ଅବସାଦ ଓ ଆତ୍ମହତ୍ୟା ଚିନ୍ତା କଥା କହିଲେ ଶ୍ରୀଶାନ୍ତ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଏସ୍‌ ଶ୍ରୀଶାନ୍ତ ତାଙ୍କ ଜୀବନରେ ଘଟିଥିବା କଷ୍ଟକର ସମୟ, ଅବସାଦ ଓ ଆତ୍ମହତ୍ୟା ଚିନ୍ତା ବିରୋଧରେ କିପରି ଲଢ଼ିଥିଲେ ତାହା ଉପରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ୨୦୧୩ ମସିହାରେ ଶ୍ରୀଶାନ୍ତ ଆଇପିଏଲ୍‌ ସ୍ପଷ୍ଟ ଫିକ୍ସିଂ ମାମଲାରେ ଜଡ଼ିତ ଥିବା ନେଇ ଅଭିଯୋଗ ହୋଇଥିଲା। ରାଜସ୍ଥାନ ରୟାଲ୍ସ ଦଳୀୟ ସାଥୀ ଅଜିତ ଚାନ୍ଦିଲା ଓ ଅଙ୍କିତ ଚାଭନଙ୍କ ସହ ସେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ୨୦୧୫ରେ ସ୍ବତନ୍ତ୍ର ଅଦାଲତ ତାଙ୍କୁ ସମସ୍ତ ମାମଲାରୁ ଦୋଷ ମୁକ୍ତ କରିଥିଲେ। ଗତ ବର୍ଷ ଉଚ୍ଚତମ ନ୍ୟାୟାଳୟ ତାଙ୍କ ବାସନ୍ଦକୁ କମାଇବାକୁ ବିସିସିଆଇକୁ କହିଥିଲେ। ସଂପ୍ରତି ତାଙ୍କ ବାସନ୍ଦ ଅବଧି ଚଳିତ ବର୍ଷ ସେପ୍ଟେମ୍ବରରେ ଶେଷ ହେଉଥିଲା ବେଳେ କେରଳ କ୍ରିକେଟ୍‌ ସଂଘ (କେସିଏ) ଶ୍ରୀଶାନ୍ତଙ୍କୁ ଆସନ୍ତା ରଣଜୀ ଋତୁରେ ସ୍ଥାନ ଦେବା ଲାଗି ଦ୍ବାର ଖୋଲା ରଖିଛି।

ଏହି ସମୟ ମୋ ପାଇଁ ଅନ୍ଧକାର ଥିଲା। ‌ମୋ ମନରେ ଅପହରଣ ହେବାର ଭୟ ଏତେ ଥିଲା ଯେ ଘର ବାହରକୁ ଗୋଡ଼ କାଢ଼ୁ ନଥିଲି କି କାହାକୁ ଘରକୁ ପ୍ରବେଶ କରିବାକୁ ଅନୁମତି ଦେଉନଥିଲି। ସେହି ସମୟରେ ଘୋର ଅବସାଦ‌ରେ ଥିଲି ବୋଲି ନିକଟରେ ଏକ ଜାତୀୟ ଗଣମାଧ୍ୟମ ସହ ସକ୍ଷାତକାରରେ ଶ୍ରୀଶାନ୍ତ କହିଛନ୍ତି। ସବୁ କିଛି ମୋ ଘର ଭିତରେ ଭାବୁଥିଲି। ମୋର ଦୁବର୍ଳତା ମୋ ଅବିଭାବକ ଯେପରି ଜାଣି ପାରିବେନି ସେଥିପାଇଁ ଖୁସି ମନରେ ବାହରକୁ ବାହାରୁଥିଲି। କାରଣ ସେମାନେ ଏହାକୁ ଗ୍ରହଣ କରିପାରିବେନି। ସେହି ସମୟରେ କେବଳ ମୁଁ ମୋ ସହ ଥିଲି ଏବଂ କାନ୍ଦୁଥିଲି। କାହିଁକି ଏପରି ଘଟିଲା ଓ କେଉଁଠି ଭୁଲ୍‌ ରହିଲା ତାହାକୁ ଖୋଜୁଥିଲି। ‌ଦୁଇଟି ଜୀବନରେ ବଞ୍ଚୁଥିଲି। ‌ହେଲେ ସବୁକୁ ନିଜ ଆୟତ୍ତରେ ରଖିପାରିଥିଲି।‌ ସାରା ବିଶ୍ବରେ ଶ୍ରୀଶାନ୍ତ ଏବଂ ପରିବାରରେ ମୁଁ ଗୋପୁ ଭାବେ ପରିଚିତ ଥିଲି। କିନ୍ତୁ‌ ମୋ ଘର ଭିତରେ ମୁଁ କ’ଣ ଜାଣି ପରୁନଥିଲି ବୋଲି ଶ୍ରୀଶାନ୍ତ କହିଛନ୍ତି। ଆତ୍ମହତ୍ୟା ଚିନ୍ତା ଉପରେ ସେ କହିଥିଲେ ଯେ ୨୦୧୩ରେ ଏଭଳି ଚିନ୍ତା ମୋ ମନରେ ଆସିଥିଲା। ମୋ ପରିବାରର ସହଯୋଗ ପାଇଁ ଏହି ଭାବନା ମୋ ମନରୁ ଦୂରେଇ ଯାଇଥିଲା। ସୁଶାନ୍ତ ସିଂହଙ୍କ ମୃତ୍ୟୁ ଖବର ମୋତେ ବେଶି କଷ୍ଟ ଦେଇଛି। ସେ ମୋର ଭଲ ବନ୍ଧୁ ଥିଲେ। ମୁଁ ସେହି ଭାବନା‌ରେ ଥିଲି କିନ୍ତୁ ଫେରି ଆସିଥିଲି। କାରଣ ମୁଁ ଜାଣିଥିଲି ଏଭଳି କଲେ ମୋତେ ବିଶ୍ବାସ ଓ ଭଲ ପାଉଥିବା ଲୋକଙ୍କୁ ‌କେତେ କଷ୍ଟ ଦେବ। ମୁଁ ବାଧାବିଘ୍ନରେ ଗତି କରିଛି। ଏବେ ମୋ ପାଇଁ ଭଲ ଦିନ କେବେ ଆସିବ ତା’ର ଅପେକ୍ଷାରେ ରହିଛି ବୋଲି ଶ୍ରୀଶାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର