ଗଲ୍‌ ଟେଷ୍ଟ୍‌: ଶ୍ରୀଲଙ୍କା ୩୮୧; ଇଂଲଣ୍ଡ ୯୮/୨

ମ୍ୟାକ୍‌ଗ୍ରାଙ୍କୁ ଟପିଲେ ଆଣ୍ଡରସନ୍‌

ଗଲ୍: ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ଶତକ ଓ ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କ ଅର୍ଦ୍ଧଶତକ ପରେ ୱିକେଟ୍‌ରକ୍ଷକ ନିରୋସାନ୍‌ ଡିକ୍‌ୱାଲା (୯୨, ୧୪୪ ବଲ୍‌, ୧୦ ଚୌକା) ଓ ଦିଲ୍‌ରୁୱାନ୍‌ ପେରେରା (୬୭, ୧୭୦ ବଲ୍‌, ୮ ଚୌକା, ୧ ଛକା)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ବଳରେ ଘରୋଇ ଶ୍ରୀଲଙ୍କା ଏଠା‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୩୮୧ ରନ୍‌ କରିଛି। ଜବାବରେ ଇଂଲଣ୍ଡ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ସୁଦ୍ଧା ୨ ୱିକେଟ୍‌ ହରାଇ ୯୮ ରନ୍‌ କରିଛି।

ଶ୍ରୀଲଙ୍କା ପ୍ରଥମ ପାଳିରେ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ୬ ୱିକେଟ୍‌ ଦଖଲ କରିଛନ୍ତି। ଏଥି ସହିତ ସେ ଟେଷ୍ଟ୍‌ କ୍ରିକେଟ୍‌ରେ ୩୦ ଥର ପାଇଁ ୫ ବା ତା’ଠୁ ଅଧିକ ୱିକେଟ୍‌ ଅକ୍ତିଆର କରିବାର ଗୌରବ ବହନ କରିଛନ୍ତି। ପୁଣି ଗଲ୍‌ରେ ୨୦୧୨ରେ ସେ ନେଇଥିବା ୫/୭୫କୁ ମଧ୍ୟ ଏଥର ପଛରେ ପକାଇ ଦେଇଛନ୍ତି। ଚଳିତ ଟେଷ୍ଟ୍‌ରେ ଶ୍ରୀଲଙ୍କା ପ୍ରଥମ ପାଳିରେ ସେ ୪୦ ରନ୍ ବିନିମୟରେ ୬ ୱିକେଟ୍‌ ଅକ୍ତିଆର କରିଛନ୍ତି। ଆଉ ଏହି କୀର୍ତ୍ତିମାନ ବଳରେ ଆଣ୍ଡରସନ୍‌ ମଧ୍ୟ ଅଷ୍ଟ୍ରେଲୀୟ ମହାନ୍‌ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାଗ୍ରା’ଙ୍କୁ ଟପି ଯାଇଛନ୍ତି। ସେହିପରି ଉପମହାଦେଶରେ ୫ ୱିକେଟ୍‌ ଝଟକାଇବାରେ ୩୮ ବର୍ଷ ବୟସ୍କ ଆଣ୍ଡରସନ୍‌ ମଧ୍ୟ ବୟୋଜ୍ୟେଷ୍ଠ ଦ୍ରୁତ ବୋଲର ବିବେଚିତ ହୋଇଛନ୍ତି। ଏକ୍ଷେତ୍ରରେ ସେ ନ୍ୟୁଜିଲାଣ୍ଡ୍‌ ମହାନ୍‌ ରିଚାର୍ଡ ହାଡ୍‌ଲିଙ୍କୁ ଟପି ଯାଇଛନ୍ତି। ହାଡ୍‌ଲି ୩୭ ବର୍ଷ ବୟସରେ ଉପମହାଦେଶରେ ଏଭଳି ସଫଳତା ପାଇଥିଲେ। ଆଣ୍ଡରସନ୍‌ ମଧ୍ୟ ତାଙ୍କ ମୋଟ ଟେଷ୍ଟ୍‌ ୱିକେଟ୍‌ ସଂଖ୍ୟାକୁ ୬୦୬ରେ ପହଞ୍ଚାଇଛନ୍ତି। ଇଂଲଣ୍ଡକୁ କିନ୍ତୁ ଆରମ୍ଭରୁ ଯୁଗଳ ଝଟ୍‌କା ଲାଗିଥିଲା। ପ୍ରାରମ୍ଭିକ ଯୋଡ଼ି ଜାକ୍‌ କ୍ରଲି (୫) ଓ ଡୋମିନିକ୍‌ ସିବ୍‌ଲେ (୦) ଅଷ୍ଟମ ଓଭର ପ୍ରଥମ ବଲ୍‌ ସୁଦ୍ଧା ପାଭିଲିୟନ୍‌ ଫେରିଯାଇଥିଲେ। ତେବେ ଅଧିନାୟକ ଜୋ ରୁଟ୍‌ ଓ ଜନି ବେୟାରଷ୍ଟୋ ତୃତୀୟ ୱିକେଟ୍‌ରେ ୯୩ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଛନ୍ତି। ଭ୍ରମଣକାରୀ ଦଳ ହାତରେ ୮ ୱିକେଟ୍‌ ଥାଇ ଏବେ ୨୮୩ ରନ୍‌ ପଛରେ ରହିଛି।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୧୩୯.୩ ଓଭରରେ ୩୮୧ (ଆଞ୍ଜେଲୋ ମାଥ୍ୟୁସ-୧୦୭, ନିରୋଶାନ ଡିକୱାଲା-୯୨, ଦିଲ୍‌ରୁୱାନ୍‌ ପେରେରା-୬୭, ଦୀନେଶ ଚାନ୍ଦିମାଳ-୫୨, ଲାହିରୁ ଥିରିମାନେ-୪୩, ଜେମ୍ସ ଆଣ୍ଡରସନ୍‌-୬/୪୦, ମାର୍କ ଉଡ୍‌-୩/୮୪)। ଇଂଲଣ୍ଡ ପ୍ରଥମ ପାଳି: ୩୦ ଓଭରରେ ୯୮/୨ (ଜୋ ରୁଟ୍‌-୬୭*, ଜନି ବେୟାରଷ୍ଟୋ-୨୪*, ଲସିତ୍‌ ଏମ୍ବୁଲଡେନିୟା-୨/୩୩)।

ସମ୍ବନ୍ଧିତ ଖବର