ବିନା ଦର୍ଶକରେ କ୍ରୀଡ଼ା: ୟୁଏଫ୍‌ସି ହେଲା କରୋନା ସଙ୍କଟ ପରର ପ୍ରଥମ ବଡ଼ ପ୍ରତିଯୋଗିତା

ନ୍ୟୁୟର୍କ: ମାର୍ଚ ମାସରୁ ସାରା ବିଶ୍ବକୁ କବଳିତ କରିଥିବା କରୋନା ଭୂତାଣୁ ପାଇଁ ସମଗ୍ର କ୍ରୀଡ଼ାଜଗତ ସ୍ଥାଣୁ ପାଲଟିଛି। ଅଧିକାଂଶ ପ୍ରତିଯୋଗିତାକୁ ସ୍ଥଗିତ କିମ୍ବା ବାତିଲ କରି ଦିଆଯାଇଛି। ପାଖାପାଖି ଦୁଇ ମାସ ହେବ ‌ଗୋଟିଏ ହେଲେ ବି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇନାହିଁ। କରୋନା ସଂକ୍ରମଣ ଭୟରେ ସବୁକିଛିକୁ ଏକପ୍ରକାର ବନ୍ଦ କରି ଦିଆଯାଇଛି। ଏଭଳି ସ୍ଥିତିରେ ଆମେରିକାର ଅଲଟିମେଟ୍ ଫାଇଟିଂ ଚାମ୍ପିଅନସିପ୍ ବା ୟୁଏଫ୍‌ସି କିନ୍ତୁ କରୋନା ସଙ୍କଟ ପରେ ଆୟୋଜିତ ହେବାରେ ପ୍ରଥମ ବଡ଼ ପ୍ରତିଯୋଗିତା ହୋଇଛି। ଯାହା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର ହୋଇଛି। ରବିବାର ଏହି ପ୍ରତିଯୋଗିତା କଡ଼ା ସୁରକ୍ଷା ଏବଂ ସାମାଜିକ ଦୂରତା ନିୟମ ଅନୁସାରେ ଆୟୋଜିତ ହୋଇଛି। ପ୍ରତିଯୋଗିତାଟି ବନ୍ଦ ଦ୍ବାର ଭିତରେ ଆୟୋଜିତ ହୋଇଥିଲା। ଏଥିନେଇ ସମସ୍ତ ସ୍ବାସ୍ଥ୍ୟଗତ ନିୟମକୁ ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରାଯାଇଥିଲା। ଦକ୍ଷିଣ କୋରିଆର କେ-ଲିଗ୍ ଫୁଟବଲ୍ ପ୍ରତିଯୋଗିତା ମଧ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ତେବେ କୌଣସି କଣ୍ଟାକ୍ଟ ସ୍ପୋର୍ଟସର ବଡ଼ ପ୍ରତିଯୋଗିତା ଆରମ୍ଭ ହେବାରେ ୟୁଏଫ୍‌ସି ବଡ଼ ପ୍ରତିଯୋଗିତା ହୋଇଛି।

ୟୁଏଫ୍‌ସିର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା। ଯାହାକୁ ଦର୍ଶକ ଘରେ ବସି ଉପଭୋଗ କରିଥିଲେ। ଆୟୋଜକଙ୍କ ଏହି ସାହସିକ ଓ ସୁରକ୍ଷିତ ପଦକ୍ଷେପକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପ୍ରଶଂସା କରିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଆଉ କେତେକ ବଡ଼ ଓ ଲୋକପ୍ରିୟ ପ୍ରତିଯୋଗିତା ମଧ୍ୟ ବିନା ଦର୍ଶକରେ ଓ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଖେଳାଯିବାର ଅଛି। ସେଥିମଧ୍ୟରେ ଜର୍ମାନୀର ବୁନ୍ଦେସଲିଗାକୁ ନେଇ ଫୁଟବଲ୍ ପ୍ରେମୀ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଜୁନ୍‌ରେ ସ୍ପେନର ପ୍ରସିଦ୍ଧ ଲି’ ଲିଗା ଫୁଟବଲ୍ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହେବାର ଅଛି। ନ୍ୟୁଜିଲାଣ୍ଡ ରଗ୍‌ବି ଲିଗ୍ ମଧ୍ୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ସବୁ ଲିଗ୍ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ବାରାଣ୍ଟିନ୍ କେନ୍ଦ୍ରରେ ରଖିବାକୁ ଆୟୋଜନ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପ୍ରସ୍ତାବିତ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମଧ୍ୟ ଏହିଭଳି ବ୍ୟବସ୍ଥା ଗ୍ରହଣ କରାଯାଇପାରେ। ଦକ୍ଷିଣ କୋରିଆର କେ-ଲିଗ୍ ଫୁଟବଲ୍ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚ୍‌ରେ ମଧ୍ୟ ଜଣେ ହେଲେ ବି ଦର୍ଶକଙ୍କୁ ଷ୍ଟାଡିୟମକୁ ଛଡ଼ା ଯାଇ ନଥିଲା। ଦୁଇ ଦଳର ଖେଳାଳି ଓ ଅଧିକାରୀଙ୍କ ସହ କେବଳ ଟେଲିଭିଜନ୍ ସଂସ୍ଥାର କର୍ମଚାରୀଙ୍କୁ ପଡ଼ିଆ ଭିତରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଅବଶ୍ୟ ସବୁ ଖେଳାଳିଙ୍କର କରୋନା ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର