ପାଲେକେଲ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସହଆୟୋଜକ ଶ୍ରୀଲଙ୍କାର ଜୟଯାତ୍ରା ଜାରି ରହିଛି। ଗୁରୁବାର ଗ୍ରୁପ୍-ବି’ର ଅନ୍ୟତମ ଏକତରଫା ମୁକାବିଲାରେ ଓମାନକୁ ୧୦୫ ରନ୍ର ବଡ଼ ବ୍ୟବଧାନରେ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ସିଂହଳୀ ଦଳ। ଲଗାତାର ବିଜୟ ସହ ଶ୍ରୀଲଙ୍କା ମଧ୍ୟ ଏହି ଗ୍ରୁପ୍ର ପଏଣ୍ଟ୍ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରି ନେଇଛି। ଅନ୍ୟପକ୍ଷରେ ଓମାନ ଦୁଇଟି ମ୍ୟାଚ୍ରୁ ଦୁଇଟି ଯାକ ହାରି ସାବଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି।ଓମାନ ଆଜି ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୪୨ ରନ୍ରେ ୨ ୱିକେଟ୍ ନେଇ ଘରୋଇ ଦଳ ଉପରେ କିଛିଟା ଚାପ ସୃଷ୍ଟି କରିବାକୁ ବି ସକ୍ଷମ ହୋଇଥିଲା। ଏହା ପରେ କିନ୍ତୁ ମାତ୍ରାଧିକ ଆତ୍ମବିଶ୍ବାସୀ ହୋଇ ଏହି ଦଳର ଅନଭିଜ୍ଞ ବୋଲର୍ମାନେ ଦିଗହରା ହୋଇଥିଲେ। ଶ୍ରୀଲଙ୍କା ଉପରେ ଚାପ ବଜାୟ ରଖିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ସେମାନଙ୍କ ଲକ୍ଷ୍ୟହୀନ ବୋଲିଂରୁ ପୂରା ଫାଇଦା ଉଠାଇଥିଲା ଘରୋଇ ଦଳ।
କୁଶାଲ ମେଣ୍ଡିସ ଏହି ସଫଳ ପ୍ରତ୍ୟାବର୍ତ୍ତନର ପ୍ରମୁଖ ବିନ୍ଧାଣି ଥିଲେ
ପ୍ରାରମ୍ଭିକ ଝଟକାକୁ ସଫଳତାର ସହ ପ୍ରତିହତ କରି ତିନିଟି ଅର୍ଦ୍ଧଶତକ ବଳରେ ୨୨୫/୫ର ବଡ଼ ସ୍କୋର କରି ନେଇଥିଲା। କୁଶାଲ ମେଣ୍ଡିସ ଏହି ସଫଳ ପ୍ରତ୍ୟାବର୍ତ୍ତନର ପ୍ରମୁଖ ବିନ୍ଧାଣି ଥିଲେ। ତାଙ୍କ ସହ ଯୁବ ତାରକା ପବନ ରତ୍ନାଏକ୍ ଏବଂ ଅଧିନାୟକ ଦାସୁନ ସନକା ଉପଯୋଗୀ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତିନିଜଣ ଯାକ ଯଥାକ୍ରମେ ୩୯, ୨୪ ଓ ୧୯ ବଲ୍ରୁ ଅର୍ଦ୍ଧଶତକ ଛୁଇଁଥିଲେ। ଶେଷ ଆଡ଼କୁ କାମିନ୍ଦୁ ମେଣ୍ଡିସ୍ ମାତ୍ର ୭ ବଲ୍ରୁ ୧୯ ରନ୍ର ଅପରାଜିତ ପାଳି ଖେଳିଥିଲେ। ପ୍ରତିପକ୍ଷ ଦଳର ଜିତେନ ରାମନନ୍ଦୀ ସର୍ବାଧିକ ୨ ୱିକେଟ୍ କରାୟତ୍ତ କରିଥିଲେ। ଜବାବରେ ଓମାନର ପଶ୍ଚାତଧାବନ ଥିଲା ଅତ୍ୟନ୍ତ ବିପର୍ଯ୍ୟୟ ଭରା। ଏହି ଦଳର ପ୍ରଥମ ତିନି ବ୍ୟାଟର୍ ଏକ ଅଙ୍କରେ ସୀମିତ ରହିଥିଲେ। ମ୍ୟାଚ୍ର ମୋଡ଼ ବଦଳାଇବା ଭଳି ଭାଗୀଦାର ଲାଗି ଓମାନ ବ୍ୟାଟର୍ମାନେ ବରାବର ଯୁଝିଥିଲେ। ହେଲେ ଏଥିରେ ଟିକିଏ ହେଲେ ବି ସଫଳ ହୋଇ ନଥିଲେ। କେବଳ ମହମ୍ମଦ ନଦୀମ ଅର୍ଦ୍ଧଶତକୀୟ ପାଳି ଖେଳି କିଛିଟା ବ୍ୟକ୍ତିଗତ ଚମକ ଛାଡ଼ିଥିଲେ। ୱାସିମ ଅଲୀ ଦ୍ବିତୀୟ ସର୍ବାଧିକ ୨୭ ରନ୍ କରିଥିଲେ। ଅନ୍ୟମାନେ ପୂରା ନିରାଶ କରିଥିଲେ। ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ଓମାନ ୯ ୱିକେଟ୍ ହରାଇ ମାତ୍ର ୧୨୦ ରନ୍ ହିଁ କରିପାରିଥିଲା। ଧୂଆଁଧାର ପାଳି ପାଇଁ ଉତ୍ନଏକ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଶ୍ରୀଲଙ୍କା ୨୦ ଓଭରରେ-୨୨୫/୫ (କୁଶାଲ ମେଣ୍ଡିସ୍ ୬୧, ପବନ ରତ୍ନାଏକ୍ ୬୦, ଦାସୁନ ସନକା ୫୦, କାମିନ୍ଦୁ ମେଣ୍ଡିସ୍ ୧୯*,ଜିତେନ ରାମନନ୍ଦୀ ୨/୪୧, ଜୟ ଓଡେଡ୍ରା ୧/୧୪)। ଓମାନ ୨୦ ଓଭରରେ-୧୨୦/୯ (ମହମ୍ମଦ ନଦୀମ ୫୩, ୱାସିମ ଅଲୀ ୨୭, ମହୀଶ ତିକ୍ଷଣା ୨/୧୧, ଦୁଷ୍ମନ୍ତ ଚାମିରା ୨/୧୯)।
ଆହୁରି ପଢ଼ନ୍ତୁ:Donald Trump: ଚୀନ୍କୁ ରୋକିବା ପାଇଁ ଭାରତର ସମର୍ଥନ ଅତ୍ୟନ୍ତ ଜରୁରୀ: ଟ୍ରମ୍ପ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/12/sri-lanka-top-after-defeating-oman-2026-02-12-15-11-03.png)