ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ଓଡ଼ିଆ ଭାଇ-ଭଉଣୀଙ୍କ ଚମକ, ତୀରନ୍ଦାଜିରେ ଶ୍ରବଣ ଜିତିଲେ ସ୍ବର୍ଣ୍ଣ

ତେନ୍ଦୁଲକରଙ୍କ ଭଳି ପ୍ରସିଦ୍ଧ ହେବା ସୋନିଙ୍କ ସ୍ବପ୍ନ

ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ପକ୍ଷରୁ ଖେଳୁଛନ୍ତି ଭାଇ-ଭଉଣୀ ଶ୍ରବଣ ମଣ୍ଡାଙ୍ଗୀ ଓ ସୋନି ମଣ୍ଡାଙ୍ଗୀ। ଶ୍ରବଣ ବୁଧବାର ତୀରନ୍ଦାଜି ରିକର୍ଭ ଦଳଗତ ବର୍ଗରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିସାରିଛନ୍ତି। ‌ଭଉଣୀ ସୋନି ଗୁରୁବାର ପଞ୍ଜାବ ବିଶ୍ବବିଦ୍ୟାଳୟ ବିପକ୍ଷ ରଗ୍‌ବି ମ୍ୟାଚ୍‌ରେ କିଟ୍‌କୁ ୪୩-୦‌ ଗୋଲ୍‌ରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଦଳରେ ସ୍ଥାନ ପାଇବା ସହ ବ୍ୟକ୍ତିଗତ ବର୍ଗରେ ଭଲ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରବଣ କହିଛନ୍ତି। ସେହିଭଳି ସୋନିଙ୍କ ଲକ୍ଷ୍ୟ ରହିଛି କ୍ରିକେଟ୍‌ ତାରକା ସଚିନ ତେନ୍ଦୁଲକରଙ୍କ ଭଳି ପ୍ରସିଦ୍ଧ ହେବା।

ଆଦିବାସୀ ପରିବାରର ଏହି ଭାଇଉଭଣୀ ‌ଅତି ଛୋଟ ବେଳୁ କିସ୍‌ରେ ଯୋଗଦେଇଥିଲେ। ପାଠ କି ଖେଳ କ’ଣ ଉଭୟ ଜାଣି ନଥିଲେ। କିସ୍‌ରେ ରହିବା ପରେ ଏମାନେ ଏ ବିଷୟରେ ଜାଣିବା ସହ ଖାଲି ପାଠ ନୁହେଁ ଖେଳରେ ମଧ୍ୟ ମନୋନିବେଶ କଲେ। ଭାଇ କିଟ୍‌ ପକ୍ଷରୁ ତୀରନ୍ଦାଜି ଖେଳୁଥିଲା ବେଳେ ଭଉଣୀ ସୋନି ରଗ୍‌ବି ଦଳର ସଦସ୍ୟା ରହିଛନ୍ତି। ଉଭୟଙ୍କ ପାଇଁ କିସ୍ ପାଠ ପଢ଼ାଠୁ ଆରମ୍ଭ କରି ସମସ୍ତ ଖର୍ଚ ତୁଲାଉଛି। ସପ୍ତମ ଶ୍ରେଣୀରେ ପଢ଼ୁଥିଲା ବେଳେ ମୁଁ ତୀରନ୍ଦାଜି ଖେଳିବା ଆରମ୍ଭ କରିଥିଲି। ମୋ ବାପା ଆଦିବାସୀ, ଏବେ ସେ ଜଣେ ଚାଷୀ। କିଟ୍‌ ସବୁ ବ୍ୟବସ୍ଥା କରିଛି ଏବଂ ଏହା ଆମର ଘର। ଆମେ ବର୍ଷକୁ ଥରେ (ଗ୍ରୀଷ୍ମ ଛୁଟିରେ) ଆମ ଗାଁକୁ ଯାଉ। ଏବେ ମୋର ପରବର୍ତୀ ଲକ୍ଷ୍ୟ ବରିଷ୍ଠ ଜାତୀୟ କ୍ରୀଡ଼ା। ଦଳରେ ସ୍ଥାନ ପାଇବା ସହ ବ୍ୟକ୍ତିଗତ କ୍ରୀଡ଼ାରେ ଭଲ କରିବା ଲକ୍ଷ୍ୟ ରଖିଛି। ମୋର ବିଶ୍ବାସ ଜାତୀୟ କ୍ରୀଡ଼ାରେ ନିଶ୍ଚିତ ‌ପଦକ ଜିତିବି ବୋଲି କହିଛନ୍ତି ଶ୍ରବଣ।

ଗାଁରେ ଥିଲା ବେଳେ ଆମେ ପାଠ ଆଉ ଖେଳ କ’ଣ ଜାଣିନଥିଲୁ। ଆଦିବାସୀ ପିଲାଙ୍କ ପାଇଁ ଏଠାରେ ଏକ ସ୍କୁଲ ଅଛି ବୋଲି ବାପା ଜାଣିବାକୁ ପାଇଲେ। ଆମ ଦୁହିଁଙ୍କ ନାଁ ଲେଖାଇଲେ। ନାଁ ଲେଖାଇବାର ଦୁଇ ବର୍ଷ କି ତାଠୁ କମ୍‌ ହେବ, ୨୦୦୭ ମସିହାରେ ଆମ ସ୍କୁଲ୍‌ର ପିଲା ଭାରତ ପାଇଁ ଖେଳିଲେ, ଲଣ୍ଡନରେ ଆୟୋଜିତ ଅନ୍ତର୍ଜାତୀୟ ସ୍କୁଲ୍ ରଗ୍‌ବି ପ୍ରତିଯୋଗିତା ଜିତିଥିଲେ। ଏହା ମୋତେ ଖେଳିବା ଲାଗି ‌ପ୍ରେରଣା ଦେଇଥିଲା ବୋଲି ୧୯ ବର୍ଷୀୟା ସୋନି କହିଛନ୍ତି। ଏହା ‌ପରେ ମୁଁ ଖେଳିବା ସହ ଭାରତୀୟ କନିଷ୍ଠ ରଗ୍‌ବି ଦଳରେ ସ୍ଥାନ ପାଇ ପାରିଥିଲି। ଚଳିତ ବର୍ଷ ମୁଁ ଭାରତୀୟ ବରିଷ୍ଠ ଦଳ‌ରୁ ପ୍ରତିନିଧିତ୍ବ କରିବାର ଲକ୍ଷ୍ୟ ରଖିଛି। ଏଥିପାଇଁ ମୁଁ ଜୋରଦାର ଅଭ୍ୟାସ କରୁଛି ବୋଲି କହିଛନ୍ତି ସୋନି। ରଗ୍‌ବି ଭାରତରେ ଏକ ଲୋକପ୍ରିୟ ଖେଳ ନୁହେଁ ସତ କିନ୍ତୁ ମୋର ଲକ୍ଷ୍ୟ ହେଉଛି ସଚିନଙ୍କ ପରି ପ୍ରସିଦ୍ଧ ଲାଭ କରିବା। ଓଡ଼ିଶାର କିଛି ଜିଲ୍ଲାରେ ଏହି ଖେଳ ସୀମିତ ରହିଯାଇଛି। ସାରା ରାଜ୍ୟରେ ରଗ୍‌ବିର ଅଧିକ ପ୍ରସାରପ୍ରଚାର କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର