ଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ ଟି-୨୦, ଅଷ୍ଟ୍ରେଲିଆକୁ ୭ ରନ୍‌ରେ ହରାଇଲା ଶ୍ରୀଲଙ୍କା

ମୁମ୍ବାଇ: ଚଳିତ ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ ଟି-୨୦ ଲିଜେଣ୍ଡ୍ସ କ୍ରି‌କେଟ୍‌ ପ୍ରତିଯୋଗିତାରେ ରବିବାର ଶ୍ରୀଲଙ୍କା ରୋମାଞ୍ଚକ ଭାବେ ୭ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଦଳକୁ ପରାଜୟ ମୁହଁରୁ ବାହାର କରି ବିଜୟ ସମ୍ଭାବନା ପର୍ଯ୍ୟନ୍ତ ନେଇଥିବା ନାଥନ୍ ରିୟରଡନ୍ (୯୬, ୫୩ ବଲ୍‌) ନିରାଶ ହୋଇଥିଲେ। ତିଲକରତ୍ନେ ଦିଲ୍‌ସାନ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଲିଜେଣ୍ଡ୍ସ ୮ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ତିଲକରତ୍ନେ ଦିଲସାନ୍ (୧୮, ୧୪ ବଲ୍‌), ରୋମେଶ କାଲୁବିତରଣା (୩୦, ୨୬ ବଲ୍), ଚାମରା କପୁଗେଦରା (୨୮, ୧୮ ବଲ୍‌), ପରଭେଜ୍ ମହାରୁଫ (୨୦*, ୧୫ ବଲ୍‌)ଙ୍କ ମିଳିତ ପ୍ରୟାସ ବଳରେ ଶ୍ରୀଲଙ୍କା ଲଢ଼ୁଆ ସ୍କୋର୍ ପାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ବ୍ରାଡ୍ ହଜ୍ (୨/୧୮), ଜାଭିଏର୍ ଦୋହେର୍ତି (୨/୨୮), ଜାସନ୍ କ୍ରେଜା (୨/୩୭) ଏବଂ କ୍ଲିଷ୍ଟ୍ ମ୍ୟାକେ (୧/୩୦) ଭଲ ବୋଲିଂ କରିଥିଲେ।

ଜବାବରେ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ୧୧ ଓଭର ସୁଦ୍ଧା ୫୯ ରନ୍‌ରେ ୭ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ମାଇକେଲ୍ କ୍ଲିଙ୍ଗର୍ (୦), ଟ୍ରାଭିସ୍ ବର୍ଟ (୪), ବ୍ରାଡ୍ ହଜ୍ (୭), ବ୍ରାଡ୍ ହାଡିନ୍ (୧୦), ସେନ୍ ଲି (୦), ଜାସନ୍ କ୍ରେଜା (୬), ମାର୍କ କସଗ୍ରଭ୍ (୧) ପ୍ରମୁଖ ବିଫଳ ହେବାରୁ ଅଷ୍ଟ୍ରେଲିଆ ଆଗକୁ ବଢ଼ିପାରିନଥିଲା। ତଥାପି ଏକା ଲଢ଼ିଥିଲେ ନାଥନ୍ ରିୟରଡନ୍‌ (୯୬, ୫୩ ବଲ୍‌, ୯ ବଲ୍‌, ୫ ଛକା)। ଶତକ ହାସଲ ବେଳକୁ ନର୍ଭସ ହୋଇ ଆଉଟ୍ ହୋଇଯାଇଥିଲେ। ଦିଲସାନ୍ ତାଙ୍କ ୱିକେଟ୍ ନେଇ ଦଳକୁ ବିଜୟୀ କରାଇଥିଲେ। ଅଷ୍ଟ୍ରେଲିଆ ପାଇଁ ଦ୍ବିତୀୟ ସର୍ବାଧିକ ରନ୍‌ କରିଥିବା ଜାଭିୟର ଦୋହେର୍ତି ୧୫ ରନ୍ କରି ରନ୍‌ ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା। ଶ୍ରୀଲଙ୍କା ଲିଜେଣ୍ଡ୍ସ ପକ୍ଷରୁ ଅଧିନାୟକ ତିଲକରତ୍ନେ ଦିଲସାନ୍ (୩/୩୫), ରଙ୍ଗନା ହେରାଥ୍ (୨/୫), ପରଭେଜ୍ ମହାରୁଫ (୨/୨୮), ଚାମିନ୍ଦା ଭାସ୍ (୧/୨୦), ସଚିତ୍ର ସେନାନା‌ୟକ‌ (୧/୩୪) ୱିକେଟ୍‌ ବାଣ୍ଟି ନେଇଥିଲେ।

ସମ୍ବନ୍ଧିତ ଖବର