ଭୁବନେଶ୍ବର : ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମିଳିଛି ଆଉ ଏକ ଗୁରୁ ଦାୟିତ୍ବ। ଏଏଫ୍‌ସି ‘ବି’ ଲାଇସେନ୍ସପ୍ରାପ୍ତ ଶ୍ରଦ୍ଧାଞ୍ଜଳିଙ୍କୁ ଚଳିତ ବର୍ଷର ୧୭ ବର୍ଷରୁ କମ୍‌ ସାଫ୍‌ ଚାମ୍ପିଅନସିପ୍‌ ଲାଗି ଭାରତୀୟ ଦଳ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଏହି ମର୍ଯ୍ୟାଦାଜନକ ମହାଦେଶୀୟ ମହିଳା ପ୍ରତିଯୋଗିତା ୨୦୨୩ ମାର୍ଚ୍ଚ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆୟୋଜକ ଦେଶ କିନ୍ତୁ ସ୍ପଷ୍ଟ ‌ହୋଇନାହିଁ। ୨୦୧୮ରେ ଭାରତ ଦୁଇ ଥର ଏହି ପ୍ରତିଯୋଗିତା ଜିତିଥିଲେ ମଧ୍ୟ ୨୦୨୨ରେ ଏହାକୁ ବଜାୟ ରଖିପାରିନଥିଲା। ସେଥର ନେପାଳ ପ୍ରତିଯୋଗିତା ଜିତି ନେଇଥିଲା।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ଶ୍ରଦ୍ଧାଞ୍ଜଳି ଭାରତୀୟ ଦଳର ପ୍ରଶିକ୍ଷକ ଏବଂ ଚୟନକର୍ତା ଭାବେ କାର୍ଯ୍ୟ କରି ଆସିଥିବାରୁ ପ୍ରଚୁର ଅଭିଜ୍ଞତା ଅର୍ଜନ କରିଛନ୍ତି। ଗତବର୍ଷ ଭାରତୀୟ ଯୁବା (୧୭ ବର୍ଷରୁ କମ୍ ବାଳିକା) ଦଳ ଭୁବନେଶ୍ବରରେ ଅନୁଷ୍ଠିତ ଫିଫା ଯୁବା ବିଶ୍ବକପ୍‌ (୧୭ ବର୍ଷରୁ କମ୍‌ ବାଳିକା)ରେ ଅଂଶଗ୍ରହଣ କରିଥିବା ବେଳେ ବରିଷ୍ଠ ଦଳର ସ୍ବିଡିସ୍ ପ୍ରଶିକ୍ଷକ ଥମାସ ‌ଡେନର୍ବି ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଭାରତ ସମସ୍ତ ପୁଲ୍ ମ୍ୟାଚ୍‌ ହାରି ଅଲୋଡ଼ା ପଦାର୍ପଣ କରିଥିଲା। ଶ୍ରଦ୍ଧାଞ୍ଜଳିଙ୍କୁ ନୂଆ ଦାୟିତ୍ବ ଲାଗି ଓଡ଼ିଶା ଫୁଟ୍‌ବଲ୍ ସଂଘ (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।

ପୂର୍ବରୁ ଶ୍ରଦ୍ଧାଞ୍ଜଳି ଭାରତୀୟ ୧୪, ୧୬ ଓ ୧୭ ବ‌ର୍ଷରୁ କମ୍‌ ଦଳର ପ୍ରଶିକ୍ଷଣ ଦାୟିତ୍ବ ତୁଲାଇଛନ୍ତି। ୧୭ ବର୍ଷରୁ କମ୍ ବାଳିକା ଦଳକୁ ନେଇ ୨୦୧୮ରେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।