ଶ୍ରୀଲଙ୍କା ୨୦୫ରେ ସଫା

ଈଶାନ୍ତ, ଅଶ୍ୱିନ୍‌, ଜାଦେଜା ଓ୍ଵିକେଟ୍‌ ବାଣ୍ଟିନେଲେ

ନାଗପୁର: ଆଶାଜନକ ଭାବେ ଭିସିଏ ଟ୍ରାକ୍‌ ଘାସୁଆ ଥିଲା। ସେତେଟା ନୁହେଁ ଯେତେ ଆକଳନ କରାଯାଉଥିଲା। ଶ୍ରୀଲଙ୍କା ବିପକ୍ଷରେ କିନ୍ତୁ ଭାରତ କୌଣସି ଭାବେ ବିପଦରେ ପଡ଼ିନାହିଁ। ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଈଶାନ୍ତଙ୍କ ଲଢ଼ୁଆ ପ୍ରତ୍ୟାବର୍ତନ ଏବଂ ସ୍ପିନରଙ୍କ କମାଲ୍‌ ଆଗରେ ହାର ମାନିଗଲା। ଦୁଇ ଦେଶ ମଧ୍ୟରେ ଲଗାତାର ଷଷ୍ଠ ଟେଷ୍ଟ୍‍ରେ ଶ୍ରୀଲଙ୍କା ୩୦୦ ଟପି ପାରିଲା ନାହିଁ। ଜାମ୍‌ଥାର ଭିସିଏ ପିଚ୍‌ ବ୍ୟାଟିଂ ପାଇଁ ସେତେଟା ବିପଜ୍ଜନକ ନ ଥିଲେ ମଧ୍ୟ ଅତିଥି ଦଳ ମାତ୍ର ୨୦୫ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଛି। ଭାରତ କିନ୍ତୁ ପ୍ରଥମ ଦିନରର ଶେଷ ୮ ଓଭର ଖେଳି ୧୧ ରନ୍‌ ଭିତରେ ଲୋକେଶ ରାହୁଲଙ୍କ ଏକମାତ୍ର ଓ୍ଵିକେଟ୍‌ ହରାଇ ଦେଇଛି।

ନିଜ ପସନ୍ଦରେ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ଶ୍ରୀଲଙ୍କା ପଞ୍ଚମ ଓଭରରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଆହତ ମହମ୍ମଦ ସାମିଙ୍କ ବଦଳରେ ଖେଳିଥିବା ଈଶାନ୍ତ ଶର୍ମା ପ୍ରାରମ୍ଭିକ ଖେଳାଳି ସଦୀରା ସମରବିକ୍ରମାଙ୍କୁ ସ୍ଲିପ୍‌ରେ ଚେତେଶ୍ୱର ପୂଜାରାଙ୍କ ହାତରେ କ୍ୟାଚ୍‌ କରାଇ ପ୍ରଥମ ସଫଳତା ଦେଇଥିଲେ। ୨୦୧୨-୧୩ରେ କୋଲକାତା ଟେଷ୍ଟ୍‍ରେ ଆଲେଷ୍ଟର୍‌ କୁକ୍‌ଙ୍କ କ୍ୟାଚ୍‌ ଛାଡ଼ିଥିବାରୁ ସେ ୧୭ ରନ୍‌ରୁ ୧୯୦ ରନ୍‌ର ପାଳି ଖେଳିଥିଲେ।ଏହା ପରଠାରୁ ପୂଜାରା କ୍ୱଚିତ୍‌ ସ୍ଲିପ୍‌ରେ ଛିଡ଼ା ହୁଅନ୍ତି। କିନ୍ତୁ ସେ ସୌରାଷ୍ଟ୍ର ପାଇଁ ଏହି ସ୍ଥାନରେ କ୍ଷେତ୍ରରକ୍ଷଣ କରିଥାନ୍ତି। ଏବେ ଶିଖର ଧାଓ୍ଵନଙ୍କ ଅନୁପସ୍ଥିତିରେ ପୂଜାରା ନିଜ ବାମ ସମ୍ମୁଖକୁ ଢ଼ଳି ଏକ ଚମତ୍କାର କ୍ୟାଚ୍‌ ନେଇଥିଲେ। ଏହି କ୍ୟାଚ୍‌କୁ ଗୁରୁତ୍ୱପୂର୍ଣ୍ଣ ଭାବେ ନିଆଯାଇଛି। ଏହି ଓ୍ଵିକେଟ୍‌ ଦଖଲ ପରେ ଭାରତର ବୋଲିଂ ଅଧିକ ଟାଇଟ୍‌ ଲାଇନ୍‌ ଓ ଲେନ୍‌ଥରେ ରହିଥିଲା। ରନ୍‌ ଶୁଖା ପଡ଼ିଯାଇଥିଲା। ମଧ୍ୟାହ୍ନ ଭୋଜନ ପୂର୍ବ ଓଭରରେ ହିଁ ଅଶ୍ୱିନ୍‌ ଭ୍ରମଣକାରୀ ଦଳକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ। ଲାହିରୁ ଥିରିମାନେ ୫୭ ବଲ୍‌ରୁ ମାତ୍ର ୯ ରନ୍‌ କରିଥିବାବେଳେ ଅଶ୍ୱିନ୍‌ଙ୍କୁ ସୁଇପ୍‌ ଖେଳିବାକୁ ଯାଇ ବୋଲ୍‌ଡ ହୋଇଯାଇଥିଲେ। ଶ୍ରୀଲଙ୍କା ୪୭/୨ (୨୭ ଓଭର) ମଧ୍ୟାହ୍ନ ଭୋଜନରେ ଯିବାବେଳକୁ ସଂଘର୍ଷ କରୁଥିଲା।

ଭୋଜନ ପରେ କରୁଣାରତ୍ନେଙ୍କ ଭାଗ୍ୟ ଭଲ ରହିଥିଲା। ଅମ୍ପାୟାରଙ୍କ ଜରିଆରେ ସେ ଥରେ ଲେଗ୍‌ବିଫୋର ଓ୍ଵିକେଟ୍‌ରୁ ବର୍ତିଯାଇଥିଲେ। ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ କିନ୍ତୁ ରବୀନ୍ଦ୍ର ଜାଦେଜାଙ୍କ ପ୍ରଥମ ଓଭରରେ ଆଉଟ୍‌ ହୋଇଯାଇଥିଲେ। ଦିମୁଥ କରୁଣାରତ୍ନେ ଏବଂ ଅଧିନାୟକ ଦୀନେଶ ଚାନ୍ଦିମାଳ ଚତୁର୍ଥ ଓ୍ଵିକେଟ୍‌ ଭାଗୀଦାରିରେ ୬୨ ରନ୍‌ ଯୋଡ଼ିଥିଲେ। କରୁଣାରତ୍ନେ (୫୧, ୧୪୭ ବଲ୍‌, ୬ ଚୌକା)ଙ୍କୁ କିନ୍ତୁ ଈଶାନ୍ତ ଶର୍ମା ତାଙ୍କ ତୃତୀୟ ସ୍ପେଲ୍‌ରେ ଏଲ୍‌ବିଡବ୍‌ଲ୍ୟୁ କରାଇ ନେଇଥିଲେ। ସେ ଏହାର ରିଭ୍ୟୁ କରିଥିଲେ ମଧ୍ୟ ବର୍ତିନଥିଲେ। ୧୨୨ ରନ୍‌ରେ ଚତୁର୍ଥ ଓ୍ଵିକେଟ୍‌ ହରାଇବା ପରେ ଶ୍ରୀଲଙ୍କା ୧୫୧/୪ (୫୯ ଓଭର) ଚା’ପାନ ବିରତି ପାଇଁ ଯାଇଥିଲା।

ଚା’ ବିରତି ପରେ ଅଧିନାୟକ ଦୀନେଶ ଚାନ୍ଦିମାଳ ଏବଂ ଓ୍ଵିକେଟରକ୍ଷକ ନିରୋଶନ ଡିକ୍‌େଓ୍ଵଲା ଲଢ଼ିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭାରତୀୟ ସ୍ପିନର୍‌ ମାଡ଼ି ବସିଥିଲେ। ସଂଜମତା ହରାଇ ହାଲ୍‌କା ସଟ୍‌ ଖେଳି ମଧ୍ୟ ଓ୍ଵିକେଟ୍‌ ହରାଇଥିଲେ। ଜାଦେଜାଙ୍କୁ ଆଗକୁ ଆସି ଖେଳିବା ଚକ୍କର୍‌ରେ ଡିକ୍‌େଓ୍ଵଲା ଉଛାଳରେ ପରାସ୍ତ ହୋଇଥିଲେ। ବଲ୍‌ ଆଶାଜନକ ନ ଘୁରିବା ଫଳରେ ସେ ଫଳ ଭୋଗିଥିଲେ। ଅଶ୍ୱିନ୍‌ଙ୍କୁ ବଡ଼ ସଟ୍‌ ଖେଳିବାକୁ ଯାଇ ଦାସୁନ ସଣକା ଅଫ୍‌ ଷ୍ଟମ୍ପ୍‌ ହରାଇଥିଲେ। ସେହିଭଳି ଜାଦେଜାଙ୍କ ଏକ ଅଣ ଘୁର୍ଣ୍ଣାୟବ ବଲ୍‌ରେ ଦିଲରୁଓ୍ଵାନ ପେରେରା ମଧ୍ୟ ଏଲ୍‌ବିଡବ୍‌ଲ୍ୟୁ ହୋଇଥିଲେ। ଶେଷ ୩ ବ୍ୟାଟସମ୍ୟାନ୍‌ଙ୍କ ପାଳି ଆସିବା ଜାଣି ଅଧିନାୟକ ଦୀନେଶ ଚାନ୍ଦିମାଳ ସଟ୍‌ ଖେଳିବା ଯୋଜନା କରିଥିଲେ। କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ। ଅଶ୍ୱିନ୍‌ଙ୍କୁ ରିଭର୍ସ ସୁଇପ୍‌ ଖେଳିବାକୁ ଯାଇ ଏଲ୍‌ବିଡବ୍‌ଲ୍ୟୁ ଶିକାର ହୋଇଥିଲେ । ଏହା ପରେ ସୁରଙ୍ଗା ଲକ୍‌ମଲଙ୍କୁ ଈଶାନ୍ତ ଶର୍ମା ଆଉଟ୍‌ କରିଥିଲେ ଏବଂ ହେରାଥଙ୍କୁ ନିଜର ଚତୁର୍ଥ ଶିକର ସହିତ ଅଶ୍ୱିନ୍‌ ଶ୍ରୀଲଙ୍କା ପାଳିକୁ ୨୦୫ ରନ୍‌ରେ ସୀମିତ ରଖିଥିଲେ।

ଭାରତ ପାଳି ଆରମ୍ଭ କରିବା ପରେ ଶ୍ରୀଲଙ୍କା କିନ୍ତୁ ଲୋକେଶ ରାହୁଲ (୭)ଙ୍କ ଓ୍ଵିକେଟ୍‌ ବାହାର କରିନେଇ ସାନ୍ତ୍ୱନା ସହ ସୁଯୋଗ ସୃଷ୍ଟି କରିଛି। ରାହୁଲଙ୍କୁ ବୋଲ୍ଡ କରିଥିଲେ ଗାମେଜ୍‌। ଏହା ପୁରୁଣା ଯୋଡ଼ି ମୁରଲୀ ବିଜୟ (୨*, ୨୮ ବଲ୍‌) ଏବଂ ଚେତେଶ୍ୱର ପୂଜାରା (୨*, ୭ ବଲ୍‌)ଙ୍କୁ ଏକାଠି କରିଛି।

ସମ୍ବନ୍ଧିତ ଖବର