କେପ୍ ଟାଉନ୍‌ : ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଶ୍ରୀଲଙ୍କା ଚଳିତ ଆଇସିସି ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଆସିଥିବା ଶ୍ରୀଲଙ୍କା ରବିବାର ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ସମିନା ସୁଲତାନା (୧୩ ବଲ୍‌ରୁ ୨୦ ରନ୍‌), ସୋଭନା ମୋସ୍ତାରି (୩୨ ବଲରୁ ୨୯ ରନ୍‌), ଅଧିନାୟିକା ନିଗର ସୁଲତାନା (୩୪ ବଲ୍‌ରୁ ୨୮ ରନ୍‌)ଙ୍କ ବଳରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୬ ରନ୍‌ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଓସଦି ରଣସିଂଘେ (୩/୨୩), ଚମାରି ଆଟାପାଟ୍ଟୁ (୨/୧୯), ଇନୋକା ରଣବୀରା (୧/୧୮) ସଫଳ ବୋଲର ଥିଲେ। ଜବାବରେ ଶ୍ରୀଲଙ୍କା ଷଷ୍ଠ ଓଭର ବେଳକୁ ୨୫/୩ରେ ସଂଘର୍ଷ କରିଥିଲା। କିନ୍ତୁ ପ୍ରାରମ୍ଭିକ ବ୍ୟାଟର୍‌ ହର୍ଷିତା ସମରବିକ୍ରମା (୫୦ ବଲ୍‌ରୁ ୬୯* ରନ୍) ଏବଂ ନୀଳାକ୍ଷୀ ଡି’ ସିଲଭା (୩୮ ବଲ୍‌ରୁ ୪୧* ରନ୍) ଶ୍ରୀଲଙ୍କା ପାଇଁ ଅତୁଟ ଚତୁର୍ଥ ୱିକେଟ୍‌ରେ ୧୦୪ ରନ୍‌ ଯୋଡ଼ି ୧୦ ବଲ୍‌ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ। ଆଇସିସି ଟ୍ବେଣ୍ଟି-୨୦ ମହିଳା ଅନ୍ତର୍ଜାତୀୟରେ ଏହା ଥିଲା ପ୍ରଥମ ଶତକୀୟ ଭାଗୀଦାରି।