ଶ୍ରୀଶାନ୍ତ ଆଶ୍ବସ୍ତ: ବାସନ୍ଦ ଶେଷ, ଖେଳିବାକୁ ମୁକ୍ତ

କୋଚି: ଦୀର୍ଘ ଦିନ ଧରି ଏହି ତାରିଖକୁ ଅପେକ୍ଷା କରି ରହିଥିଲେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ଶାନ୍ତାକୁମାରନ୍‌ ଶ୍ରୀଶାନ୍ତ। ଆଜି (୧୩ ସେପ୍ଟେମ୍ବର ୨୦୨୦ ) ତାଙ୍କ ଉପରେ ବିସିସିଆଇ ଦ୍ବାରା ଲାଗୁ ହୋଇଥିବା ୭ ବର୍ଷିଆ ବାସନ୍ଦର ଶେଷ ଦିନ। ସୋମବାରଠାରୁ ଏହି ଦ୍ରୁତ ବୋଲର ଖେଳିବାକୁ ମୁକ୍ତ ହୋଇଯିବେ। ‘ମୁଁ ଏବେ ମୁକ୍ତ ହୋଇଗଲି, ବଡ଼ ଆଶ୍ବସ୍ତିର କଥା ଯେ ମୁଁ ଖେଳିବାକୁ ବି ମୁକ୍ତ। ମୁଁ ଭାବୁଛି ଏହା ମୋ ପାଇଁ କେତେ ମହତ୍ବ ରଖେ ଅନ୍ୟ କେହି ବୁଝି ପାରିବେ ନାହିଁ।’ ବୋଲି ଶ୍ରୀଶାନ୍ତ ପ୍ରକାଶ କରିଛନ୍ତି। କିନ୍ତୁ କୋଭିଡ୍‌-୧୯ ମହାମାରୀ ପୁଣି ଥରେ ଶ୍ରୀଶାନ୍ତଙ୍କ ବାଟ ଓଗାଳିଛି। ସମସ୍ତ ପ୍ରକାର ଘରୋଇ କ୍ରିକେଟ୍‌ ସ୍ଥାଣୁ ଅବସ୍ଥାରେ ଥିବାରୁ ଶ୍ରୀଶାନ୍ତଙ୍କୁ ତୁରନ୍ତ ଘରୋଇ କ୍ରିକେଟ୍‌ରେ ଖେଳିବାକୁ ମିଳିବା ସମ୍ଭାବନା କ୍ଷୀଣ। ମୁଁ ଏବେ ଖେଳିବାକୁ ମୁକ୍ତ କିନ୍ତୁ ଦେଶରେ ଏବେ ଖେଳିବାକୁ କେଉଁଠି ବି ସ୍ଥାନ ନାହିଁ।

କୋଚିରେ ମୁଁ ନିଜେ ଏକ ସ୍ଥାନୀୟ ପ୍ରତିଯୋଗିତା ଆୟୋଜନ କରିବା ଯୋଜନା କରୁଥିଲି, ତାହାକୁ ମଧ୍ୟ କୋଭିଡ୍‌-୧୯ ପରିସ୍ଥିତି କରାଇ ଦେଲା ନାହିଁ। ଗତ ‌ମେ’ ମାସରୁ ମୁଁ ପୁଣି ଖେଳିବା କଥା ଚିନ୍ତା କରି ଆସୁଥିଲି, କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ପାଇଁ ମୁଁ ଏବେ ଅବସର ନେବା ଚିନ୍ତା କରୁଛି। କ୍ରିକେଟକୁ ମୁଁ କେବେ ବି ଠକିନାହିଁ, ଏପରିକି ‌ଫ୍ରେଣ୍ଡଲି ମ୍ୟାଚ୍‌ରେ ବି ନୁହେଁ’ ବୋଲି ଶ୍ରୀଶାନ୍ତ ପ୍ରକାଶ କରିଛନ୍ତି। ୨୦୧୩ ମସିହା ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ଛନ୍ଦି ହୋଇ ଶ୍ରୀଶାନ୍ତ ୭ ବର୍ଷର ବାସନ୍ଦ ଦଣ୍ଡ ଭୋଗିଥିଲେ। ଗୋଟିଏ ଗୋଡ଼ ହରାଇଥିବା ମୋ ମା’ ମୋ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି କହିଥିଲେ। ଟେଷ୍ଟ୍‌ କ୍ରିକେଟରେ ୮୭ ୱିକେଟ୍ ଏବଂ ପ୍ରଥମ ଶ୍ରେଣୀରେ ୨୧୧ ୱିକେଟ୍‌ ନେଇଥିବା ୩୭ ବର୍ଷୀୟ ଶ୍ରୀଶାନ୍ତ ମଧ୍ୟ ୨୦୦୭ ଆଇସିସି ଟି-୨୦ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ଥିଲେ। ଫିଟନେସ୍‌ ବଜାୟ ରଖିଛି, ଯଦି ଘରୋଇ କ୍ରିକେଟ୍‌ ସମ୍ଭବ ହୁଏ ତେବେ କେରଳ ପାଇଁ ଖେଳିବି। ନଚେତ ବିଦେଶରେ ଖେଳିବାକୁ ବିସିସିଆଇକୁ ଅନୁମତି ମାଗିବି ବୋଲି ଶ୍ରୀଶାନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର