ନୂଆଦିଲ୍ଲୀ: ଦଲୀପ୍ ଟ୍ରଫି ଉଚ୍ଛେଦ ସାଙ୍ଗକୁ ଆର୍ଥିକ ସ୍ୱଚ୍ଛତା ପ୍ରସଙ୍ଗକୁ ନେଇ ଅଡୁଆରେ ପଡ଼ିଥିବା ଏମ୍ଭି ଶ୍ରୀଧର ବୁଧବାର ବିସିସିଆଇ (ଭାରତୀୟ କ୍ରିକେଟ୍ ବୋର୍ଡ)ର କ୍ରିକେଟ୍ ପରିଚାଳନା ପ୍ରବନ୍ଧକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ଗ୍ରହଣ କରିନେଇଛି। ବୁଧବାର କ୍ରିକେଟ୍ କେନ୍ଦ୍ର ମୁଖ୍ୟାଳୟରେ ସିଓଏ ବୈଠକ ଅବସରରେ ହିଁ ଶ୍ରୀଧର ତାଙ୍କ ଇସ୍ତଫା ପ୍ରଦାନ କରିଥିଲେ। ତାଙ୍କ ଇସ୍ତଫା ଗୃହୀତ ହୋଇଥିବାରୁ ଏବେ ସାମୟିକ ଭାବେ ସିଇଓ ରାହୁଲ୍ ଜୋହରି କ୍ରିକେଟ୍ ପରିଚାଳନା ମୁଖ୍ୟ ଦାୟିତ୍ୱରେ ରହିବେ। ଜୋହରି ଏବେଠୁ ଅନ୍ୟ ତିନି ସଦସ୍ୟ ମୟଙ୍କ ପାରିକ୍, କେଭିପି ରାଓ ଏବଂ ଗୌରବ ସାକ୍ସେନାଙ୍କର ନେତୃତ୍ୱ ନେବେ। ଜୋହରି ମଧ୍ୟ ତିନି ସଦସ୍ୟଙ୍କୁ ଶ୍ରୀଧରଙ୍କ ଇସ୍ତଫା ସଂପର୍କରେ ଜଣାଇ ଦେଇଛନ୍ତି। ତେବେ ସୁରୁଖୁରୁରେ ଦାୟିତ୍ୱ ହସ୍ତାନ୍ତର ପାଇଁ ଶ୍ରୀଧର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପଦରେ ରହିବାକୁ ରାଜି ହୋଇଥିବା ଜୋହରି ସ୍ପଷ୍ଟ କରିଛନ୍ତି। ଇସ୍ତଫା ଦେବାପରେ ଶ୍ରୀଧରଙ୍କୁ ତାଙ୍କ ସେବା ଓ ଅବଦାନ ପାଇଁ ବିସିସିଆଇ ଧନ୍ୟବାଦ ଜଣାଇଛି। ଶ୍ରୀଧର ବିଶେଷକରି ହାଇଦ୍ରାବାଦ କ୍ରିକେଟ୍ ସଂଘର ମୁଖ୍ୟ ଦାୟିତ୍ୱ ତୁଲାଉଥିଲା ବେଳେ ଆର୍ଥିକ ଅନିୟମିତା ଅଭିଯୋଗ ତାଙ୍କ ନାମରେ ଉଠିଥିଲା। ପୁଣି ସେ ନିଜ ରହଣୀ ସ୍ଥାନ ମୁମ୍ବାଇକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ହାଇଦ୍ରାବାଦ ସଂଘରେ ମୁଣ୍ଡ ଖେଳାଉଥିଲେ। ଯାହାକି ଦ୍ୱୈତ ସ୍ୱାର୍ଥ ପ୍ରସଙ୍ଗ ପ୍ରତି ଅଙ୍ଗୁଳି ଉଠିଥିଲା। ଫଳରେ ବିସିସିଆଇରୁ ତାଙ୍କ ପ୍ରତି ବିରୋଧାଭାସ ଉଙ୍କି ମାରିଲା। ପୁଣି ସିଓଏ ଯେତେବେଳେ ସୋହୁମ୍ ଦେଶାଇଙ୍କୁ ଜଣେ ମନସ୍ତତ୍ୱବିତ୍ ଭାବେ ନିଯୁକ୍ତ କଲା ତାହାକୁ ପରୋକ୍ଷରେ ଶ୍ରୀଧର ବିରୋଧ କରିଥିଲେ। ଏହାକୁ ନେଇ ବିସିସିଆଇରେ ତାଙ୍କ ଭାବମୂର୍ତ୍ତି ଖରାପ ହୋଇଥିଲା। ଶେଷରେ ଅନେକ ଅଡୁଆରେ ଘାଣ୍ଟି ହୋଇଥିବା ଶ୍ରୀଧର ବୁଧବାର ପଦ ଛାଡ଼ିବାକୁ ବାଧ୍ୟ ହେଲେ।
ବିସିସିଆଇରୁ ଶ୍ରୀଧରଙ୍କ ଇସ୍ତଫା
/sambad/media/post_attachments/wp-content/uploads/2017/09/mb-sridhar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)