ନୂଆଦିଲ୍ଲୀ: ୭ବର୍ଷର ବ୍ୟବଧାନ ପରେ ନୂଆ ରୂପ ଏବଂ ନୂତନ ଢାଞ୍ଚାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଥିବା 'ହକି ଇଣ୍ଡିଆ ଲିଗ୍‌'କୁ ମିଳିଛି ତାରକାଙ୍କ ସମର୍ଥନ। ପ୍ୟାରିସ୍ ଅଲିମ୍ପିକ୍ସ ପରେ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିବା ଭାରତର ମହାନ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ଲିଗ୍‌ର ଅନ୍ୟତମ ନବାଗତ ଦଳ ଦିଲ୍ଲୀ ଏସ୍‌ଜି ପାଇପର୍ସ ଦଳର ମାର୍ଗଦର୍ଶକ ନିଯୁକ୍ତ ହୋଇଛନ୍ତି। ଭାରତୀୟ ହକି ଦଳର ପୂର୍ବତନ ପ୍ରଶିକ୍ଷକ ଗ୍ରାହାମ ରିଡ୍ ଏବଂ ଭାରତୀୟ ମହିଳା ହକି ଦଳର ବୈଷୟିକ ଅନୁଶଳନ ପ୍ରଶିକ୍ଷକ ଡେଭ୍ ସ୍ମୋଲିନାର୍ସ ଯଥାକ୍ରମେ ଏହ‌ି ଫ୍ରାଞ୍ଚାଇଜର ପୁରୁଷ ଓ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। 

Advertisment

ସୂଚନାଯୋଗ୍ୟ ଯେ ହକି ଇଣ୍ଡିଆ ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ଚଳିତବର୍ଷ ଡିସେମ୍ବର ୨୮ ତାରିଖରୁ ଫେବ୍ରୁଆରି ପହିଲା ମଧରେ ଓଡ଼ିଶାର ରାଉରକେଲା ଏବଂ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯିବ। ପୁରୁଷରେ ୮ ଏବଂ ମହିଳାରେ ୬ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ପୁରୁଷ ଲିଗ୍‌ର ସମସ୍ତ ୮ଟି ଯାକ ଦଳର ନାଁ ଓ ସହର ଘୋଷଣା କରାଯାଇ ସାରିଥିଲା ବେଳେ ମହିଳା ଦଳର ୪ଟି ଦଳର ନାଁ ଘୋଷଣା କରାଯାଇଛି। ଆଗାମୀ ସମୟରେ ଆଉ ଦୁଇଟି ମହିଳା ଦଳର ନାଁ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ଲିଗ୍ ପାଇଁ ୩୬୪୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଜଣାପଡ଼ିଛି।