ଟି-୨୦ ବିଶ୍ୱକପ୍‌: ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ହରାଇଲା ଶ୍ରୀଲଙ୍କା

ସାର୍‌ଜା: ଟି-୨୦ ବିଶ୍ୱକପ୍‌ର ସୁପର-୧୨ ଗ୍ରୁପ୍‌-୧ ମ୍ୟାଚ୍‌ରେ ରବିବାର ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ଶ୍ରୀଲଙ୍କା ପରାସ୍ତ କରିଛି। ଶ୍ରୀଲଙ୍କା ୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୫ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ହାସଲ କରିଛି। ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା।

ଶ୍ରୀଲଙ୍କା ପାଇଁ ଚରିଥ ଆସଲଙ୍କା ସର୍ବାଧିକ ଅପରାଜିତ ୮୦ ରନ୍‌ ସଂଗ୍ରହ କରିଥିଲେ। ସେ ୪୯ଟି ବଲ ଖେଳି ୫ଟି ଚୌକା ଓ ୫ଟି ଛକା ସହାୟତାରେ ଏହି ରନ୍‌ କରିଥିଲେ। ସେହିପରି ଭାନୁକା ରାଜପକ୍ଷେ ୩୧ଟି ବଲ ଖେଳି ୫୩ ରନ୍‌ କରିଥିଲେ। ଏଥିରେ ସେ ୩ଟି ଚୌକା ଓ ୩ଟି ଛକା ସାମିଲ କରିପାରିଥିଲେ। ପାତୁମ୍‌ ନିଶଙ୍କା ୨୧ଟି ବଲ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ୨୪ ରନ୍‌ କରିଥିଲେ।

ବାଂଲାଦେଶର ଇନିଂସ ଆରମ୍ଭ କରିଥିଲେ ମହମ୍ମଦ ନଇମ୍‌ ଓ ଲିଟ୍‌ନ୍‌ ଦାସ (୧୬ ରନ୍‌)। ଉଭୟ ଓପନର ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ଫଳରେ ପ୍ରଥମ ଓ୍ଵିକେଟ୍‌ରେ ୪୦ ରନ୍‌ ସଂଗ୍ରହ ହୋଇଥିଲା। ଦଳ ୫୬ ରନ୍‌ରେ ୨ୟ ଓ୍ଵିକେଟ୍‌ ଭାବେ ଶାକିବ୍‌ ଅଲ୍‌ ହାସନ୍‌ (୧୦ ରନ୍‌)ଙ୍କୁ ହରାଇଥିଲା। ମହମ୍ମଦ ନଇମ୍‌ ଓ ମୁଶଫିକର ରହିମ୍‌ଙ୍କ ଅର୍ଦ୍ଧଶତକ ହାସଲ କରିଥିଲେ।

ଓପନର ମହମ୍ମଦ୍‌ ନଇମ୍‌ ସର୍ବାଧିକ ୬୨ ରନ୍‌ ସଂଗ୍ରହ କରିଥିଲେ। ସେ ୫୨ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ସେହିପରି ମୁଶଫିକର ରହିମ୍‌ ୩୭ଟି ବଲ ଖେଳି ଅପରାଜିତ ୫୭ ରନ୍‌ କରିଥିଲେ। ଏଥିରେ ତାଙ୍କର ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଦଳର ଅନ୍ୟ ଖେଳାଳି ଅସିଫ୍‌ ହୁସେନ୍‌ ୭ ରନ୍‌ ଓ ଅଧିନାୟକ ମହମ୍ମଦୁଲ୍ଲା ଅପରାଜିତ ୧୦ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଡୋ ଓ ଲାହିରୁ କୁମାରା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର