ରୋମାଞ୍ଚକ ବିଜୟ ସହ ସୁପର୍‌-୪ରେ ଶ୍ରୀଲଙ୍କା: ଶେଷ ଲିଗ୍‌ରେ ବାଂଲାଦେଶ ୨ ୱିକେଟ୍‌ରେ ପରାସ୍ତ

ଦୁବାଇ: ଚଳିତ ଏସିଆ କପ୍‌ରେ ଗୁରୁବାର ଗ୍ରୁପ୍‌ ‘ବି’ର ଶେ‌ଷ ଲିଗ୍‌ ମ୍ୟ‌ାଚ୍‌ରେ ବାଂଲାଦେଶକୁ ୨ ୱିକେଟ୍‌ରେ ପରାସ୍ତ କରି ଶ୍ରୀଲଙ୍କା ଗ୍ରୁପ୍‌-ବି’ରୁ ଦ୍ବିତୀୟ ତଥା ମୋଟ ତୃତୀୟ ଦଳ ଭାବେ ସୁପର-୪ରେ ପହଞ୍ଚିଯାଇଛି। ଏହି ଗ୍ରୁପ୍‌ରେ ଥିବା ଆଫ୍‌ଗାନିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍‌ ଜିତି ସୁପର-୪ରେ ସ୍ଥାନ ପକ୍କା କରିସାରିଥିଲା। ତେଣୁ ଆଫ୍‌ଗାନିସ୍ତାନଠୁ ହାରିଥିବା ବାଂଲାଦେଶ ଓ ଶ୍ରୀଲଙ୍କା ପାଇଁ ଗୁରୁବାର କର ବା ମର ମ୍ୟାଚ୍‌ ହୋଇଥିଲା। ‌ଏହି ମ୍ୟାଚ୍‌ରେ ୧୮୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ୧୯.୨ ଓଭରରେ ୮ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। କୁଶାଲ ମେଣ୍ଡିସ ୬୦ ଏବଂ ଅଧିନାୟକ ଦାସୁନ ସନକା ୪୫ ରନ୍‌ କରିଥିଲେ। ବିଶେଷକରି ଅସିଥ୍‌ ଫର୍ଣ୍ଣାଣ୍ଡୋ ୩ ବଲ୍‌ରୁ ୧୦ ରନ୍‌ କରି ଶ୍ରୀଲଙ୍କାକୁ ବିଜୟ ଭେଟି ଦେଇଥିଳେ। ବାଂଲାଦେଶ ପକ୍ଷରୁ ଏବାଦତ ହୋସେନ ୩ ଏବଂ ତସ୍କିନ ଅହମ୍ମଦ ୨ ୱିକେଟ୍‌ ନେଇଥିଲେ ମଧ୍ୟ ଶେଷ ଭାଗରେ ବିଶୃଙ୍ଖଳିତ ବୋଲିଂ ପାଇଁ ପରାଜୟ ବରଣ କରିଥିଲା।

୧୮୪ ରନ୍‌ର ଲକ୍ଷ୍ୟକୁ ସଫଳତାର ସହ ପିଛା କରିବା ୟୁଏଇରେ ମଧ୍ୟ ସର୍ବାଧିକ ଥିଲା। ଦୁବାଇରେ ଶ୍ରୀଲଙ୍କା ଏହି ସଫଳତା ହାତେଇଛି। ଏହା ପୂର୍ବରୁ ୨୦୧୬ରେ ୟୁଏଇ ବିପକ୍ଷରେ ଆଫ୍‌ଗାନିସ୍ତାନ ୧୮୦ ରନ୍‌କୁ ସଫଳତାର ସହ ପିଛା କରିନେଇଥିଲା। ତେବେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ସଫଳତମ ପିଛା ୨୦୧୮ରେ ମୀର୍‌ପୁରରେ ହିଁ ଥିଲା। ସେହି ମ୍ୟାଚ୍‌ରେ ବାଂଲାଦେଶ ଧାର୍ଯ୍ୟ କରିଥିବା ୧୯୪ ରନ୍‌କୁ ଶ୍ରୀଲଙ୍କା ହାସଲ କରିନେଇଥିଲା। ପୂର୍ବରୁ ଦୁବାଇ ‌ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ୭ ୱିକେଟ୍‌ ହରାଇ ୧୮୩ ରନ୍‌ କରିଥିଲା। ଅଫିଫ୍‌ ହୁସେନ (୩୯, ୨୨ ବଲ୍‌) ସର୍ବାଧିକ ରନ୍‌ କରିଥିଲା ବେଳେ ଓପନର୍‌ ମେହ‌େଦି ହାସନ ମିରାଜ ୩୮, ମହମୁଦୁଲ୍ଲା ୨୭, ଅଧିନାୟକ ସକିବ ଅଲ୍‌ ହାସନ ୨୪ ଓ ‌ମୋସାଦେକ ହୁସେନ ୯ ବଲ୍‌ରୁ ବିସ୍ଫୋରକ ୨୪ ରନ୍‌ର ଉପଯୋଗୀ ପାଳି ଖେଳି ଏହି ବଡ଼ ସ୍କୋର୍‌ରେ ଅବଦାନ ରଖିଥିଲେ। ହେଲେ କୌଣସି ବାଂଲା ବ୍ୟାଟର୍‌ ୪୦ ରନ୍‌ କରିବାକୁ ସକ୍ଷମ ହୋଇନଥିଲେ। ବ୍ୟକ୍ତିଗତ ୪୦ରୁ ଅଧିକ ରନ୍‌ ନକରି ଆଇସିସି ପୂର୍ଣ୍ଣ ସଦସ୍ୟ ଦେଶଙ୍କ ମଧ୍ୟରେ ଏହା ଯୁଗ୍ମ ଦ୍ବିତୀୟ ସର୍ବାଧିକ ଦଳୀୟ ‌ସ୍କୋର୍‌ ହୋଇଥିଲା। ପୂର୍ବରୁ ସର୍ବାଧିକ ସ୍କୋର୍‌ ଇଂଲଣ୍ଡ (୧୯୩/୭) ନାମରେ ରହିଛି। ୨୦୧୪ (ଚାଟୋଗ୍ରାମ)ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ଏହି ସ୍କୋର୍‌ କରିଥିଲା। ଆଲେକ୍ସ ହେଲ୍ସ ସର୍ବାଧିକ ୩୮ ରନ୍‌ କରିଥିଲେ। ତା’ ପଛକୁ ୨୦୨୧ (ଗ୍ରସ୍‌ ଆଇସଲେଟ୍‌)ରେ ୱେଷ୍ଟ୍‌ଇଣ୍ଡିଜ ବିପକ୍ଷରେ ଅଷ୍ଟ୍ରେଲିଆର ୧୮୩/୯ ରହିଛି। ଏହି ମ୍ୟାଚ୍‌ରେ ଆରୋନ ଫିଞ୍ଚ ସର୍ବାଧିକ ୩୪ ରନ୍‌ କରିଥିଲେ। ବ୍ୟକ୍ତିଗତ ୫୦ ରନ୍‌ରୁ ଅଧିକ ନକରି ବାଂଲାଦେଶର ଏହା ଦ୍ବିତୀୟ ସର୍ବାଧିକ ଦଳୀୟ ସ୍କୋର୍‌। ପୂର୍ବରୁ ଜିମ୍ବାୱେ (୨୦୨୨, ହରାରେ) ବିପକ୍ଷରେ ଏହି ଦେଶ ୧୮୮/୬ କରିଥିଲା।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୨୦ ଓଭରରେ ୧୮୩/୭ (ଅଫିଫ୍‌ ହୁସେନ-୩୯, ମେହିଦି ହାସନ ମିରାଜ-୩୮, ୱାନିନ୍ଦୁ ହସରଙ୍ଗା-୨/୪୧, ଚାମିକା କରୁଣାରତ୍ନେ-୨/୩୨)। ଶ୍ରୀଲଙ୍କା ୧୯.୨ ଓଭରରେ ୧୮୪/୮ (କୁଶାଲ ମେଣ୍ଡିସ ୬୦, ଦାସୁନ ସନକା ୪୫, ପଥୁମ ନିଶଙ୍କ ୨୦, ଏବାଦତ ହୋସେନ ୩/୫୧, ତସ୍କିନ ଅହମ୍ମଦ ୨/୨୪)।

ସମ୍ବନ୍ଧିତ ଖବର