ଗଲ୍: ଡେନ୍ ବେସ ଏବଂ ଷ୍ଟୁଆର୍ଟ ବ୍ରଡ୍ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ଶ୍ରୀଲଙ୍କା ପ୍ରଥମ ପାଳିରେ ମାତ୍ର ୧୩୫ ରନ୍ କରି ସମସ୍ତ ୱିକେଟ୍ ହରାଇଛି। ଜବାବରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଇଂଲଣ୍ଡ ୨ ୱିକେଟ୍ ବିନିମୟରେ ୧୨୭ ରନ୍ ସଂଗ୍ରହ କରିନେଇଛି। ଏଥି ସହିତ ୮ ୱିକେଟ୍ ହାତରେ ରଖି ୮ ରନ୍ ପଛରେ ରହିଛି। ଡୋମିନିକ୍ ବେସ୍ଙ୍କ ୫ ୱିକେଟ୍ ସଫଳତା ପ୍ରଥମ ଦିନର ମୁଖ୍ୟାଂଶ ରହିଛି।
ଗଲ୍ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ୍ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଷ୍ଟୁଆର୍ଟ ବ୍ରଡ୍ ଏବଂ ଡୋମିନିକ୍ ବେସ୍ ଘାତକ ବୋଲିଂ କରିବାରୁ ଘରୋଇ ଦଳ ପ୍ରଥମ ୩ ବ୍ୟାଟ୍ସମ୍ୟାନ୍ (ଥିରିମାନେ, କୁସାଲ ପେରେରା, କୁସାଲ ମେଣ୍ଡିସ୍)ଙ୍କୁ ୨୫ ରନ୍ ଭିତରେ ହରାଇ ଦେଇଥିଲା। ଆଞ୍ଜେଲୋ ମାଥ୍ୟୁସ (୨୭, ୫୪ ବଲ୍) ଏବଂ ଦୀନେଶ ଚାନ୍ଦିମାଳ (୨୮)ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୫୬ ରନ୍ ଭାଗୀଦାରି ହୋଇଥିଲା। ମାଥ୍ୟୁସଙ୍କୁ ନିଜ ତୃତୀୟ ୱିକେଟ୍ ଭାବେ ଶିକାର କରିବା ପରେ ଅଫସ୍ପିନର୍ ଡୋମିନିକ୍ ବେସ୍ (୧୦.୧-୩-୩୦-୫) ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କୁ ପୋଛି ନେଇଥିଲେ। ନିଜ ଏକାଦଶ ଟେଷ୍ଟରେ ଏହି ୨୨ ବର୍ଷୀୟ ସ୍ପିନର୍ ଦ୍ବିତୀୟ ଥର ପାଇଁ ୫ ୱିକେଟ୍ ପାଇଥିଲେ। ଜବାବରେ ଇଂଲଣ୍ଡ ୧୭ ରନ୍ ଭିତରେ ଏହାର ପ୍ରାରମ୍ଭିକ ଯୋଡ଼ି ଜ୍ୟାକ୍ କ୍ରଲି ଏବଂ ଡୋମିନିକ୍ ଶିବଲେଙ୍କୁ ହରାଇଥିଲା। ଏମ୍ବୁଲ୍ଦେନିଆ ଉଭୟଙ୍କ ୱିକେଟ୍ ନେଇଥିଲେ। ଏହା ପରେ କିନ୍ତୁ ଜନି ବେୟାରଷ୍ଟୋ (୪୭*, ୯୧ ବଲ୍) ଓ ଜୋ ରୁଟ୍ (୬୬*, ୧୧୫ ବଲ୍) ଅତୁଟ ତୃତୀୟ ୱିକେଟ୍ ପାଇଁ ୧୧୦ ରନ୍ ଯୋଡ଼ିନେଇଥିବାରୁ ଇଂଲଣ୍ଡ ବଡ଼ ଅଗ୍ରଣୀ ଦିଗରେ ଅଗ୍ରସର ହେଉଛି।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୪୬.୧ ଓଭରରେ ୧୩୫ (ଦୀନେଶ ଚାନ୍ଦିମାଳ-୨୮, ଆଞ୍ଜେଲୋ ମ୍ୟାଥୁସ୍-୨୭, ଡୋମିନିକ୍ ବେସ୍-୫/୩୦, ଷ୍ଟୁଆର୍ଟ ବ୍ରଡ୍-୩/୨୦, ଜ୍ୟାକ୍ ଲିଚ୍-୧/୫୫)। ଇଂଲଣ୍ଡ ପ୍ରଥମ ପାଳି: ୪୧ ଓଭରରେ ୧୨୭/୨ (ଜୋ ରୁଟ୍-୬୬*, ଜନି ବେୟାରଷ୍ଟୋ-୪୭*, ଲସିଥ୍ ଏମ୍ବୁଲଦେନିୟା-୨/୫୫)।