ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୮ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ରେକର୍ଡ ୧୧୦ ରନ ବ୍ୟବଧାନରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ୨୭୯ ରନ ଲକ୍ଷ୍ୟର ଜବାବରେ କୋଲକାତା ମାତ୍ର ୧୬୮ ରନ କରି ଅଲଆଉଟ ହୋଇଯାଇଥିଲା । କୋଲକାତା ପକ୍ଷରୁ ମନିଷ ପାଣ୍ଡେ ୩୭ ରନ କରିଥିବାବେଳେ ହର୍ଷିତ ରାଣା ୩୪ ରନ ଓ ସୁନୀଲ ନାରାୟଣ ୩୧ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଜୟଦେବ ଉନାଦକଟ, ହର୍ଷ ଦୁବେ ଓ ଇଶାନ ମାଲିଙ୍ଗା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଆରମ୍ଭରୁ ହିଁ ଦ୍ରୁତ ଗତିଲେ ସ୍କୋର କରିବା ଆରମ୍ଭ କରିଦେଇଥିଲେ । ହେଡ୍ ୭୬ ରନ କରିଥିବାବେଳେ ଅଭିଷେକ ୩୨ ରନ କରିଥିଲେ । ତେବେ ଆଜିର ଦିନ ଥିଲା ହେନେରିକ କ୍ଲାସେନଙ୍କର । ଅଭିଷେକ ଆଉଟ ହେବା ପରେ ୩ୟ ସ୍ଥାନରେ ଆସିଥିବା କ୍ଲାସେନ କୋଲକାତା ବୋଲରଙ୍କ ଉପରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ଓ ମାତ୍ର ୩୭ଟି ବଲରେ ଶତକ ଅର୍ଜନ କରିଥିଲେ । ନିଜର ଏହି ଇନିଂସରେ ସେ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେ ମୋଟ ୧୦୫ ରନ କରିଥିଲେ । ଇଶାନ କିଷନ ୨୯ ରନ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨୭୮ ରନ କରିଥିଲା । ସୂଚନାଯୋଗ୍ୟ ଯେ ଆଇପିଏଲର ସର୍ବାଧିକ ସ୍କୋର ରେକର୍ଡ ମଧ୍ୟ ହାଇଦ୍ରାବାଦ ନାଁରେ ରହିଛି । ହାଇଦ୍ରାବାଦ ଗତ ବର୍ଷ ଆରସିବି ବିରୋଧରେ ୨୮୭ ରନ କରିଥିଲା ।