ପାଲେକେଲ୍‌: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦୁଇ ପୂର୍ବ ବିଜେତାଙ୍କ ମଧ୍ୟରେ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ପରାସ୍ତ କରି ଶ୍ରୀଲଙ୍କା ହ୍ୟାଟ୍ରିକ୍‌ ବିଜୟ ସହ ସୁପର୍‌-୮ ଯୋଗ୍ୟତା ଅର୍ଜନ କରି ନେଇଛି। ୧୮୨ ରନ୍‌ର ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ୨ ଓଭର ପୂର୍ବରୁ ୨ ୱିକେଟ୍‌ ହରାଇ ସଂଗ୍ରହ କରି ନେଇଥିଲା।

Advertisment

ପଥୁମ ନିଶଙ୍କା (୫୨ ବଲ୍‌ରୁ ୧୦୦*, ୧୦ ଚୌକା, ୫ ଛକା) ପ୍ରଥମ ବିଶ୍ବକପ୍‌ ଶତକ ସହ ଘରୋଇ ଦଳକୁ ଏହି ସହଜ ବିଜୟ ‌ଉପହାର ଦେଇଛନ୍ତି। କୁଶାଲ ମେଣ୍ଡିସ୍ (୩୮ ବଲ୍‌ରୁ ୫୧ ରନ୍) ଓ ପବନ ରତ୍ନା‌ୟକେ (୧୫ ବଲ୍‌ରୁ ୨୮* ରନ୍) ମଧ୍ୟ ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିଲେ। ଜିମ୍ବାୱେଠାରୁ ହାରିଥିବା ଅଷ୍ଟ୍ରେଲିଆ ଏବେ ଓମାନ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିବ। ଏହା ପୂର୍ବରୁ କିନ୍ତୁ ମଙ୍ଗଳବାରର ଜିମ୍ବାୱେ-ଆୟର୍ଲାଣ୍ଡ୍‌ ଭାଗ୍ୟ ଉପରେ ନିର୍ଭର କରିବ କଙ୍ଗାରୁ ବାହିନୀ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଅଷ୍ଟ୍ରେଲିଆ ପାଇଁ ଏହାର ପ୍ରାରମ୍ଭିକ ଯୋଡ଼ି ମିଚେଲ୍‌ ମାର୍ସ (୨୭ ବଲ୍‌ରୁ ୫୪ ରନ୍) ଓ ଟ୍ରାଭିସ୍‌ ହେଡ୍‌ (୨୯ ବଲ୍‌ରୁ ୫୬ ରନ୍‌) ୮.୩ ଓଭରରେ ୧୦୪ ରନ୍‌ ସଂଗ୍ରହ କରିଥିଲେ। ମଧ୍ୟକ୍ରମରେ ଜୋସ୍‌ ଇଙ୍ଗଲିସ୍‌ (୨୨ ବଲ୍‌ରୁ ୨୭ ରନ୍) ଏବଂ ଗ୍ଲେନ୍‌ ମ୍ୟାକ୍ସୱେଲ (୧୫ ବଲ୍‌ରୁ ୨୨ ରନ୍) କିଛିଟା ଲଢ଼ିଥିଲେ ମଧ୍ୟ ଶେଷ ୪ ଓଭରରେ ଶ୍ରୀଲଙ୍କା ବୋଲର ଚମତ୍କାର ପ୍ରଦର୍ଶନ କରିବାରୁ କଙ୍ଗାରୁ ଦଳ ମାତ୍ର ୨୧ ରନ୍‌ ଯୋଡ଼ି ୬ ୱିକେଟ୍‌ ହରାଇ ୧୮୧ ରନ୍‌ରେ ଅଟକିଯାଇଥିଲା।

ଆହୁରି ପଢ଼ନ୍ତୁ: Alipsa Biswal: ୨୩ ବର୍ଷରୁ କମ୍ ମହିଳା ଦିନିକିଆ, ଅଲିପ୍‌ସା ଓଡ଼ିଶା ଅଧିନାୟିକା

ଶେଷ ଦୁଇ ଓଭରରୁ ଅଷ୍ଟ୍ରେଲିଆ ମାତ୍ର ୬ ରନ୍‌ ଯୋଡ଼ି ୪ ୱିକେଟ୍‌ ହରାଇବାରୁ ଦଳ ସମ୍ଭାବ୍ୟ ୨୦୦/୨୩୦ ରନ୍‌ରେ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା। ଦୁଶନ ହେମନ୍ତ (୩/୩୭), ଦୁଷ୍ମନ୍ତ ଚାମିରା (୨/୩୬) ସଫଳ ବୋଲର ଥିବାବେଳେ ମହେଶ ତୀକ୍ଷଶା, କାମିନ୍ଦୁ ମେଣ୍ଡିସ୍‌, ଦୁନିଥ୍‌ ୱାଲାଲଗେ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।