ବର୍ମିଂହାମ୍‌ରେ ଏକକ ପଦକ ଲକ୍ଷ୍ୟରେ ସ୍କ୍ବାସ୍‌ ଖେଳାଳି

ଦୁଇ ମହିଳା କ୍ରିକେଟର୍‌ କୋଭିଡ୍ ପଜିଟିଜ୍

ବର୍ମିଂହାମ: ଗୁରୁବାରଠୁ ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଏଥିଲାଗି ଭାରତୀୟ ଦଳ ବର୍ମିଂହାମରେ ପହଞ୍ଚି ସାରିଲେଣି। ଭାରତୀୟ ସ୍କ୍ବାସ ଦଳ ୩ ତାରକା ଦୀପିକା ପାଲିକଲ, ଜୋତ୍ସ୍ନା ଚିନାପ୍ପା ଓ ସୌରଭ ଘୋସାଲଙ୍କ ନେତୃତ୍ବରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି। ୧୫ ବର୍ଷ ଧରି ଏମାନେ ସ୍କ୍ବାସର ଭାର ସମ୍ଭାଳୁଛନ୍ତି। ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ାରେ ସ୍କ୍ବାସ ୧୯୯୮ରେ ପ୍ରଥମ ଥର ଯୋଡ଼ି ହୋଇଥିଲା। ସେହି ଦିନଠୁ ଆଜି ପର୍ଯ୍ୟନ୍ତ ଭାରତ ଏହି ଇଭେଣ୍ଟରେ କେବଳ ୩ ପଦକ ଜିତିଛି। ୮ ବର୍ଷ ତଳେ ଗ୍ଲାସ୍‌ଗୋ ସଂସ୍କରଣରେ ‌ଜୋତ୍ସ୍ନା ଓ ଦୀପିକା ସ୍ବର୍ଣ୍ଣ ଜିତିଥିଲେ। ଏଥର ଏହି ତ୍ରିମୂର୍ତ୍ତି ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ଚଳିତ ବର୍ଷ ଦୀପିକା ଓ ଜୋତ୍ସ୍ନା ବିଶ୍ବ ପ୍ରତ‌ିଯୋଗିତାରେ ମହିଳା ଯୁଗଳ ଟ୍ରଫି ଜିତିଥିଲେ। ଏଥିସହ ଗତ ଏପ୍ରିଲରେ ସୌରଭଙ୍କ ସହ ମିଶି ଦୀପିକା ବିଶ୍ବ ମିଶ୍ରିତ ଯୁଗଳ ଟ୍ରଫି ମଧ୍ୟ କରାୟତ୍ତ କରିଥିଲେ। ଜୋତ୍ସ୍ନା ଓ ସୌରଭ ମଧ୍ୟ ଏକକରେ ବିଶ୍ବ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଥିଲେ। ମାତୃତ୍ବ ଲାଭ କରି ଫେରିଥିବାରୁ ଦୀପିକା ଏକକରେ ଅଂଶଗ୍ରହଣ କରିନଥିଲେ। ଦୀପିକାଙ୍କୁ ଛାଡ଼ିଦେଲେ ସୌରଭ ଓ ଜୋତ୍ସ୍ନା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକକ ବର୍ଗରେ ଅଂଶଗ୍ରହଣ କରିବେ। ଏମାନେ ବର୍ମିଂହାମରେ ଏକକ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି। ‘‘ଆମର ଏକକ ବର୍ଗରେ ପଦକ ଜିତିବା ଆଶା ଅଧିକ ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଡ଼ ପ୍ରତିନ୍ଦ୍ବନ୍ଦ୍ବିତା ହୋଇଥାଏ। ପଦକ ଜିତିବା ବଡ଼ କଥା। ମୁଁ ଡ୍ର’କୁ ଦେଖୁନି। ଗତଥର ଭୁଲ୍‌ କଥା ମଧ୍ୟ ଭାବୁନି। କେବଳ ପଦକ ପର୍ଯ୍ୟାୟରେ କିପରି ପହଞ୍ଚିବି ତା’ଉପରେ ଲକ୍ଷ୍ୟ’’ ବୋଲି କହିଛନ୍ତି ତୃତୀୟ ମାନ୍ୟତାପ୍ରାପ୍ତ ସୌରଭ।
ବର୍ମିଂହାମ ଗସ୍ତ ପୂର୍ବରୁ ଭାରତୀୟ ଖେଳାଳି ଚେନ୍ନାଇରେ ପୂର୍ବତନ ଏକ ନମ୍ବର ଗ୍ରେଗୋରି ଗଲଟିଅରଙ୍କଠୁ ପ୍ରଶିକ୍ଷଣ ନେଉଥିଲେ। ଏହି ତ୍ରମୂର୍ତ୍ତିଙ୍କ ବାଦ୍‌ ୧୪ ବର୍ଷୀୟା ଆନାହାତ ସିଂହ ମଧ୍ୟ ସମସ୍ତଙ୍କ ନଜରରେ ରହି‌ବେ। ସେ ଗତ ମାସରେ ୧୫ ବର୍ଷରୁ କମ୍ ଏସୀୟ ବାଳିକା ସ୍କ୍ବାସ ପ୍ରତିଯୋଗିତା‌ରେ ବିଜୟିନୀ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଦଳରେ ସୁନୟନା କୁରୁଭିଲ୍ଲା, ଅଭୟ ସିଂହ, ରମିତ ଟଣ୍ଡନ ଓ ଭି ସେନ୍ଥିଲକୁମାର ରହିଛନ୍ତି।

ନୂଆଦିଲ୍ଲୀ: ଶୁକ୍ରବାରର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମ୍ୟାଚ୍ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ବଡ଼ ଝଟ୍‌କା ଲାଗିଛି। ଦଳର ଦୁଇ ଜଣ ଖେଳାଳି କୋଭିଡ୍ ପଜିଟିଭ୍ ଆସିବା ପରେ ସେମାନଙ୍କ ବିନା ଭାରତୀୟ ଦଳ ମଙ୍ଗଳବାର ବର୍ମିଂହାମ ଯାତ୍ରା କରିବାକୁ ବାଧ୍ୟ ହୋଇଛି। ତେବେ ଏହି ଦୁଇ ଖେଳାଳିଙ୍କ ନାମ ପ୍ରକାଶ କରାଯାଇନାହିଁ। ଭାରତୀୟ ଦଳର ଜଣେ ଖେଳାଳି କୋଭିଡ୍ ପଜିଟିଭ୍ ଆସିବା କଥା‌ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୂର୍ବରୁ ସ୍ବୀକାର କରିଥିଲେ। ତେବେ ଦଳ ସେଠାକୁ ଯାତ୍ରା କରିବାର ଠିକ୍ ପୂର୍ବରୁ ଆଉ ଜଣେ ଖେଳାଳି କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସଂପୃକ୍ତ ଖେଳାଳି ଜଣକ ମଧ୍ୟ ବର୍ମିଂହାମ ଯାଇପାରିନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ଏହି ଦୁଇଜଣ ଖେଳାଳି ବାଦ୍ ପଡ଼ିଛନ୍ତି। ଅଗଷ୍ଟ ୩ରେ ଖେଳାଯିବାକୁ ଥିବା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏହି ଖେଳାଳି ଦଳ ସହ ଯୋଗଦେବେ କି ନାହିଁ ସେକଥା ମଧ୍ୟ ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ ଏଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ୍ ପ୍ରଥମ ଥର ଲାଗି ସାମିଲ ହୋଇଛି। ପ୍ରତିଯୋଗିତାର ଫାଇନାଲ୍ ସହ ସମସ୍ତ ମ୍ୟାଚ୍ ଇଂଲଣ୍ଡର ଏଜ୍‌ବାଷ୍ଟନଠାରେ ଖେଳାଯିବ।

ସମ୍ବନ୍ଧିତ ଖବର