ନୀରବ ସାଧକ କ୍ରୀଡ଼ା ବ୍ୟକ୍ତିତ୍ବ ସୁବାସିତ ଶୁଭ୍ରାଂଶୁ

ଭୁବନେଶ୍ବର: ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା କ୍ରୀଡ଼ା ଦୁନିଆରେ ଜଣେ ପ୍ରତିଷ୍ଠିତ ଓ ସଫଳ ଟେନିସ୍ ପ୍ରଶିକ୍ଷକ ଭାବେ ସଭିଏଁ ଜାଣିଛନ୍ତି। ଓଡ଼ିଶାକୁ ଅନେକ ଯୁବ ପ୍ରତିଭା ଭେଟି ଦେଇଥିବା ଏହି ଟେନିସ୍ ଗୁରୁଙ୍କ ଯାତ୍ରା କ୍ରୀଡ଼ା ଦୁନିଆ ସହ ବାଲ୍ୟ ଜୀବନରୁ ଜଡ଼ିତ। କେବଳ ଟେନିସ୍‌ ନୁହେଁ ଦୌଡ଼କୁଦ, ସାଇକେଲ୍‌ଚାଳନା ଓ ପେସାଦାର ସ୍କୁବା ଡାଇଭିଂ ଆଦି ତାଙ୍କୁ ବିବିଧ ବ୍ୟକ୍ତିତ୍ବର ପରିଚୟ ବି ଦେଇଛି। ଟେନିସ୍ କିନ୍ତୁ ତାଙ୍କ ପ୍ରଥମ ଓ ଏକମାତ୍ର ପ୍ରେମ। ପଶ୍ଚିମ ଓଡ଼ିଶାରୁ ଉଦିତ ଏହି ଅନ୍ତର୍ଜାତୀୟ ସ୍ବୀକୃତ ଟେନିସ୍ ପ୍ରଶିକ୍ଷକଙ୍କ ସମ୍ପର୍କରେ ‘ସମ୍ବାଦ’ର ବିଶେଷ ପ୍ରତିବେଦନ।

ମହାନଦୀ କ୍ଲବ୍‌ରୁ ଟେନିସ୍‌
ସମ୍ବଲପୁରର ଏକ କ୍ରୀଡ଼ାବିତ୍‌ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ ସ୍ବାଭାବିକ ଭାବେ ଖେଳ ଦୁନିଆ ସହ ଆଦ୍ୟ ଜୀବନରୁ ଯୋଡ଼ି ହୋଇ ରହିଥିଲେ। ବାପା ଓ ଭାଇଙ୍କ ପ୍ରେରଣାରେ ହିଁ ଖେଳ ପ୍ରତି ଦୁର୍ବଳତା ରଖିଥିଲେ। ସତୁରୀ ଦଶକ ଶେଷ ଭାଗରେ ମହାନଦୀ କ୍ଲବ୍‌ ଟେନିସ୍ କୋର୍ଟରେ ପାଦ ଥାପିଥିବା ସେଦିନର ଚପଳମତି ବାଳକଟି ଆଜି ୬୦ ବର୍ଷରେ ବି ସକ୍ରିୟ, ଚଳଚଞ୍ଚଳ ଓ ଫିଟନେସ୍‌ର ମହତ୍ବ ପ୍ରଦାନ ଲାଗି ନିଜେ ହିଁ ଉଦାହରଣ। ସୁନୀଲ ମହାନ୍ତିଙ୍କ ତତ୍ବାବଧାନରେ କାଠ ରାକେଟ ଧରି ଖେଳ ଆରମ୍ଭ କରିଥିବା ଶୁଭାଂଶୁ ୮୦ ଦଶକରେ ରାଜ୍ୟ ପ୍ରତିଯୋଗିତା ଖେଳିଥିଲେ। ସମ୍ବଲପୁରର ସୀମିତ ସୁଯୋଗ ମଧ୍ୟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ନିରଂତର ଲାଗି ପଡ଼ିଥିଲେ।

ହାମର ଥ୍ରୋ କୀର୍ତ୍ତିମାନ
ଟେନିସ୍‌ ଖେଳ ସହିତ ଦୌଡ଼କୁଦ, ସାଇକେଲ୍‌ଚାଳନା ଏବଂ ସ୍କୁବା ଡାଇଭିଂ ବି କରନ୍ତି ଶୁଭ୍ରାଂଶୁ। ଅଶୀ ଦଶକରେ ଟେନିସ୍‌ରେ ୫ ଥର ରାଜ୍ୟ ବିଜେତା ହୋଇଥିଲେ, ରାଜ୍ୟ ଦୌଡ଼କୁଦ ଦୁନିଆରେ ବି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ହାମର ଥ୍ରୋ, ଡିସ୍‌କସ୍‌ ଏବଂ ସଟ୍‌ପୁଟ୍‌ରେ ନିଜ ଛାପ ଛାଡ଼ିଥିଲେ। ୧୯୭୯ ମସିହାରେ ହାମର ଥ୍ରୋ’ରେ ପ୍ରତିଷ୍ଠା କରିଥିଲେ ରାଜ୍ୟ କୀର୍ତ୍ତିମାନ (୩୨.୨୬ ମିଟର୍‌)। ଜଗଦାନନ୍ଦ ମହାପାତ୍ରଙ୍କ ପୂର୍ବ କୀର୍ତ୍ତିମାନକୁ ପଛରେ ପକାଇଥିଲେ। ଯାହାକି ଦୀର୍ଘ ଦିନ ଯାଏ ଅତୁଟ ଥିଲା।

ବିଏସ୍‌ଏଫ୍‌ରେ ୯ ବର୍ଷ
୧୯୮୨ ମସିହାରେ ଶୁଭ୍ରାଂଶୁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌)ରେ ଟ୍ରେନି ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଭାବେ ଯୋଗ ଦେଇଥିଲେ ଏବଂ ପ୍ରାୟ ୯ ବର୍ଷ କାଳ ଏଠାରେ ବିତାଇଥିଲେ। କମିସନ୍‌ଡ ଅଫିସର ଭାବେ ପଦୋନ୍ନତି ପାଇଥିଲେ। ଚାକିରି କାଳରେ ବି ସେ ଖେଳ ଜାରି ରଖିଥିଲେ। ସର୍ବଭାରତୀୟ ପୁଲିସ୍ କ୍ରୀଡ଼ାରେ ବିଏସ୍‌ଏଫ୍‌ ଦଳର ନେତୃତ୍ବ ନେବା ସହିତ ଫ୍ରିଣ୍ଟିଏର୍‌ ଗେମ୍ସରେ ବି ଭାଗ ନେଇଥିଲେ। ବେଙ୍ଗଲ, ପଞ୍ଜାବ ଏବଂ ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ବେଳେ ନିଜ କ୍ରୀଡ଼ା ପ୍ରତିଭାର ଭରପୁର ପ୍ରଦର୍ଶନ କରିଥିଲେ। ଶ୍ରୀନଗରର ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ଏବଂ ଟେନିସ୍ କୋର୍ଟରେ ବିସ୍ଫୋରଣ କାରଣରୁ ଅଭ୍ୟାସ ଅଟକିଯାଇଥିଲା। ନିଜର ପ୍ରଥମ ପ୍ରେମ ଖେଳରେ ସୀମିତ ଭବିଷ୍ୟତ ଏବଂ ସୁଯୋଗ କାରଣରୁ ଏହି ବୃତ୍ତିରୁ ସ୍ବେଛାକୃତ ଅବସର ନେବାକୁ ବାଧ୍ୟ ହୋଇଥିଲେ।

ଅବସର ପରେ ପ୍ରଶିକ୍ଷଣ
ବିଏସ୍‌ଏଫ୍‌ରୁ ସ୍ବେଚ୍ଛାକୃତ ଅବସର ନେବା ପରେ ସିଧାସଳଖ ଖେଳ ପଡିଆକୁ ଫେରିଥିଲେ ଶୁଭ୍ରାଂଶୁ। ତା’ ପୁଣି ନିଜ ପିଲାଦିନର କୋର୍ଟ ସମ୍ବଲପୁରକୁ। ନିଜେ ଖେଳିବା ଏବଂ ଶିଖାଇବାରେ ମନୋନିବେଶ କରିଥିଲେ। ପ୍ରତିଯୋଗିତା ଆୟୋଜନରେ ବି ଅଭିଜ୍ଞତା ଅର୍ଜନ କରିଥିଲେ। ତତ୍‌କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ବର୍ତମାନର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେରଣାରେ ହିଁ ଶୁଭ୍ରାଂଶୁ ମୁମ୍ବାଇରେ ଆଇଟିଏଫ୍‌ ଲେବୁଲ୍‌-୧ ପ୍ରଶିକ୍ଷଣରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ଅଭିଜ୍ଞତା ପରେ ସେ ଲେବୁଲ୍‌-୨କୁ ମଧ୍ୟ ସଫଳତାର ସହ ଶେଷ କରିଥିଲେ। ୨୦୦୦ ମସିହାରେ ଭୁବନେଶ୍ବର ଆସିବା ଶୁଭ୍ରାଂଶୁଙ୍କ ପ୍ରଶିକ୍ଷଣ ଜୀବନରେ ବଡ଼ ମୋଡ଼ ଆଣିଥିଲା। ମେ’ ଫେୟାର ଲାଗୁନ୍‌ ଟେନିସ୍ କଂପ୍ଲେକ୍ସରେ ପ୍ରଶିକ୍ଷଣ ପ୍ରଦାନ ଏବଂ ଏସ୍‌ଏସ୍‌ ଟେନିସ୍ ଏକାଡେମି ଗଠନ ତାଙ୍କୁ ପେସାଦାର ପ୍ରଶିକ୍ଷକ ଭାବେ ଉଭା କରାଇଥିଲା। ଏହି ଏକାଡେମି ମାଧ୍ୟମରେ ପ୍ରଶିକ୍ଷିତ ହୋଇ ଚିନ୍ମୟ ପ୍ରଧାନ, ଅଂଶୁ କୁମାର ଭୂୟାଁ, ସତୀର୍ଥ ପଟ୍ଟନାୟକ, ଭାନୁ ପ୍ରକାଶ, ସମୁଦ୍ର ଷଡ଼ଙ୍ଗୀ, ଅଭିଳାଷ ମିଶ୍ର, କବିର ହଂସ, ସୁସୀତା ଦାସ, ଶିଉଳି ଉପାଧ୍ୟାୟ, ପ୍ରତ୍ୟୁଷ ମହାନ୍ତି, ଅନମ ଅଲମାସ, ଭାର୍ଗବୀ ବନଗାଙ୍କ ଭଳି ଜାତୀୟ ଏବଂ ଆଇଟିଏଫ୍‌ ସ୍ତରର ଖେଳାଳି ବାହାରିଛନ୍ତି। ସୁସୀତା, ଅଭିଳାଷ, ଭାର୍ଗବୀ ମଧ୍ୟ ଆମେରିକା ବିଶ୍ବବିଦ୍ୟାଳୟରୁ ୧୦୦ ପ୍ରତିଶତ ଟେନିସ୍ ବୃତ୍ତି ପାଇ ବିଦେଶରେ ପ୍ରଶିକ୍ଷଣ ନେବାର ସୁଯୋଗ ଅର୍ଜନ କରିଛନ୍ତି।

ରାଜ୍ୟରେ ଟେନିସ୍ ପ୍ରସାର
ନିଜ ଅଭିଜ୍ଞତା ଏବଂ ପ୍ରଶିକ୍ଷଣ ମାଧ୍ୟମରେ ଖେଳାଳି ଗଢ଼ିବା କାମ ସହିତ ରାଜ୍ୟରେ ଟେନିସ୍‌ର ପ୍ରଚାର ଓ ପ୍ରସାର ଦିଗରେ ମଧ୍ୟ ଶୁଭ୍ରାଂଶୁ ଢେର ଯୋଗଦାନ ରଖିଛନ୍ତି। କେବଳ ରାଜ୍ୟ ଭିତରେ ନୁହେଁ ବିଗତ ୨ ଦଶନ୍ଧି ମଧ୍ୟରେ ଶ୍ରୀ ଷଡ଼ଙ୍ଗୀ ଦେଶର ବିଭିନ୍ନ ପ୍ରାନ୍ତରେ ଟେନିସ୍ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରି ଭାରତୀୟ ଟେନିସ୍‌କୁ ବି ବହୁ ଯୁବ ଖେଳାଳି ପ୍ରଦାନ କରିଛନ୍ତି। ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ଜିଲ୍ଲା ପ୍ରଶାସନର ସହଯୋଗରେ କଟକ, ସମ୍ବଲପୁର, ରାଉରକେଲା, ଭୁବନେଶ୍ବର, କେନ୍ଦୁଝର, ବ୍ରହ୍ମପୁର, ରାୟଗଡ଼ା, ବାରିପଦା, ବାଲେଶ୍ବର ଆଦି ସହରରେ ଟେନିସ୍ ଭିତ୍ତିଭୂମି ପ୍ରତିଷ୍ଠାରେ ବଡ଼ ଯୋଗଦାନ ରଖିଥିଲେ। ଏଥି ସହିତ ରାଜ୍ୟରେ ଏକାଧିକ ଆଇଟା ଟ୍ୟାଲେଣ୍ଟ୍ ସିରିଜ୍, ଚାମ୍ପିଅନସିପ୍‌ ସିରିଜ୍‌, ସୁପର୍‌ ସିରିଜ୍‌ରେ ମୁଖ୍ୟ ରେଫରି ଏବଂ ନିର୍ଦେଶକ ଭାବେ କାମ କରିଛନ୍ତି। ୨୦୧୮ରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରାଜ୍ୟର ଶ୍ରେଷ୍ଠ ଟେନିସ୍‌ ପ୍ରତିଯୋଗିତା ‘ଆଇଟିଏଫ୍‌ ଫ୍ୟୁଚର୍ସ’ ମଧ୍ୟ ତାଙ୍କ ତତ୍ବାବଧାନରେ ସମ୍ପନ୍ନ ହୋଇଥିଲା।

ଭାରତୀୟ ଯୁବ ଦଳ ଅଧିନାୟକ
ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା)ର ଅନ୍ୟତମ ଅନୁବଂଧିତ ତଥା ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ଭାବେ ଶ୍ରୀ ଷଡ଼ଙ୍ଗୀ ଭାରତୀୟ ଯୁବ ଦଳର ନେତୃତ୍ବ ନେବାର ଏକାଧିକ ସୁଯୋଗ ପାଇଛନ୍ତି। ବ୍ୟାଙ୍କକ୍‌ରେ ୧୪ ବର୍ଷରୁ କମ୍‌ ଦଳକୁ ଏସିଆ ଓସେନିଆ ଜୁନିଅର୍‌ ବର୍ଗରେ ପଦାର୍ପଣରେ ଚତୁର୍ଥ ସ୍ଥାନ ପର୍ଯ୍ୟନ୍ତ ନେବା ପରେ ବିଶ୍ବ କନିଷ୍ଠ ବର୍ଗରେ ଥରେ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ବିଜୟର ଶ୍ରେୟ ବି ଆଣିଛନ୍ତି। ଏସୀୟ ଏବଂ ବିଶ୍ବସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଲାଗି ସ୍ବିଜରଲାଣ୍ଡ୍‌, ହଲାଣ୍ଡ୍‌, ଜର୍ମାନି, ଅଷ୍ଟ୍ରିଆ, ଇଟାଲି, ଫ୍ରାନ୍ସ, ହଙ୍ଗେରି, ଚେକୋସ୍ଲୋଭାକିଆ, ସ୍ପେନ୍‌ ଆଦି ଦେଶ ଗସ୍ତ କରି ପ୍ରଚୁର ଅଭିଜ୍ଞତା ସାଉଁଟିଛନ୍ତି ଶୁଭ୍ରାଂଶୁ। ସେରେନା ୱିଲିୟମ୍ସ, ମାରିଆ ସାରାପୋଭା, ରାଫେଲ୍ ନାଦାଲ, ଷ୍ଟାନିଲାସ୍‌ ୱାରିଙ୍କା ଆଦିଙ୍କ ପ୍ରଶିକ୍ଷକଙ୍କ ସଂସ୍ପର୍ଶରେ ଆସିବା ଏବଂ ସେମାନଙ୍କ ଏକାଡେମି ଢାଞ୍ଚାକୁ ଅନୁଧ୍ୟାନ କରିବାର ପ୍ରତ୍ୟକ୍ଷ ସୁଯୋଗ ପାଇଛନ୍ତି।

ସରକାରୀ ସମର୍ଥନ ଲୋଡ଼ା
ଓଡ଼ିଶା ଟେନିସ୍‌ରେ ଦେଖାଦେଇଥିବା ସ୍ଥାଣୁତା ଏବଂ ଅଧୋପତନକୁ ରୋକି ହେବ ବୋଲି ଶ୍ରୀ ଷଡ଼ଙ୍ଗୀଙ୍କ ଆତ୍ମବିଶ୍ବାସ ରହିଛି। ଆଇଟିଏଫ୍‌ର ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ଓଡ଼ିଶା ନ ଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ। ଏହାକୁ ରୋକିବା ଲାଗି କିନ୍ତୁ ସରକାରୀ ଏବଂ ବେସରକାରୀ ସଂସ୍ଥା ସହିତ ରାଜ୍ୟ ସରକାରଙ୍କ ସମର୍ଥନ ନିହାତି ଲୋଡ଼ା। ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ମିଳିଲେ ଏହି ପତନକୁ ରୋକିହେବ। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଏବଂ ଦିଲ୍ଲୀରେ ସରକାରଙ୍କ ସମର୍ଥନ ମିଳିଥିବାରୁ ସେଠାରୁ ଶ୍ରେଷ୍ଠ ଖେଳାଳି ବାହାରି ପାରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ଲକ୍ଷ୍ୟ ଏଟିପି/ଡବ୍ଲୁଟିଏ
ନିଜର ଯୋଜନାବଦ୍ଧ ପ୍ରଶିକ୍ଷଣ ମାଧ୍ୟମରେ ଏସଏସ୍‌ ଟେନିସ୍ ଏକାଡେମି ଏବେ ଶ୍ରୀ ଷଡ଼ଙ୍ଗୀଙ୍କ ତତ୍ବାବଧାନରେ ମେ’ଫେୟାର ଲାଗୁନ୍‌ ଏବଂ ପାହାଳସ୍ଥିତ ହାଇୱେ ହୋଣ୍ଡା ଟେନିସ୍ କଂପ୍ଲେକ୍ସରେ ଚାଲିଛି। ରାଜ୍ୟର ସବୁ ଜିଲ୍ଲା ଏବଂ ସହରରେ ପ୍ରତିଭା ରହିଛନ୍ତି। ସେମାନଙ୍କୁ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ଜରିଆରେ ଗଢ଼ା ଗଲେ ଅନ୍ୟ ଖେଳ ଭଳି ଆଗକୁ ବଢ଼ି ହେବ। ଖେଳ ହିଁ ଯୁବସମାଜକୁ ଭଲ କ୍ୟାରିୟର୍‌ ଏବଂ ଠିକଣା ମାର୍ଗଦର୍ଶନ ଦେଇପାରିବ। ଭବିଷ୍ୟତରେ ଓଡ଼ିଶାରୁ ଏଟିପି ଏବଂ ଡବୁଲ୍ୟଟିଏ ସର୍କିଟ ପର୍ଯ୍ୟନ୍ତ ଖେଳାଳି ପହଞ୍ଚାଇବା ତାଙ୍କ ଜୀବନର ଏକମାତ୍ର ବ୍ରତ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର