ଢାକା : ବାଂଲାଦେଶ ବିପକ୍ଷ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୧୦ ୱିକେଟରେ ବିଜୟୀ ହୋଇଛି। ଏଥି ସହ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଭ୍ରମଣକାରୀ ଦଳ ୧-୦ରେ ଜିତି ନେଇଛି। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ ଅମୀମାଂସିତ ରହିଥିଲା। ଶୁକ୍ରବାର ପଞ୍ଚମ ତଥା ଶେଷ ଦିନ ସକାଳେ ବାଂଲାଦେଶ ନିଜ ଦ୍ବିତୀୟ ପାଳିକୁ ଦୟନୀୟ ସ୍ଥିତି ୩୪/୪ରୁ ଆରମ୍ଭ କରିଥିଲା। ମୁସଫିକର ରହିମ (୨୩) ସଅଳ ଆଉଟ୍ ହୋଇଯିବା ପରେ ଲିଟନ୍ ଦାସ (୫୨, ୧୩୫ ବଲ୍‌)ଏବଂ ସକିବ୍ ଅଲ୍ ହାସନ୍ (୫୮, ୭୨ ବଲ୍‌) କିଛି ସମୟ ଲଢ଼ିଥିଲେ। କିନ୍ତୁ ୨୪ ବର୍ଷୀୟ ଦ୍ରୁତ ବୋଲର ଅସିଥ ଫର୍ଣ୍ଣାଣ୍ଡୋ (୧୭.୩-୫-୫୧-୬) ନିଜ କ୍ୟାରିୟର୍‌ ଶ୍ରେଷ୍ଠ ବୋଲିଂ ଚିତ୍ର ସହ ବାଂଲାଦେଶ ପାଳିକୁ ୧୬୯ ରନ୍‌ରେ ଶେଷ କରି ଦେଇଥିଲେ। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ମାତ୍ର ୨୯ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଦିମୁଥ କରୁଣାରତ୍ନେଙ୍କ ଦଳ ମାତ୍ର ୩ ଓଭରରେ ହାସଲ କରି ନେଇଥିଲା। ଓସାଦା ଫର୍ଣ୍ଣାଣ୍ଡୋ (୯ ବଲ୍‌ରୁ ୨୧* ରନ୍‌) ଦ୍ରୁତ ବେଗରେ ରନ୍‌ ସଂଗ୍ରହ କରି କଠୋର ସମୟ ଦେଇ ଗତି କରୁଥିବା ଏହି ସିଂହଳୀ ଦେଶକୁ ବିଜୟ ମଣ୍ଡିତ କରିଥିଲେ।

Advertisment

ଶ୍ରୀଲଙ୍କା ପ୍ରଥମ ପାଳିରେ ୫୦୬ ରନ୍‌ କରିଥିଲା। ପୂର୍ବରୁ ପ୍ରଥମ ପାଳିରେ ୩୬୫ ରନ୍‌ କରିଥିବାରୁ ଘରୋଇ ଦଳ ପଛରେ ପଡ଼ିଯାଇଥିଲା। ଅସିଥ ଫର୍ଣ୍ଣାଣ୍ଡୋ ମ୍ୟାଚ୍‌ରେ ୧୦ ୱିକେଟ୍‌ (୪/୯୩ ଓ ୬/୫୧) ନେଇଥିବାରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶୃଙ୍ଖଳାରେ ୨ ଶତକ ଜମାଇଥିବା ଆଞ୍ଜେଲୋ ମାଥ୍ୟୁସ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏଥି ସହ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ରେ ଶ୍ରୀଲଙ୍କା ଗୁରୁତ୍ବପୂର୍ଣ୍ଣ ୧୨ ପଏଣ୍ଟ୍ ଅର୍ଜନ କରିଛି।