ହକି ଗୋଲ୍କିପର ପିଆର୍ ଶ୍ରୀଜେଶ ରବିବାର ଉଦ୍ଯାପନୀ ଉତ୍ସବରେ ତାରକା ସୁଟର୍ ମନୁ ଭାକରଙ୍କ ସହ ଭାରତର ପତାକା ଧରିବେ। ହକି ଦଳରେ କାଂସ୍ୟ ବିଜୟରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ଶ୍ରୀଜେଶଙ୍କୁ ଏହି ସମ୍ମାନଜନକ କାର୍ଯ୍ୟ ଲାଗି ମନୋନୀତ କରିଛି। ଶ୍ରୀଜେଶଙ୍କୁ ଚୟନ କରିବା ପୂର୍ବରୁ ଆଇଓଏ ମୁଖ୍ୟ ପିଟି ଉଷା ଜାଭ୍ଲିନ୍ ସୁପରଷ୍ଟାର୍ ନୀରଜ ଚୋପ୍ରାଙ୍କ ସହ ଆଲୋଚନା କରିଥିଲେ। ଅବସରପ୍ରାପ୍ତ କିଂବଦନ୍ତି ଶ୍ରୀଜେଶଙ୍କୁ ପତାକାଧାରୀ କରିବାକୁ ଉଷାଙ୍କୁ ନୀରଜ କହିଥିଲେ। ନୀରଜ ଗୁରୁବାର ରୌପ୍ୟ ପଦକ ଜିତି ପ୍ରଥମ ଟ୍ରାକ୍ ଆଣ୍ଡ ଫିଲ୍ଡ ଭାରତୀୟ ଆଥ୍ଲେଟ୍ ଭାବେ ଦୁଇ ଅଲିମ୍ପିକ୍ସ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ସେ ଟୋକିଓରେ ଐତିହାସିକ ସ୍ବର୍ଣ୍ଣ ପାଇଥିଲେ। ‘‘ମୁଁ ନୀରଜଙ୍କ ସହ ଆଲୋଚନା କରିଥିଲି, ସେ ଖୁସି ଓ ସମ୍ମାନରେ କହିଥିଲେ ଉଦ୍ଯାପନୀ ଉତ୍ସବରେ ଶ୍ରୀଜେଶଙ୍କୁ ପତାକାଧାରୀ କରିବାକୁ ଚାହାନ୍ତି। ପୁଣି ସେ ମୋତେ କହିଥିଲେ ମାଡାମ୍ ଯଦି ମୋତେ ନ ପଚାରି ଶ୍ରୀ ଭାଇଙ୍କୁ ପତାକାଧାରୀ କରିଥାନ୍ତେ ସେଥିରେ ବି ମୁଁ ଖୁସିଥିଲି। ଏହା ଶ୍ରୀଜେଶଙ୍କ ପ୍ରତି ନୀରଜଙ୍କ ଭଲପାଇବା’’ ବୋଲି ପିଟି ଉଷା କହିଛନ୍ତି।
ନୂଆଦିଲ୍ଲୀ: ଅଲିମ୍ପିକ୍ସ କାଂସ୍ୟ ପରେ ଅବସର ନେଇଥିବା ଗୋଲ୍ରକ୍ଷକ ପିଆର୍ ଶ୍ରୀଜେଶ ଭାରତୀୟ କନିଷ୍ଠ ହକି ଦଳର ନୂଆ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇପାରନ୍ତି। ଭାରତର ଲଗାତାର ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟରେ ଶ୍ରୀଜେଶଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଗୁରୁବାର ସ୍ପେନ୍କୁ ୨-୧ ଗୋଲ୍ରେ ପରାସ୍ତ କରି ଭାରତ କାଂସ୍ୟ ପଦକ ଜିତିଥିଲା। ଅବସର ପରେ ସେ ହକିଠୁ ୟୁ-ଟର୍ଣ୍ଣ ନେବେନି ବୋଲି ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ସ୍ପଷ୍ଟ ହେବାରେ ଲାଗିଛି। ଜଣେ ଖେଳାଳିରୁ ପ୍ରଥମ ଥର ପ୍ରଶିକ୍ଷକ ହେବାର ଅଭିଜ୍ଞତା ସେ ପାଇବାକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ହକି ଇଣ୍ଡିଆ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ହକି ଇଣ୍ଡିଆ ତାହାର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ କରିଥିବା ଘୋଷଣାରେ ଶ୍ରୀଜେଶଙ୍କୁ କନିଷ୍ଠ ହକି ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯିବା ସହ ଯୁବପିଢ଼ିଙ୍କୁ ସବୁବେଳେ ପ୍ରେରଣା ଯୋଗାଇ ଆସୁଥିବା ଲେଖାଯାଇଛି। ଏଥିସହ ଜଣେ ମହାନ ଖେଳାଳି ଆଉ ଏକ ମହାନତା କରିବାକୁ ଯାଉଥିବା ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ କାଂସ୍ୟ ପଦକ ମ୍ୟାଚ୍ ପରେ ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ ମଧ୍ୟ ଏହି ନିଯୁକ୍ତି ବିଷୟରେ ସ୍ପଷ୍ଟ କରିଛନ୍ତି। ହକି ଇଣ୍ଡିଆ ଏହି ବିଷୟରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ଭାରତ ସରକାରଙ୍କ ସହିତ ଆଲୋଚନା କରିବ ବୋଲି ଭୋଳାନାଥ କହିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିଲା। ଏଥିସହ ଭାରତ ୫୨ ବର୍ଷ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିବାର ଗୌରବ ପାଇଥିଲା। ଭାରତର ଏହି ବିଜୟରେ ଗୋଲ୍କିପର ପିଆର୍ ଶ୍ରୀଜେଶଙ୍କ ପ୍ରମୁଖ ଭୂମିକା ଥିଲା। ପ୍ୟାରିସ୍ ଯିବା ପୂର୍ବରୁ ଶ୍ରୀଜେଶ ଏହା ତାଙ୍କର ଶେଷ ଅଲିମ୍ପିକ୍ସ ବୋଲି କହିଥିଲେ। କାଂସ୍ୟ ଜିତିବା ପରେ ସେ ଖେଳ ଜୀବନରୁ ଅବସର ନେଇଥିଲେ। ଭାରତର ଏହି ସଫଳତାରେ ଶ୍ରୀଜେଶଙ୍କ ପତ୍ନୀ ଆନୀଶ୍ୟା ଖୁସିରେ ବିଭୋର ହୋଇଯାଇଛନ୍ତି। ତାଙ୍କ ଫେରିବା ବାଟକୁ ଚାହିଁ ରହିବା ସହ ଆସିଲେ ପାରମ୍ପରିକ କେରଳୀ ଖାଦ୍ୟ ଖୁଆଇବା ଯୋଜନା କରିଛନ୍ତି ଆନୀଶ୍ୟା। ‘‘ମୁଁ ଖାଲି ତାଙ୍କ ପତ୍ନୀ ନୁହେଁ, ବଡ଼ ପ୍ରଶଂସକ ମଧ୍ୟ। ଜଣେ ପ୍ରଶଂସକ ଭାବେ ତାଙ୍କୁ ପଡ଼ିଆରେ ନିଶ୍ଚିତ ଆଉ ଦେଖିବାକୁ ପାଇବିନି। ହେଲେ ପତ୍ନୀ ଭାବେ ଏବେ ତାଙ୍କ ସହ ବହୁ ସମୟ ରହିବାର ସୁଯୋଗ ପାଇବି। ତେଣୁ ମୋ ମନରେ ଏବେ ଉଭୟ ଖୁସି ଓ ଦୁଃଖ ରହିଛି। ସେ ଫେରିଲେ ତାଙ୍କ ପାଇଁ ପାରମ୍ପରିକ କେରଳୀ ଖାଦ୍ୟ ଉଭୟ ଆମିଷ ଓ ନିରାମିଷ ପ୍ରସ୍ତୁତ କରିବି। ସେ ଏହାକୁ ବହୁତ ଭଲ ପାଆନ୍ତି। ଆମେ ଉତ୍ସବ ପାଳନ କରିବାକୁ କୌଣସି ଯୋଜନା କରିନୁ। କିନ୍ତୁ ଏଠାରେ ଅନେକ ଲୋକ ତାଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛନ୍ତି। ତାଙ୍କ ଭାଇ କାନାଡ଼ାରୁ ପରିବାର ସହ ଫେରୁଛନ୍ତି। ପୂରା ପରିବାର ଏଠାରେ ଏକାଠି ହେବୁ। ଏହା ଆମ ପାଇଁ ବିଶେଷ ମୁହୂର୍ତ୍ତ’’ ବୋଲି ପୂର୍ବତନ ଲମ୍ବ ଡିଆଁଳି ଅନୀଶ୍ୟା କହିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଶ୍ରୀଜେଶ ୩ଟି ଅଲଗା ଅଲଗା ଷ୍ଟିକ୍ ବ୍ୟବହାର କରିଥିଲେ। ଏହି ଷ୍ଟିକ୍ରେ ତାଙ୍କର ଦୁଇ ସନ୍ତାନ ଓ ପତ୍ନୀଙ୍କ ନାମ ଲେଖାଥିଲା। ବ୍ରିଟେନ୍ ବିପକ୍ଷ କ୍ବାର୍ଟରଫାଇନାଲ୍ ବିଜୟ ପରେ ଶ୍ରୀଜେଶ ନିଜ ଷ୍ଟିକ୍ରେ ଲେଖାଥିବା ପତ୍ନୀଙ୍କ ନାମ ଆନୀଶ୍ୟାକୁ ସମସ୍ତଙ୍କୁ ଦେଖାଇଥିଲେ। ଗ୍ରୁପ୍ ପର୍ଯ୍ୟାୟରେ ଶ୍ରୀଜେଶ ତାଙ୍କର ଝିଅ ଅନୁଶ୍ରୀ ଓ ପୁଅ ଶ୍ରୀୟାଂଶଙ୍କ ନାମ ଲେଖାଥିବା ଷ୍ଟିକ୍ ବ୍ୟବହାର କରିଥିଲେ।