ସ୍ପୋର୍ଟସ୍‌ ଓ୍ଵାଲ୍‌ କ୍ଲାଇମ୍ବିଂ ପ୍ରତିଯୋଗିତା ଆରମ୍ଭରଜନୀ, ଅନୁପମା, ଅମ୍ଲାନ୍‌, ଭାର୍ଗବୀ ପ୍ରଥମ

ଭୁବନେଶ୍ୱର: ଦୁଇ ଦିନର ପ୍ରଶିକ୍ଷଣ ଶିବିର ପରେ ଶନିବାରଠୁ ଆରମ୍ଭ ହୋଇଛି ରାଜ୍ୟ ସ୍ପୋର୍ଟସ୍‌ ଓ୍ଵାଲ୍‌ କ୍ଲାଇମ୍ବିଂ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ। ଓଡ଼ିଶା ସ୍ପୋର୍ଟସ୍‌ ଓ୍ଵାଲ୍‌ କ୍ଲାଇମ୍ବି ସଂଘ ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ପ୍ରଥମ ଥର ଲାଗି କଳିଙ୍ଗ ଷ୍ଟାଡିୟମ୍‌ର ସ୍ପୋର୍ଟସ୍‌ କ୍ଲାଇମ୍ବିଂ କଂପ୍ଲେକ୍ସରେ ହେଉଛି। ଉଭୟ ସ୍ପିଟ୍‌ ଓ ଲିଡ୍‌ରେ ମୋଟ ୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଭାରତୀୟ ପର୍ବତାରୋହଣ ସଂସ୍ଥା (ଆଇଏମ୍‌ଏଫ୍‌) ପୂର୍ବାଞ୍ଚଳ ସମିତି ଏହି ପ୍ରତିଯୋଗିତାକୁ ପରିଚାଳନା କରୁଛି। ଶନିବାର ପ୍ରଥମ ଦିବସରେ ଓପନ୍‌ ପୁରୁଷ ସ୍ପିଡ୍‌ରେ ଉତ୍କଳ କରାଟେ ସ୍କୁଲ୍‌ର ରଜନୀ ବିଶି ପ୍ରଥମ, ସୁନ୍ଦରଗଡ଼ର ସୋମନାଥ ମୁଣ୍ଡାରୀ ଦ୍ୱିତୀୟ ଓ ନବରଙ୍ଗପୁରର ବିଷ୍ଣୁ କୋଲାର ତୃତୀୟ ହୋଇଥିଲା ବେଳେ ଓପନ୍‌ ମହିଳାରେ ଉତ୍କଳ କରାଟେ ସ୍କୁଲ୍‌ର ଅନୁପମା ସ୍ୱାଇଁ ପ୍ରଥମ, ସମ୍ବଲପୁରର ମୋନିକା ବେକ ଦ୍ୱିତୀୟ ଓ ଉତ୍କଳ କରାଟେ ସ୍କୁଲ୍‌ର ଗାୟତ୍ରୀ ମୁର୍ମୁ ତୃତୀୟ ସ୍ଥାନ ପାଇଛନ୍ତି। କନିଷ୍ଠ ବାଳକରେ ଅମ୍ଲାନ ବାରିକ (ଭୁବନେଶ୍ୱର), ତନେ୍ଵଷ ପୁନିତ ଲେଙ୍କା (ଉତ୍କଳ କରାଟେ ସ୍କୁଲ୍‌) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାଇଥିଲା ବେଳେ ଉପକନିଷ୍ଠ ବାଳିକାରେ ଭାର୍ଗବୀ ଭବାନୀ ଜେନା ଓ ମଧୁପ୍ରିୟା ବାଇ ପ୍ରଥମ ଓ ଦ୍ୱିତୀୟରେ ରହିଛନ୍ତି। ଏହି ଦୁଇ ଦିନିଆ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହେବ। କ୍ରୀଡ଼ା ଓ ଯୁବ ସେବା ବିଭାଗ ଶାସନ ସଚିବ ବିଶାଲ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ।

ସମ୍ବନ୍ଧିତ ଖବର