ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୭ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଏକ ଐତିହାସିକ ବିଜୟ ହାସଲ କରିଛି । ୨୪୬ରନ ପରି ଏକ ବିଶାଳ ଲକ୍ଷ୍ୟକୁ ଆହୁରି ୯ଟି ବଲ ଓ ୮ ଓ୍ବିକେଟ ବାକିଥାଇ ଦଳ ହାସଲ କରିନେଇଛି । ଏହାକୁ ଆଇପିଏଲ ଇତିହାସରେ ୨ୟ ସର୍ବାଧିକ ରନଚେଜ୍ ବୋଲି କୁହାଯାଉଛି । ୨୪୬ ରନର ବିଶାଳ ବିଜୟ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ ହେଡ୍ ଓ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ ପଞ୍ଜାବ ହାତରୁ ଛଡ଼ାଇନେଇଥିଲେ । ଅଭିଷେକ ମାତ୍ର ୫୫ଟି ବଲରେ ୧୪୧ ରନର ଅବିଶ୍ବସନୀୟ ପାଳି ଖେଳି ହାଇଦ୍ରାବାଦ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ହେଡ୍ ୬୬ ରନ ଓ କ୍ଲାସେନ ୨୧ ରନ କରିଥିଲେ ।
ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିଜର ନିଷ୍ପତ୍ତିକୁ ଉଚିତ ପ୍ରମାଣିତ କରି ପଞ୍ଜାବର ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ଗତିରେ ସ୍କୋରକୁ ଆଗେଇନେଇଥିଲେ । ଦୁଇ ଓପନର ପ୍ରୟାଂଶୁ ଆର୍ଯ୍ୟା ଓ ପ୍ରଭସିମରନ ସିଂ ଯଥାକ୍ରମେ ୩୬ ଓ ୪୨ ରନ କରିଥିଲେ । ଅଧିନାୟକ ଶ୍ରେୟସ ଆୟର ମାତ୍ର ୩୬ ବଲରେ ୮୨ ରନ କରିଥିଲେ । ନେହାଲ ଓ୍ବାଧେରା ୨୭ ଓ ମାର୍କସ ଷ୍ଟୋଇନିସ୍ ୩୪ ରନ କରିଥିଲେ । ମାତ୍ର ଗ୍ଲେନ ମାକ୍ସଓ୍ବେଲଙ୍କ ଖରାପ ଫର୍ମ ଜାରି ରହିଛି ଓ ସେ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ହର୍ଷଲ ପଟେଲ ୪ଟି ଓ ଇଶାନ୍ତ ମାଲିଙ୍ଗା ୨ଟି ଓ୍ବିକେଟ ନେଇଥିଲେ ।