ବୁଧବାର ଥିଲା ଭାରତୀୟ ମହିଳା ଟେବୁଲ୍ ଟେନିସ୍ ତାରକା ଶ୍ରୀଜା ଅକୁଲାଙ୍କ ୨୬ତମ ଜନ୍ମଦିବସ। ଏହାକୁ ସ୍ମରଣୀୟ କରିବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ହାତଛଡ଼ା କରି ନଥିଲେ ସେ। ମହିଳା ଏକକ ଟିଟିର ରାଉଣ୍ଡ୍ ଅଫ୍ ୩୨ରେ ଶ୍ରୀଜା ୪-୨(୯-୧୧, ୧୨-୧୦, ୧୧-୪, ୧୧-୫, ୧୦-୧୨, ୧୨-୧୦) ରେ ସିଙ୍ଗାପୁରର ଜିଆନ ଜେଙ୍ଗ୍ଙ୍କୁ ପରାସ୍ତ କରିଛନ୍ତି। ତେବେ ପୂର୍ବରୁ ପ୍ରିକ୍ବାର୍ଟରକୁ ଯାଇଥିବା ଅନ୍ୟତମ ଭାରତୀୟ ମନିକା ବାତ୍ରାଙ୍କ ଏକକ ଅଭିଯାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ସେ ୧-୪ (୬-୧୧, ୯-୧୧, ୧୪-୧୨, ୮-୧୧, ୬-୧୧)ରେ ଜାପାନର ମିଉ ହିରାନୋଙ୍କଠାରୁ ପରାଜିତ ହୋଇଛନ୍ତି। ବୁଧବାରର ମୁକାବିଲାରେ କିନ୍ତୁ ଶ୍ରୀଜା ପରାଜୟରୁ ନିଜ ଅଭିଯାନ ଆରମ୍ଭ କରିଥିଲେ। ଅର୍ଥାତ୍ ପ୍ରଥମ ସେଟ୍କୁ ହାରି ଯାଇଥିଲେ। ତେବେ ପରବର୍ତ୍ତୀ ତିନିଟି ସେଟ୍ ଜିତି ଜେଙ୍ଗଙ୍କ ଉପରକୁ ଚାପ ଫେରାଇ ଦେଇଥିଲେ। ଜେଙ୍ଗ୍ ମଧ୍ୟ ଲଢ଼ିଥିଲେ। ଚତୁର୍ଥ ସେଟ୍କୁ ଜେଙ୍ଗ୍ ଜିତି ସ୍ଥିତି ୩-୨ କରିବା ସହ ମ୍ୟାଚ୍ର ଉତ୍କଣ୍ଠା ବଢ଼ାଇ ଦେଇଥିଲେ। ତେବେ ନିର୍ଣ୍ଣାୟକ ଷଷ୍ଠ ସେଟ୍କୁ ଜିତି ଶ୍ରୀଜା ବିଜୟର ମିଠାମିଠା ସ୍ବାଦ ଚାଖିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp