ପାଲେକେଲ୍ : ପ୍ରଥମ ଦିନିକିଆରେ ହାରିଯାଇଥିଲେ ମଧ୍ୟ ଶ୍ରୀଲଙ୍କା ଗୁରୁବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଚକ୍ମା ଦେଇ ଦ୍ବିତୀୟ ଦିନିକିଆକୁ ଜିତି ନେଇଛି। ପଶ୍ଚାତଧାବନ ବେଳେ ମାତ୍ର ୧୯ ରନ୍ ଭିତରେ ୫ ୱିକେଟ୍ ହରାଇ ଦେବାରୁ ଅଷ୍ଟ୍ରେଲିଆ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ହାରିଯାଇଛି। ବର୍ଷାବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଶ୍ରୀଲଙ୍କା ୨୨୦/୯ରେ ସୀମିତ ରହିଥିଲା। ଅଧିନାୟକ ଦାସୁନ ସଣକା ଏବଂ ୱିକେଟରକ୍ଷକ କୁସାଲ ମେଣ୍ଡିଜ୍ ସର୍ବାଧିକ ୩୪ ରନ୍ ଲେଖାଏଁ କରିଥିଲେ।
ପ୍ୟାଟ୍ କମିନ୍ସ ୪ ଏବଂ ମ୍ୟାକ୍ସୱେଲ୍ ଓ ପ୍ରଥମ ପଦାର୍ପଣକାରୀ ମାଥ୍ୟୁ କୁନମ୍ୟାନ୍ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଡେଭିଡ୍ ୱାର୍ଣ୍ଣର (୩୭) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୩୦)ଙ୍କ ବଳରେ ଅଷ୍ଟ୍ରେଲିଆ ଏକଦା ୫ ୱିକେଟ୍ରେ ୧୭୦ ରନ୍ କରିଥିଲା। କିନ୍ତୁ ୩୭.୧ ଓଭରରେ ୧୮୯ ରନ୍ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଚାମିକା କରୁଣାରତ୍ନେ ସର୍ବାଧିକ ୩ ୱିକେଟ୍ ନେଇଥିବାବେଳେ ଦୁଷ୍ମନ୍ତ ଚାମିରା, ଧନଞ୍ଜୟ ଡି’ସିଲଭା, ଦୁନିଥ୍ ୱେଲାଲାଗେ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ବାଣ୍ଟିଥିଲେ। ଶ୍ରୀଲଙ୍କା ଡିଏଲ୍ ପଦ୍ଧତିରେ ୨୬ ରନ୍ରେ ବିଜୟୀ ହୋଇଥିଲା। ଚାମିକା କରୁଣାରତ୍ନେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥିସହ ୫ ମ୍ୟାଚ୍ ଶୃଙ୍ଖଳା ୧-୧ ସ୍ତରକୁ ଚାଲିଆସିଛି।