ରଣଜୀ ଖେଳିବେ ଶ୍ରୀଶାନ୍ତ!

କୋଚି : ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ କଳଙ୍କର ବୋଝ ମୁଣ୍ଡାଇଥିବା ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଶାନ୍ତାକୁମାର ଶ୍ରୀଶାନ୍ତଙ୍କ ରଣଜୀ ଟ୍ରଫି ଖେଳିବାର ଆଶା ଉଜ୍ଜୀବୀତ ହୋଇଛି। ୨୦୨୦ ସେପ୍ଟେମ୍ବର ମାସରେ ତାଙ୍କର ୭ ବର୍ଷିୟା ବାସନ୍ଦାଦେଶ ସମୟ ପୂରିଯିବ। ଏହାପରେ ଆମେ ତାଙ୍କ ନାମ ରାଜ୍ୟ ରଣଜୀ ଦଳ ପାଇଁ ବିଚାରକୁ ନେଇପାରିବୁ ବୋଲି କହିଛି କେରଳ କ୍ରିକେଟ୍‌ ସଂଘ (କେସିଏ)। ତଥାପି ଫିଟ୍‌ନେସ୍‌ ଟ୍ରାଏଲ୍‌ ପାର କରିବା ଉପରେ ଶ୍ରୀଶାନ୍ତଙ୍କ ରଣଜୀ ଟ୍ରଫି ଖେଳିବା ନିର୍ଭର କରିବ ବୋଲି କେରଳ ଦଳର ପ୍ରଶିକ୍ଷକ ତଥା ପୂର୍ବତନ ଦ୍ରୁତ ବୋଲର ଟିନୁ ୟୋହାନା କହିଛନ୍ତି। ଆଉ ଯଦି ତାଙ୍କ ନାମ ବିଚାରକୁ ନିଆଯାଏ, ତାହାଲେ ଶ୍ରୀଶାନ୍ତ ୨୦୧୩ ପରେ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବାର ସୁଯୋଗ ପାଇବେ। କେସିଏ ମୋତେ ସୁଯୋଗ ଦେବାକୁ ରାଜି ଥିବାରୁ ମୁଁ କୃତଜ୍ଞ। ମୁଁ ମୋର ଫିଟ୍‌ନେସ୍‌ ପ୍ରମାଣିତ କରିବି ଏବଂ ମ୍ୟାଚ୍‌କୁ ଜବରଦସ୍ତ ପ୍ରତ୍ୟାବର୍ତନ କରିବି। ଏବେ ସବୁ ବିବାଦକୁ ବିରତି ଦେବାର ସମୟ ଆସିଛି ବୋଲି କହିଛନ୍ତି ଶ୍ରୀଶାନ୍ତ। ଅନ୍ୟପକ୍ଷରେ ଶ୍ରୀଶାନ୍ତ ଜଣେ ଅଭିଜ୍ଞ ବୋଲର ନିଶ୍ଚିତ। ସବୁ ଠିକ୍‌ଠାକ୍‌ ରହିଲେ ଆମେ ତାଙ୍କୁ ରଣଜୀ ଦଳକୁ ଫେରାଇ ଆଣିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କେସିଏ ସଂପାଦକ ଶ୍ରୀଜିତ୍‌ ନାଏର। ରାଜ୍ୟ ଦଳ ପାଇଁ ସେ ପ୍ରମୁଖ ସଂପତ୍ତି ହେବେ ବୋଲି ସେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ୨୦୧୩ ମେ’ ମାସରେ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲ‌ାକୁ କେନ୍ଦ୍ରକରି ଦିଲ୍ଲୀ ପୁଲିସ ଶ୍ରୀଶାନ୍ତଙ୍କ ସହିତ ରାଜସ୍ଥାନ ରୟାଲ୍‌ସର ଅନ୍ୟ ଦୁଇ ତାରକା ଅଜିତ ଚାନ୍ଦିଲା ଓ ଅଙ୍କିତ ଚଭନଙ୍କୁ ଗିରଫ କରିଥିଲା। ଏହାକୁ ନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଶ୍ରୀଶାନ୍ତଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ କରିଥିଲା। ହେଲେ ପରେ ସେ ଏହା ବିରୋଧରେ ଦୀର୍ଘ ବର୍ଷ ଧରି ଆଇନଗତ ଲଢ଼େଇ କରିଥିଲେ। ଫଳରେ ୨୦୧୫ରେ ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲା। ସେହିପରି ୨୦୧୮ରେ ମଧ୍ୟ କେରଳ ଉଚ୍ଚ ନ୍ୟାୟାଳୟ ତାଙ୍କ ଉପରୁ ବିସିସିଆଇ ଦ୍ବାରା ଆଜୀବନ ବାସନ୍ଦ ନିଷ୍ପତ୍ତିକୁ ଉଠାଇ ଦେଇଥିଲା। କିନ୍ତୁ ୨୦୧୯ରେ ଉଚ୍ଚତମ ନ୍ୟାୟାଳୟ ତାଙ୍କ ଉପରେ ଲାଗୁ କରାଯାଇଥିବା ଦଣ୍ଡକୁ କୋହଳ କରିବାକୁ ବିସିସିଆଇକୁ ପରାମର୍ଶ ଦେଇଥିଲେ। ତେଣୁ ବିସିସିଆଇ ଆଜୀବନ ବାସନ୍ଦକୁ କୋହଳ କରି ୭ ବର୍ଷର ଦଣ୍ଡ ରଖିଥିଲା। ଯାହାକି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପୂରିଯାଉଛି।

ଏହି ଦ୍ରୁତ ବୋଲର ବାସନ୍ଦ ହେବା ପୂର୍ବରୁ ଭାରତ ପାଇଁ ୨୭ ଟେଷ୍ଟ୍‌ ଖେଳି ୮୭ ଏବଂ ୭୫ ଦିନିକିଆ ଆନ୍ତର୍ଜାତିକ ୱିକେଟ୍‌ ଦଖଲ କରିଥିଲେ। ସେ ମଧ୍ୟ ୨୦୧୧ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର