ଦୁବାଇ : ଫାଇନାଲ୍ ପୂର୍ବର ରିହରସଲ୍ରେ ପାକିସ୍ତାନକୁ ମାତ୍ ଦେଇଛି ଶ୍ରୀଲଙ୍କା। ଚଳିତ ଏସିଆ କପ୍ର ଅନ୍ତିମ ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ୫ ୱିକେଟ୍ରେ ହରାଇ ଶ୍ରୀଲଙ୍କା ଆତ୍ମବିଶ୍ବାସ ଅର୍ଜନ କରିଛି। ସିଂହଳି ବୋଲରମାନେ ପାକିସ୍ତାନ ପାଳିକୁ ୧୨୧ ରନ୍ରେ ଶେଷ କରିଦେଇଥିଲେ। ଏହା ପରେ ଆର୍ଥିକ ସଙ୍କଟ ଭିତରେ ଥିବା ଏହି ଦେଶର ବ୍ୟାଟର୍ମାନେ ୩ ଓଭର ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ପଥୁମ ନିଶଙ୍କା (୪୮ ବଲ୍ରୁ ୫୫ ରନ୍, ୫ ଚୌକା, ୧ ଛକା) ନିର୍ଣ୍ଣାୟକ ଅର୍ଦ୍ଧଶତକ ହାସଲ କରିଥିଲେ। ରବିବାର ଫାଇନାଲ୍ରେ ପୁଣି ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ପାକିସ୍ତାନ।
ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ବିଗତ ୩ ମ୍ୟାଚ୍କୁ ପଶ୍ଚାତଧାବନ କରି ଜିତିଥିବାରୁ ଶ୍ରୀଲଙ୍କା ଏଭଳି ନିଷ୍ପତ୍ତି ନେବା ସ୍ବାଭାବିକ ଥିଲା। ପାକିସ୍ତାନ ଦୁଇଟି ପରିବର୍ତନ କରି ଖେଳିଥିଲା। ଦୁଇ ପ୍ରମୁଖ ବୋଲର ନସିମ୍ ସାହା ଓ ସଦାବ ଖାନ୍ଙ୍କୁ ବିଶ୍ରାମ ଦେଇ ହାସନ ଅଲୀ ଓ ଉସମାନ କାଦିରଙ୍କୁ ଖେଳାଇଥିଲା। ପ୍ରଖ୍ୟାତ ବୋଲର ଅବଦୁଲ କାଦିରଙ୍କ ପୁଅ ଉସମାନ ପୂର୍ବରୁ ଦିନିକିଆ ଖେଳିଥିବା ବେଳେ ଶୁକ୍ରବାର ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଦୁଇଟି ପରିବର୍ତନ କରି ଖେଳିଥିଲା। ଗତ ୪ ପାଳିରେ ଦୁଇ ଅଙ୍କ ଛୁଇଁ ପାରିନଥିବା ଚରିତ ଅସଲଙ୍କାଙ୍କ ବଦଳରେ ଧନଞ୍ଜୟ ଡି’ସିଲଭା ଖେଳିଥିଲେ। ସେହିଭଳି ଗତ ଦୁଇ ମ୍ୟାଚ୍ରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ଅସିଥ ଫର୍ଣ୍ଣାଣ୍ଡୋଙ୍କ ବଦଳରେ ଡାହାଣହାତୀ ପେସ୍ ବୋଲର୍ ପ୍ରମୋଦ ମଧୁଶନଙ୍କୁ ପଦାର୍ପଣ ସୁଯୋଗ ମିଳିଥିଲା। ପଦାର୍ପଣରେ ମଧୁଶନ ମଧ୍ୟ ଦୁଇ ୱିକେଟ୍ ଦଖଲ କରି ପାକିସ୍ତାନ ବିପର୍ଯ୍ୟୟର ଅନ୍ୟତମ କାରଣ ସାଜିଥିଲେ। ପାକିସ୍ତାନ ପାୱାର ପ୍ଲେ ଭିତରେ ୧ ୱିକେଟ୍ ହରାଇ ୪୯ ରନ୍ ସଂଗ୍ରହ କରି ନେଇଥିଲା। ବାବର ଆଜମ ସର୍ବାଧିକ ୩୦ ରନ୍ କରିଥିବା ବେଳେ ମହମ୍ମଦ ନୱାଜ ଦ୍ବିତୀୟ ସର୍ବାଧିକ ୨୬ ରନ୍ କରିଥିଲେ। ୱାନିନ୍ଦୁ ହସରଙ୍ଗା (୪-୦-୨୧-୩) ଏବଂ ଧନଞ୍ଜୟ ଡି’ସିଲଭା (୪-୦-୧୮-୧) ମିତ୍ତବ୍ୟୟୀ ବୋଲିଂ କରିଥିଲେ। ମହେଶ ତିକ୍ଷଶାଣା ଓ ପ୍ରମୋଦ ମଧୁଶନ ମଧ୍ୟ ସମାନ ୨ ୱିକେଟ୍ ଦଖଲ କରିଥିଲେ ୨୧ ରନ୍ ଲେଖାଏଁ ଦେଇ। ପାକିସ୍ତାନ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣରେ ଅଲଆଉଟ୍ ହୋଇଯାଇଥିଲା। ୧୯.୧ ଓଭରରେ ବାବରଙ୍କ ଦଳ ୧୨୧ ରନ୍ କରି ସୀମିତ ହୋଇଯାଇଥିଲା।
ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ୧୯.୧ ଓଭରରେ ୧୨୧ (ବାବର ଆଜମ-୩୦, ମହମ୍ମଦ ନୱାଜ-୨୬, ଅତିରିକ୍ତ-୧୭, ୱାନିନ୍ଦୁ ହସରଙ୍ଗା-୩/୨୧, ମହେଶ ତୀକ୍ଷଶାଣା-୨/୨୧, ପ୍ରମୋଦ ମଧୁଶନ-୨/୨୧, ଚାମିକା କରୁଣାରତ୍ନେ-୧/୪, ଧନଞ୍ଜୟ ଡି’ସିଲଭା-୧/୧୮)। ଶ୍ରୀଲଙ୍କା ୧୭ ଓଭରରେ ୧୨୪/୫ (ପଥୁମ ନିଶଙ୍କା-୫୫*, ଭାନୁକା ରାଜପକ୍ଷ-୨୪, ଦାସୁନ ଶଣକା-୨୧, ୱାନିନ୍ଦୁ ହସରଙ୍ଗା-୧୦*, ହାରିସ୍ ରୌଫ-୨/୧୯, ମହମ୍ମଦ ହସନେନ୍-୨/୨୧, ଉସମାନ କାଦିର-୧/୩୪)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Hasaranga.jpg)