ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୪୩ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ଓ୍ବିକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦ ଆଗରେ ୧୫୫ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୮.୪ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଟ୍ରାଭିସ ହେଡ ୧୯ ରନ, ଇଶାନ କିଷନ ୪୪ ରନ ଓ କାମିଣ୍ଡୁ ମେଣ୍ଡିସ୍ ୩୨ରନ କରିଥିଲେ । ଅନିକେତ ବର୍ମା ଓ ନୀତୀଶ ରେଡ୍ଡି ୧୯ ରନ ଲେଖାଏଁ କରିଥିଲେ ।

Advertisment

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗସ ଆରମ୍ଭରୁ ହିଁ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା। ପ୍ରଥମ ଓଭରରେ ମହମ୍ମଦ ସମି ଚେନ୍ନାଇ ଓପନର ସାଇକ୍ ରସିଦଙ୍କୁ ଆଉଟ କରିଥିଲେ । ସେହିପରି ସାମ କୁରାନ ମାତ୍ର ୯ ରନ କରିଆଉଟ ହୋଇଯାଇଥିଲେ । ତେବେ ଆୟୁଷ ମାହାତ୍ରେ ୩୦ ରନ କରିଥିଲେ । ଡେଓ୍ବାଲ୍ଡ ବ୍ରେଭିସ୍ ୪୨ ରନ କରିଥିବାବେଳେ ଦିପକ ହୁଦା ୨୨ ରନ କରିଥିଲେ । ଅଧିନାୟକ ଧୋନି ମାତ୍ର ୬ ରନ କରି ହର୍ଷଲ ପଟେଲଙ୍କ ବଲରେ ଆଉଟ ହୋଇଥିଲେ ।  ଦଳ ୧୯.୫ ଓଭରରେ ୧୫୪ ରନ କରି ଅଲଆଉଟ୍ ହୋଇଯାଇଥିଲା । ୨୦୧୯ ପରେ ପ୍ରଥମ ଥର ପାଇଁ ଚିପକରେ ଚେନ୍ନାଇ ସୁପରକିଙ୍ଗସ୍ ଅଲ୍ଆଉଟ ହୋଇଯାଇଛି ।  ହାଇଦ୍ରାବାଦ ପକ୍ଷରୁ ହର୍ଷଲ ପଟେଲ ୪ଟି ଓ୍ବିକେଟ ନେଇଥିବାବେଳେ ଜୟଦେବ ଉନାଡକଟ ଓ ପ୍ୟାଟ କମିନ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।