ଦ୍ବିତୀୟ ଦିନିକିଆ: ଶ୍ରୀଲଙ୍କା ୮ ୱିକେଟ୍‌ରେ ପରାସ୍ତ, ଶୃଙ୍ଖଳା ଜିତିଲା ଇଂଲଣ୍ଡ

ଲଣ୍ଡନ : ଦୁଇ ନୂଆବଲ୍‌ ଦ୍ରୁତ ବୋଲର ସାମ୍‌ କରନ (୫/୪୮) ଓ ଡେଭିଡ୍‌ ୱିଲି (୪/୬୪)ଙ୍କ ଘାତକ ବୋଲିଂ ପରେ ଓପ୍‌ନର ଜାସନ୍‌ ରୟ, ଜୋ ରୁଟ୍‌ ଓ ଅଧିନାୟକ ଇଅନ୍‌ ମୋର୍ଗାନ୍‌ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଘରୋଇ ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଦେଇଛି। ଏଥି ସହିତ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଜିତିନେଇଛି ଇଂଲଣ୍ଡ। ୫ ୱିକେଟ୍‌ ସଫଳତା ହାସଲ କରିଥିବା ସାମ୍‌ କରନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଗୁରୁବାର ରାତିରେ କେନିଙ୍ଗ୍‌ଟନ୍‌ ଓଭାଲ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ଶ୍ରୀଲଙ୍କା ୯ ୱିକେଟ୍‌ ବିନିମୟରେ ୨୪୧ ରନ୍‌ କରିପାରିଥିଲା। ଧନଞ୍ଜୟ ଡି’ସିଲ୍‌ଭା ୯୧ ରନ୍‌ କରିଥିଲେ। ଜବାବରେ ଜାସନ୍‌ ରୟ (୬୦, ୫୨ ବଲ୍‌, ୧୦ ଚୌକା) ଓ ଜନି ବେୟାରଷ୍ଟୋ (୨୯, ୩୬ ବଲ୍‌, ୩ ଚୌକା, ୧ ଛକା) ପ୍ରଥମ ୱିକେଟ୍‌ରେ ୭୬ ରନ୍ ଯୋଡ଼ିଥିଲେ। ଦଳୀୟ ସ୍କୋର୍‌ ୧୦୪ ବେଳକୁ ଉଭୟ ପାଭିଲିୟନ୍‌ ଫେରିଯାଇଥିଲେ। ଏହାପରେ କିନ୍ତୁ ଶ୍ରୀଲଙ୍କା ବୋଲରଙ୍କୁ ନିରାଶ କରିଥିଲେ ରୁଟ୍‌ ଓ ମୋର୍ଗାନ୍। ଦୁହେଁ ଅସମାପ୍ତ ତୃତୀୟ ୱିକେଟ୍‌ରେ ୧୪୦ ରନ୍ ଯୋଡ଼ି ଇଂଲଣ୍ଡକୁ ୭ ଓଭର ପୂର୍ବରୁ ୮ ୱିକେଟ୍‌ର ଅତି ସହଜ ବିଜୟ ଭେଟି ଦେଇଥିଲେ। ରୁଟ୍‌ ୬୮ (୮୭ ବଲ୍‌, ୫ ଚୌକା) ଓ ମୋର୍ଗାନ୍‌ ୭୫ (୮୩ ବଲ୍‌, ୮ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହିଥିଲେ। ଦଳ ୪୩ ଓଭରରେ ୨୪୪/୨ କରିନେଇଥିଲା। ଆସନ୍ତା ରବିବାର ତୃତୀୟ ତଥା ଶେଷ ଦିନିକିଆ ବ୍ରିଷ୍ଟଲ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର