍ୟ ଷଢ଼ଯନ୍ତ୍ରକାରୀ ଅଭିଯୋଗ ଆସିବା ପରେ ସେ ନାୟକରୁ ଖଳନାୟକ ପାଲଟି ଯାଇଛନ୍ତି।

ସୁଶୀଲ ସଫଳତାର ଯେଉଁ ପାହାଡ଼ ଉପରେ ଛିଡ଼ା ହୋଇଥିଲେ ସେଠାରେ ରହି ସେ ବହୁତ କିଛି କରି ପାରିଥା’ନ୍ତେ। ଭାରତୀୟ କୁସ୍ତିକୁ ଆହୁରି ଆଗକୁ ନେଇ ପାରିଥା’ନ୍ତେ। ହେଲେ ସେ ଭିନ୍ନ ପଥ ବାଛିଥିଲେ। ଦାଦାଗିରି କରିବା, କୁଖ୍ୟାତ ଅପରାଧୀଙ୍କ ସହ ସଂପର୍କ ରଖିବା ଆଦି ବିବାଦରେ ଛନ୍ଦି ହୋଇଥିଲେ। ଶେଷରେ ସାଗର ଧନକର ହତ୍ୟା ମାମଲା ତାଙ୍କ କ୍ରୀଡ଼ା ଜୀବନକୁ ସାରିଦେଲା। ଅତୀତରେ ମଧ୍ୟ ସୁଶୀଲଙ୍କ ଊଗ୍ର ବ୍ୟକ୍ତିତ୍ବକୁ ନେଇ ଅନେକ କଥା ପଦାକୁ ଆସିଥିଲା। ହେଲେ ତାଙ୍କ ସଫଳତାର ଆଢ଼ୁଆଳରେ ମାତ୍ର ଦିନ କେଇଟା ଭିତରେ ଏସବୁ ଛପି ଯାଉଥିଲା। ଏଥର କିନ୍ତୁ ସେ ଆଉ ଖସି ପାରିବେ ନାହିଁ। ପୁଲିସ ହାତରେ ସବୁ ପ୍ରମାଣ ଥିବାରୁ କାନୁନର ଲମ୍ବା ହାତରୁ ସେ ଖସିବା ଏବେ ଏକପ୍ରକାର ଅସମ୍ଭବ ହୋଇ ଯାଇଛି। ତେବେ କ୍ରୀଡ଼ା ସଫଳତାର ଶିଖର ଛୁଇଁବା ପରେ ନିଜ କାରନାମା ପାଇଁ ନିନ୍ଦିତ ହେବା ସହ ନିଜ ହାତରେ ନିଜ ଖେଳ ଜୀବନକୁ ଶେଷ କରିଦେବାରେ ସୁଶୀଲ ପ୍ରଥମ ଖେଳାଳି ନୁହନ୍ତି।

ବିଶ୍ବ କ୍ରୀଡ଼ା ଦୁନିଆର ଏମିତି ଅନେକ କ୍ରୀଡ଼ା ତାରକା ନିଜ କଲା କର୍ମ ପାଇଁ ରାତାରାତି ହିରୋରୁ ଜିରୋ ପାଲଟିଛନ୍ତି। ମୁଷ୍ଟିଯୋଦ୍ଧା ମାଇକ୍ ଟାଇସନ୍, ଟେନିସ୍ କିଂବଦନ୍ତି ଜନ୍ ମ୍ୟାକ୍‌ଏନରୋ, ବାସ୍କେଟବଲ୍ ତାରକା ଡେନିସ୍ ରଡମ୍ୟାନ୍, ସାଇକ୍ଲିଷ୍ଟ ଲାନ୍ସ ଆର୍ମଷ୍ଟ୍ରଙ୍ଗ, କ୍ରିକେଟର ହାନ୍ସି କ୍ରୋନିଏ, ମହମ୍ମଦ ଆସିଫ, ସଲମାନ ବଟ, ମହାନ ଫୁଟବଲର ଡିଏଗୋ ମାରାଡୋନା, ଲୁଇସ୍ ସୁଆରେଜ୍, ଗଲ୍ଫର ଟାଇଗର ଉଡ୍ସ, ଓଜେ ସିମ୍ପସନ୍, ଫିଗର ସ୍କେଟର ତାନ୍ୟା ହାର୍ଡିଂ, ଏନବିଏ ଷ୍ଟାର ଲି’ବ୍ରନ୍ ଜେମ୍ସ ପ୍ରମୁଖ ନିଜ କ୍ରୀଡ଼ା ଦକ୍ଷତା ପାଇଁ ଏକଦା ଥିଲେ ବିଶ୍ବବନ୍ଦିତ। ହେଲେ ପରବର୍ତ୍ତୀ ସମୟରେ ହୋଇଥିଲେ ପତନମୁଖା। ଏମାନଙ୍କ ଭିତରୁ କିଛି ପୁଣି ଥରେ କ୍ରୀଡ଼ା ଦୁନିଆକୁ ଫେରିଥିଲେ। ଅଧିକାଂଶ କିନ୍ତୁ ଖୁବ୍‌ କମ୍ ସମୟ ଭିତରେ କ୍ରୀଡ଼ାପ୍ରେମୀଙ୍କ ମାନସପଟ୍ଟରୁ ହଜି ଯାଇଥିଲେ। ଆସନ୍ତୁ ଏମିତି ୧୦ ଜଣ ବିବାଦୀୟ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ଉପରେ ନଜର ପକାଇବା।

।ମାଇକ ଟାଇସନ୍, ଆମେରିକୀୟ ମୁଷ୍ଟିଯୋଦ୍ଧା: ଜଣେ ‌ମଡେଲଙ୍କୁ ଦୁଷ୍କର୍ମ କରି ୧୦ ବର୍ଷ ଜେଲ ଦଣ୍ଡ ପାଇଥିଲେ। ୩ ବର୍ଷ ପରେ ଜେଲ୍‌ରୁ ବାହରି ୧୯୯୭ର ହେଭିୱେଟ୍ ମୁଷ୍ଟିଯୁଦ୍ଧ ମ୍ୟାଚ୍ ବେଳେ ପ୍ରତିପକ୍ଷ ଇଭାଣ୍ଡର ହୋଲିଫିଲ୍ଡଙ୍କ କାନକୁ କାମୁଡ଼ି ଛିଡ଼ାଇ ଦେଇଥିଲେ। ଏହି ଦୁଇ ଘଟଣା ପରେ କେବେବି ସେହି ପୁରୁଣା ଲୋକପ୍ରିୟତା ଏବଂ ତାଙ୍କ ପ୍ରତି ପ୍ରଶଂସକଙ୍କ ପାଗଳାମୀ ଆଉ ଫେରି ପାଇ ନଥିଲେ।
।ଡିଏଗୋ ମାରାଡୋନା, ଆର୍ଜେଣ୍ଟିନାର ମହାନ ଫୁଟବଲର୍‌: ଗତବର୍ଷ ନଭେମ୍ବର ୨୫ ତାରିଖରେ ମୃତ୍ୟୁ ବରଣ କରିଥିବା ଫୁଟବଲ୍ ଦୁନିଆର ମହାନ ଓ ଅପ୍ରତିଦ୍ବନ୍ଦ୍ବୀ ତାରକା ଡିଏଗୋ ମାରାଡୋନା ତାଙ୍କ ଫୁଟବଲ୍‌ କଳା କୌଶଳ ପାଇଁ ଯେତିକି ଲୋକପ୍ରିୟ ଥିଲେ ବିବାଦୀୟ ବ୍ୟକ୍ତିଗତ ଓ କ୍ରୀଡ଼ା ଜୀବନ ପାଇଁ ତାଠାରୁ ଅଧିକ ଚର୍ଚ୍ଚିତ ଥିଲେ। ୧୯୮୬ ବିଶ୍ବକପ୍‌ର ହ୍ୟାଣ୍ଡ ଅଫ୍ ଗଡ୍ ଗୋଲ୍, କୋକେନ ସେବନ କରି ବାସନ୍ଦ ହେବା, ୧୯୯୪ ବିଶ୍ବକପ୍ ଡୋପ୍ ଟେଷ୍ଟ୍‌ରେ ବିଫଳ ହେବା, ଟିଭି ଉପସ୍ଥାପକଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେବା, ସାମ୍ବାଦିକଙ୍କୁ ଗୁଳି କରିବା, ପ୍ରଶଂସକଙ୍କୁ ଗାଳିଗୁଲଜ କରିବା ଭଳି ଲଜ୍ଜାଜନକ ଘଟଣା ସେ ନିଜ ଜୀବନକାଳ ଭିତରେ ଘଟାଇଥିଲେ।
।ଟାଇଗର ଉଡ୍ସ, ଆମେରିକୀୟ ଗଲ୍ଫର: ଟାଇଗର ଉଡ୍ସ ହେଉଛନ୍ତି ଗଲ୍ଫ ଦୁନିଆର ଅପ୍ରତିଦ୍ବନ୍ଦ୍ବୀ ସୁପରଷ୍ଟାର, ଭାରତ ଭଳି ଦେଶ ଯେଉଁଠି ଗଲ୍ଫ କେବଳ ଥିଲାବାଲାଙ୍କ ଭିତରେ ସୀମିତ, ସେଠାରେ ବି ଟାଇଗର ଖୁବ ଲୋକପ୍ରିୟ। ସେ ବି ଜଣେ ସଭ୍ୟ ଓ ଭଦ୍ର ଖେଳାଳି ଭାବେ ବେଶ୍ ସୁନାମ କରିଥିଲେ। ହେଲେ ଏକ ‌‌ଯୌନ କେଳେଙ୍କାରୀରେ ଛନ୍ଦି ହୋଇ ମାନ ସମ୍ମାନ ହରାଇଥିଲେ। ବିବାହିତ ହୋଇ ମଧ୍ୟ ବହୁ ପରନାରୀଙ୍କ ସଂପର୍କ ରଖିଥିବା ୨୦୦୯ ମସିହାରେ ସେ ସ୍ବୀକାର କରିଥିଲେ। ଫଳରେ ପତ୍ନୀ ଏଲିନ୍ ନର୍ଦେଗ୍ରିନ୍ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ପ୍ରଶଂସକଙ୍କ ନଜରରେ ବି ବହୁ ତଳକୁ ଖସି ଯାଇଥିଲେ।
।ଲାନ୍ସ ଆର୍ମଷ୍ଟ୍ରଙ୍ଗ, ମହାନ ସାଇକ୍ଲିଷ୍ଟ: ୭ ଥର ଟୁର୍ ଡି’ ଫ୍ରାନ୍ସ ସାଇକେଲ୍ ଚାଳନା ପ୍ରତିଯୋଗିତା ଜିତି ଚହଳ ସୃଷ୍ଟି କରିଥିବା ଲାନ୍ସ ଆର୍ମଷ୍ଟ୍ରଙ୍ଗ ମାରାତ୍ମକ କର୍କଟ ରୋଗରୁ ମୁକୁଳି ସାଇକ୍ଲିଂର ସଫଳତମ ତାରକା ଭାବେ ଉଭା ହୋଇଥିଲେ। ଏଣୁ କେବଳ କ୍ରୀଡ଼ା ଦୁନିଆ ନୁହଁ, କୋଟି କୋଟି କର୍କଟ ରୋଗୀ ତାଙ୍କୁ ଅସଲି ଯୋଦ୍ଧାର ଆଖ୍ୟା ଦେଇଥିଲେ। ତାଙ୍କ ଜର୍ସି ରଙ୍ଗକୁ ଦେଖି ହାତରେ ହଳଦିଆ ବ୍ୟାଣ୍ଡ ପିନ୍ଧୁଥିଲେ। ହେଲେ ଆର୍ମଷ୍ଟ୍ରଙ୍ଗ ସଫଳ ହେବା ଲାଗି ଶକ୍ତିବର୍ଦ୍ଧକ ସେବନ କରୁଥିବା ଏବଂ ଏକ ସୁସଂଗଠିତ ଡୋପିଂ ରୢାକେଟ୍ ଚଳାଉଥିବା ଜଣାପଡ଼ିବା ପରେ କେହି ଯେମିତି ଏହାକୁ ବିଶ୍ବାସ କରି ପାରି ନଥିଲେ। ଆର୍ମଷ୍ଟ୍ରଙ୍ଗ କିନ୍ତୁ ବାଧ୍ୟ ହୋଇ ନିଜର ସବୁଦୋଷ ମାନି ନେଇଥିଲେ।
।ଲୁଇସ୍ ସୁଆରେଜ୍, ପାରାଗୁଏ ଫୁଟବଲର୍‌: ପାରାଗୁଏର ଅନ୍ୟତମ ସର୍ବଶ୍ରେଷ୍ଠ ଓ ‌ଲୋକପ୍ରିୟ ଫୁଟବଲ୍ ତାରକା ଲୁଇସ୍ ସୁଆରେଜ୍ ୨୦୧୪ ବିଶ୍ବକପ୍‌ରେ ଇଟାଲି ରକ୍ଷଣଭାଗ ଖେଳାଳି ଚେଲିନିଙ୍କୁ ପଡ଼ିଆ ଭିତରେ କାମୁଡ଼ି ଲହୁ ଲୁହାଣ କରି ଦେଇଥିଲେ। ଆଗରୁ ମଧ୍ୟ ସେ ପିଏସ୍‌ଭି କ୍ଲବ୍‌ର ଖେଳାଳି ଅଟମାନ୍ ବକଲଙ୍କୁ କାମୁଡ଼ି ୭ ମାସ ବାସନ୍ଦ ହୋଇଥିଲେ। ଚେଲସି ରକ୍ଷଣଭାଗ ଖେଳାଳି ବ୍ରାନିସ୍ଲାଭ୍ ଇଭାନୋଭିକଙ୍କୁ ବି କାମୁଡ଼ି ଥିଲେ। ସୁଆରେଜଙ୍କ ଏହି କାମୁଡ଼ା ଅଭ୍ୟାସ ଖେଳ ଜୀବନରେ ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
।ହାନ୍ସି କ୍ରୋନିଏ, ଦକ୍ଷିଣ ଆଫ୍ରିକୀୟ କ୍ରିକେଟର: ହାନ୍ସି କ୍ରୋନିଏ କେବଳ ଦକ୍ଷିଣ ଆଫ୍ରିକା ନୁହଁ, ସମଗ୍ର ବିଶ୍ବ ବ୍ରହ୍ମାଣ୍ଡର ଅନ୍ୟତମ ସଫଳ କ୍ରିକେଟ୍ ଅଧିନାୟକ ଥିଲେ। ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର୍‌ ତାଲିକାରେ ବି ସେ ସ୍ଥାନ ପାଇଥିଲେ। ହେଲେ ୨୦୦୦ ମସିହା ଏପ୍ରିଲ ୭ ତାରିଖରେ ଆକାଶ ଯେମିତି ତାଙ୍କ ଉପରେ ଛିଣ୍ଡି ପଡ଼ିଥିଲା। ସେ ମ୍ୟାଚ୍ ଫିକ୍ସିଂ କରିଥିବା ଦିଲ୍ଲୀ ପୁଲିସ ପ୍ରମାଣ ସହ ଅଭିଯୋଗ କରିଥିଲା। ବୁକିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ମାନିନେବା ପରେ ଆଜୀବନ ବାସନ୍ଦ ହୋଇଥିଲେ ସେ। ପରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ସେ।
।ତାନ୍ୟା ହାର୍ଡିଂ, ଆମେରିକୀୟ ଫିଗର ସ୍କେଟର: : ତାନ୍ୟା ହାର୍ଡିଂ ହେଉଛନ୍ତି ଜଣେ ଅଲିମ୍ପିଆନ୍ ଫିଗର ସ୍କେଟର। ୧୯୯୪ ମସିହାରେ ଆମେରିକୀୟ ଫିଗର ସ୍କେଟିଂ ପ୍ରତିଯୋଗିତା ଅବସରରେ ନିଜ ସୁରକ୍ଷାକର୍ମୀ ଓ ପୂର୍ବତନ ପତିଙ୍କ ସହାୟତାରେ ପ୍ରତିଦ୍ବନ୍ଦ୍ବୀ ନାନ୍‌ସି କେରିଗାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାର ଘୃଣ୍ୟ ଓ ନିନ୍ଦନୀୟ ଷଡ଼ଯନ୍ତ୍ର କରିଥିଲେ। ଫଳରେ ତାଙ୍କୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଜେଲ ଯିବା ସହ ତାଙ୍କ ଖେଳ ଜୀବନରେ ବି ଏଥିପାଇଁ ପୂର୍ଣ୍ଣଛେଦ ପଡ଼ି ଯାଇଥିଲା।
।ଲି’ବ୍ରନ୍ ଜେମ୍ସ, କିଂବଦନ୍ତି ଏନ୍‌ବିଏ ତାରକା: ଲି’ବ୍ରନ୍ ଜେମ୍ସ ହେଉଛନ୍ତି ଆମେରିକାର ଲୋକପ୍ରିୟ ବାସ୍କେଟବଲ୍ ଲିଗ୍ ଏନ୍‌ବିଏର ଅନ୍ୟତମ ସଫଳ ଓ ମହାନ ତାରକା। ହେଲେ କୋର୍ଟ ଭିତ‌ରେ ସେ ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଗୋଟିଏ ଦଳରୁ ଛାଡ଼ି ଅନ୍ୟ ଦଳକୁ ଯିବାର ନିଷ୍ପତ୍ତିକୁ ଟେଲିଭଜିନ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଇଥିଲେ। ହେଲେ ଏହି ଘଟଣା ପରେ ସେ ପୂରା ଫ୍ଲପ୍ ରହିଥିଲେ। ଦର୍ଶକ ତାଙ୍କୁ କିଂବଦନ୍ତି ଖେଳାଳି ପରିବର୍ତ୍ତେ ଜଣେ ହତାଶ ତାରକାର ଆଖ୍ୟା ଦେଇଥିଲେ। ସେ ମଧ୍ୟ ପ୍ରତିପକ୍ଷ ଖେଳାଳିଙ୍କୁ ମାରପିଟ କରିବା ଏବଂ ସେମାନଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ବେଶ୍ ନିନ୍ଦିତ ହୋଇଥିଲେ।
।ଓ ଜେ ସିମ୍ପସନ୍, ଆମେରିକୀୟ ଏନ୍‌ଏଫ୍‌ଏଲ୍ ଖେଳାଳି: ଓ ଜେ ସିମ୍ପସନ୍ ଥିଲେ ଆମେରିକୀୟ ସକ୍କର ଜଗତର ବେଶ୍ ଜଣାଶୁଣା ନାଁ। ହେଲେ ତାଙ୍କ ବିରୋଧରେ ନିଜ ପୂର୍ବତନ ପତ୍ନୀ ନିକୋଲ ବ୍ରାଉନ ସିମ୍ପସନ୍ ଓ ତାଙ୍କ ବନ୍ଧୁ ରନ ଗୋଲ୍ଡମ୍ୟାନଙ୍କୁ ହତ୍ୟା କରିବାର ଅଭିଯୋଗ ହୋଇଥିଲା। ଅବଶ୍ୟ ଅଦାଲତରୁ ସେ ଏହି ମାମଲାରେ କ୍ଲନ୍ ଚିଟ୍ ପାଇଥିଲେ। ହେଲେ ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପରେ ସ୍ବୀକାର କରିଥିଲେ ସେ। ୭୩ ବର୍ଷୀୟ ସିମ୍ପସନ୍ ସେବେଠାରୁ ନିଃସଙ୍ଗ ଜୀବନ କଟାଉଛନ୍ତି। ତାଙ୍କ ସହ ଆମେରିକୀୟ ଏନ୍‌ଏଫ୍‌ଏଲ୍ ଏବେ ଆଉ କୌଣସି ସଂପର୍କ ରଖିନି।
।ଓସ୍କାର ପିସ୍ତୋରିଅସ୍, ଦକ୍ଷିଣ ଆଫ୍ରିକୀୟ ଦିବ୍ୟାଙ୍ଗ ଧାବକ: ଓସ୍କାର ପିସ୍ତୋରିଅସ୍ ହେଉଛନ୍ତି ବିଶ୍ବର ସବୁଠାରୁ ଚର୍ଚ୍ଚିତ ଭିନ୍ନକ୍ଷମ ଧାବକ। ମାତ୍ର ୧୧ ମାସର ଥିଲା ବେଳେ ଦୁଇଟି ଯାକ ଗୋଡ଼ ହରାଇଥିବା ପିସ୍ତୋରିଅସ୍ କୃତ୍ରିମ ଗୋଡ଼ ଲଗାଇ ବିଭିନ୍ନ ପେସାଦାର ଦୌଡ଼କୁଦ ପ୍ରତିଯୋଗିତାରେ ଢେର ସଫଳତା ସାଉଣ୍ଟି ଥିଲେ। ହେଲେ ୨୦୧୫ ମସିହାରେ ନିଜ ପ୍ରେମିକା ରିଭା ଷ୍ଟିନକ୍ୟାମ୍ପଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ଉଭୟ ପାରାଲିମ୍ପିକ୍ସ ଓ ଅଲିମ୍ପିକ୍ସ ଖେଳିବାର ନିଆରା ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର