ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ବହୁ ପ୍ରତୀକ୍ଷିତ ଇଂଲଣ୍ଡ ଲାଗି ଦଳ ଘୋଷଣା ଆସନ୍ତା ୨୪ ତାରିଖରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଦିନ ମଧ୍ୟ ଚୟନକର୍ତ୍ତା ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା କରିବେ। ଭାରତୀୟ ଦଳର ନୂଆ ଅଧିନାୟକ ଦୌଡ଼ରେ ଶୁବମନ ଗିଲ୍ ଓ ଋଷଭ ପନ୍ତ ଥିଲା ବେଳେ କେଏଲ୍ ରାହୁଲଙ୍କ ନାଁ ମଧ୍ୟ ବିଚାରକୁ ଆସିଛି। ପୂର୍ବରୁ ଅଧିନାୟକ ଦୌଡ଼ରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ରହିଥିଲେ। ତାଙ୍କୁ ମଧ୍ୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏବଂ ପୂର୍ବତନ ସ୍ପିନର ଆର୍ ଅଶ୍ବିନ ଦୃଢ଼ ସମର୍ଥନ କରିଥିଲେ। ତେବେ ବୁମ୍ରା ନିଜ ଆଡ଼ୁ ଅଧିନାୟକ ଦୌଡ଼ରୁ ଓହରି ଯାଇଥିବା ଜଣାପଡ଼ିଛି। ଗିଲ୍ ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ହେବା ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଥିଲେ ମଧ୍ୟ୍ୟ ଜଣେ ଦୁଇଜଣ ଚୟନକର୍ତ୍ତା ତାଙ୍କୁ ଏତେ ଶୀଘ୍ର ଟେଷ୍ଟ୍ ଦଳର ମଙ୍ଗ ଧରାଇବା ସପକ୍ଷରେ ନାହାନ୍ତି। ବରଂ ଗିଲ୍ଙ୍କୁ ଇଂଲଣ୍ଡ ଗସ୍ତରେ ଉପଅଧିନାୟକ କରି ଜଣେ ତୁଳନାତ୍ମକ ଭାବେ ଅଧିକ ଅଭିଜ୍ଞତା ରଖିଥିବା ଖେଳାଳିଙ୍କୁ ଅଧିନାୟକ ପଦରେ ଅବସ୍ଥାପିତ କରିବାକୁ ସେମାନେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ସୁପାରିସ୍ ମଧ୍ୟ କରିସାରିଛନ୍ତି। ଏହି ଶୃଙ୍ଖଳାରୁ ଭାରତ ୨୦୨୫ରୁ ୨୦୨୭ ପର୍ଯ୍ୟନ୍ତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଚକ୍ର ଆରମ୍ଭ କରିବାକୁ ଯାଉଥିବାରୁ ୨୫ ବର୍ଷୀୟ ଗିଲ୍ଙ୍କ ଏତେ ବଡ଼ ଦାୟିତ୍ବ ଦେବା ଠିକ୍ ହେବ ନାହିଁ ବୋଲି କିଛି ପୂର୍ବତନ କ୍ରିକେଟର୍ ଖୋଲାଖୋଲି ମନ୍ତବ୍ୟ ଦେବା ତାଙ୍କ ବିପକ୍ଷରେ ଯାଇପାରେ। ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ପୂର୍ବାହ୍ନ ଜାତୀୟ ବରିଷ୍ଠ ଚୟନ ସମିତିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହା ପରେ ଅପରାହ୍ଣ ୧୨ରେ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବେ ଦଳ ସହ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରାଯିବ। ଭାରତୀୟ ଏ’ ଦଳରେ ସ୍ଥାନ ପାଇଥିବା କରୁଣ ନାୟର ଓ ଈଶାନ କିଶନଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଚୟନକର୍ତ୍ତା ବରିଷ୍ଠ ଦଳ ଲାଗି ବିଚାରକୁ ନେଇ ପାରନ୍ତି। ସେହିଭଳି ଶୃଙ୍ଖଳାର ପୂରା ପାଞ୍ଚଟି ମ୍ୟାଚ୍ ଲାଗି ଦଳ ଘୋଷଣା କରିବା ପରିବର୍ତ୍ତେ ପ୍ରଥମ ତିନିଟି ମ୍ୟାଚ୍ ଲାଗି ଦଳ ଘୋଷଣାର ବିକଳ୍ପକୁ ମଧ୍ୟ ବିଚାରକୁ ନେଇ ପାରନ୍ତି।
ଭାରତକୁ ହାଲ୍କା ଭାବେ ନେବାର ଭୁଲ୍ କରିବୁନି: ଷ୍ଟୋକ୍ସ
ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ୍ କ୍ରିକେଟ୍ରୁ ସନ୍ନ୍ୟାସ ନେଇସାରିଛନ୍ତି। ଜୁନ୍ରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ସେଠାରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଥିବାରୁ କୋହଲି ଓ ରୋହିତଙ୍କ ଅନୁପସ୍ଥିତି ଭାରତୀୟ ଦଳକୁ ପୂର୍ବାପେକ୍ଷା ଦୁର୍ବଳ କରି ଦେଇଛି ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚା ପାଇଁ ଭାରତୀୟ ଦଳକୁ ହାଲ୍କା ଭାବେ ନ ନେବାକୁ ଇଂଲଣ୍ଡର ତାରକା ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ସାଥୀ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ନିଜସ୍ବ ୱେବସାଇଟ୍କୁ ସାକ୍ଷାତକାର ଦେଇ କହିଛନ୍ତି ଭାରତର ବ୍ୟାଟିଂକ୍ରମ ବେଶ୍ ଗଭୀର। ରୋହତ ଓ କୋହଲି ଅବସର ନେବାର ପ୍ରଭାବ ଭାରତୀୟ ଦଳ ଉପରେ ନିଶ୍ଚିତ ପଡ଼ିବ। ତେବେ ସେମାନେ ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଛନ୍ତି ବୋଲି ଭାବିବା ମସ୍ତବଡ଼ ଭୁଲ୍ ହେବ। ବିଶ୍ବର ଯେକୌଣସି ଦେଶରେ ଖେଳିଲେ ବି ଭାରତ ଏକ ଶକ୍ତିଶାଳୀ ଦଳ ଭାବେ ନିଜକୁ ପ୍ରତିପାଦିତ କରି ଆସଛି। ସବୁଠୁ ବଡ଼ କଥା ହେଲା କୋହଲି ଓ ରୋହିତଙ୍କ ଅନୁପସ୍ଥିତି ନେଇ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ଭରଣା କରିବାକୁ ଖେଳାଳି ସେମାନଙ୍କ ପାଖରେ ଅଛନ୍ତି।
ଆର୍ଚର ଆହତ, ଅଡ଼ୁଆରେ ଇସିବି
ଲଣ୍ଡନ: ଭାରତ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆହତ ହୋଇଛନ୍ତି। ଫଳରେ ୱେଷ୍ଟ୍ଇଣ୍ଡିଜ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଭାରତ ଶୃଙ୍ଖଳା ପୂର୍ବରୁ ଆର୍ଚର ସୁସ୍ଥ ନହେଲେ ଏହା ଇଂଲଣ୍ଡକୁ ଚିନ୍ତାରେ ପକାଇବ। ଏଥିପାଇଁ ଆର୍ଚର ରାଜସ୍ଥାନ ରୟାଲ୍ସର ଗତ ଦୁଇ ମ୍ୟାଚ୍ ଖେଳିପାରି ନାହାନ୍ତି। ଶେଷ ଥର ଲାଗି ଚଳିତ ମାସ ୪ ତାରିଖରେ କେକେଆର୍ ବିପକ୍ଷରେ ଖେଳିଥିଲେ। ଜାତୀୟ ସେବା ଲାଗି ଆର୍ଚରଙ୍କୁ ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ଛାଡ଼ି ଦେଇଛି। ଅନ୍ୟପକ୍ଷରେ ୱେଷ୍ଟ୍ଇଣ୍ଡିଜ୍ ଶୃଙ୍ଖଳାରେ ତାଙ୍କ ବଦଳରେ ଇଂଲଣ୍ଡ ଦଳରେ ଲୁକ୍ ଉଡ୍ ସ୍ଥାନ ପାଇଛନ୍ତି।